ରେଢାଖୋଲରେ ୨୪୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ଧର୍ମେନ୍ଦ୍ର

ସମ୍ବଲପୁର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ରେଢ଼ାଖୋଲ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଦଘାଟନ ସହ ପ୍ରାୟ ୨୪୫ କୋଟି ୫୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୦ଟି ଜନହିତକର ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ  କରିଛନ୍ତି । 


   ଏହି ଅବସରରେ ଶ୍ରୀ ପ୍ରଧାନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିବା ସହ ଓଡ଼ିଶା ଏବଂ ଦେଶ ପ୍ରତି ତାଙ୍କର ଅବଦାନକୁ ମନେପକାଇଥିଲେ । ସେ କହିଥିଲେ ଅଟଳଜୀ ଓଡ଼ିଶାର ବିକାଶ ପାଇଁ ସର୍ବଦା ପ୍ରତିବଦ୍ଧ ଥିଲେ ଏବଂ ମହାବାତ୍ୟା ସମୟରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ। ସମ୍ବଲପୁର-ତାଳଚେର ରେଳ ଲାଇନ୍‌ ତାଙ୍କର ଦୂରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଥିବା କହିଥିଲେ। ଆଜି ଭଳି ପବିତ୍ର ଦିବସରେ ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ରେଢ଼ାଖୋଲରେ ଶିକ୍ଷାର ମାନକୁ ବଢ଼ାଇବା ସହ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ । ରେଢ଼ାଖୋଲ ହେଉଛି ପବିତ୍ର ମାଟି । ଏହି ଅଞ୍ଚଳ କଥା ଆସିଲେ ଅନ୍ଧକାର ମଧ୍ୟରେ ଆଲୋକର ବର୍ତ୍ତିକା ଦେଖାଇଥିବା ମହିମା ଧର୍ମର ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ କଥା ଆସେ । ଏହି ମାଟି ହେଉଛି ତାଙ୍କର ସାଧନା ପୀଠ । ରେଢାଖୋଲ ହେଉଛି ଐତିହାସିକ ସ୍ଥାନ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ଭୀମମଣ୍ଡଳୀର ଐତିହାସିକ ଗୁରୁତ୍ୱକୁ ସାମ୍ନାକୁ ଆଣିଛି । ରେଢ଼ାଖୋଲରେ ଏକ ନୂତନ ‘ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ’ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ। ଆଜି ପ୍ରାୟ ୫୦୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହ ଯୋଡ଼ାଯାଇ ସେମାନଙ୍କୁ ସରକାରୀ ସୁବିଧା ହସ୍ତାନ୍ତର କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପରି ପ୍ରତ୍ୟେକ ମୌଳିକ କ୍ଷେତ୍ରରେ ରେଢ଼ାଖୋଲର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ଏକାଠି ହୋଇ ମିଳିମିଶି କାର୍ଯ୍ୟ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।