ଡେପୁଟି କଲେକ୍ଟରଙ୍କ ଧାରଣା

ଡେପୁଟି କଲେକ୍ଟରଙ୍କ ଧାରଣା
  • ଦୁଇପୁଅଙ୍କ ସହ ଧାରଣାରେ ବସିଲେ, ବୁଝାଇଲେ ଏଡିଏମ
  • ଏନଜିଟି ଯୋଗୁଁ ଯୋଗଦାନକୁ ଗ୍ରହଣ କଲେନି ଜିଲ୍ଲାପାଳ

ବାରିପଦା : ପୁଣି ବିବାଦ ଘେରରେ ଜଣେ ଓଏଏସ । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଚାମ୍ବର ସମ୍ମୁଖରେ ପରିବାର ସହ ଧାରଣାରେ ବସି ଗଣମାଧ୍ୟମର ଶିରୋନାମାକୁ ଆସିଛନ୍ତି । ମହିଳା ପ୍ରଶାସନିକ ଅଧିକାରୀ ମମତାଜ ମହାରଣାଙ୍କ ଏହି ଆଚରଣଙ୍କୁ ନାପସନ୍ଦ କରାଯାଇଛି । 

  ମିଳିଥିବା ସୂଚନା ମୁତାବକ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ନମ୍ବର ଆରଡିଏମ-ଜିଓଇଏ ପିଜିଓଟି-୦୦୦୭-୨୦୧୭-୪୬୩୮୯- ୧୦/୧୨/୨୦୨୫ରେ ମମତାଜ ମହାରାଣାଙ୍କର ବଦଳି ଦେବଗଡ ଜିଲ୍ଲା ଡେପୁଟି କଲେକ୍ଟରରୁ ମୟୂରଭଞ୍ଜକୁ ହୋଇଥିଲା । ସେ ୧୧ ତାରିଖରେ ସେଠାରୁ ସେବା ନିବୃତ ହୋଇ ମୟୂରଭଞ୍ଜରେ ୧୫ରେ ଯୋଗଦେବାକୁ ଆସିଥିଲେ । ୧୬ ତାରିଖରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପରେ ତାଙ୍କ ଯୋଗଦାନ ନେଇ ଚିଠି ଦେଇଥିଲେ । ଏହା ସଂସ୍ଥାପନ ଶାଖାକୁ ଯାଇ ଜିଲ୍ଲାପାଳଙ୍କ ନିକଟରୁ ଆସିଥିଲା । ସେ ବଡସାହି ତହସିଲଦାର ରହିଥିବାବେଳେ ତାଙ୍କ ବିରୋଧରେ ଏନଜିଟିରେ ଦୁଇଟି ପୃଥକ ପୃଥକ ମାମଲା ବିଚାରରେ ରହିଥିବାରୁ ଜିଲ୍ଲାପାଳ ତାଙ୍କୁ ଏଠାରେ ଜଏନିଂ କରିବାକୁ ଦେଇନଥିଲେ । ଏନେଇ ସଂସ୍ଥାପନ ବିଭାଗ ପକ୍ଷରୁ ତାଙ୍କୁ ଅବଗତ କରାଯିବା ପରେ ସେ ଆଜି ଜିଲ୍ଲାପାଳଙ୍କ ନିକଟକୁ ଗୁହାରୀ କରିବାକୁ ପରିବାର ସହ ଆସିଥିଲେ । କିନ୍ତୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ନଥିବାରୁ ସେ ଦୁଇ ପୁଅଙ୍କ ସହ ଧାରଣାରେ ଦିନ ୧ଟାରୁ ଅପରାହ୍ନ ୪ଟା ଯାଏ ବସିରହିଥିଲେ । ପରେ ସେ ଉଠିଥିବାବେଳେ ଆସନ୍ତା ଦିନରେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥିତ ହୋଇ ଗୁହାରୀ କରିବେ ବୋଲି ଜଣାପଡିଛି। 


  ଏନେଇ ଓଏଏସ ମମତାଜ୍‌ ମହାରାଣା କହିଛନ୍ତିଯେ, ୨୦୨୦ରୁ ୨୦୨୨ ଏପ୍ରିଲ ଯାଏ ବଡସାହିରେ ତହସିଲଦାର ଭାବେ କାର୍ଯ୍ୟକରୁଥିଲେ । ଏହି ସମୟରେ ସେ ବାଲି ଖନନକୁ ନେଇ ବିବାଦୀୟ ହୋଇପଡିଥିଲେ । ତାଙ୍କ ବିରୋଧରେ ଏନଜିଟିରେ ମାମଲା ହେବା ପରେ ସେ ଦେଢବର୍ଷ ଆଇନଗତ ପକ୍ରିୟାରେ ରହିଥିଲେ । ୨୦୨୩ ଅକ୍ଟୋବରରେ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଦେବଗଡ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଯୋଗ ଦେଇଥିଲେ । ସେଠାରୁ ଚଳିତ ମାସ ବଦଳି ହୋଇ ଆସିବା ପରେ ଆଜି ଗୁହାରୀ କରିବାକୁ ଆସି ଧାରଣାରେ ବସିଥିବା ସେ କହିଛନ୍ତି ।


   ଏନେଇ ଏଡିଏମ ଇଶ୍ୱର ନାଏକ କହିଛନ୍ତିଯେ, ତାଙ୍କ ନାମରେ ଦୁଇଟି ଏନଜିଟି ମାମଲା ରହିଛି । ତାହା ବି ରାଜସ୍ୱ ବିଭାଗରେ, ତେଣୁ ଏହା ମାମଲା ପ୍ରତି ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ତାଙ୍କୁ ଜିଲ୍ଲାପାଳ ଜଏନିଂ କରିବାକୁ ଦେଲେନାହିଁ । ସେ ଆଜି ଧାରଣାରେ ନବସି ରାଜସ୍ୱ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟରେ ଅବଗତ କରିଥିଲେ ସେମାନେ ନିର୍ଦ୍ଦେଶକୁ ପରିବର୍ତ୍ତନ କରିଥାନ୍ତେ ଅବା ଅନ୍ୟ ବ୍ୟବସ୍ଥା କରିଥାନ୍ତେ । ସେ ଆଜି ୧ଟାରୁ ୪ଟା ଯାଏ ଏହିଠାରେ ଧାରଣାରେ ବସିଥିବାରୁ ସେନେଇ ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି ।