ବିଜେପି ଫୋକସରେ ପଞ୍ଚାୟତ ନିର୍ବାଚନ

ବିଜେପି ଫୋକସରେ ପଞ୍ଚାୟତ ନିର୍ବାଚନ


 ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ତିନି ପ୍ରମୁଖ ଦଳ ବି ତୃଣମୂଳସ୍ତରରେ ସଂଗଠନକୁ ମଜବୁତ୍‌ କରିବାରେ ଲାଗି ପଡ଼ିଛନ୍ତି  । ଆଗାମୀ ପଞ୍ଚାୟତ ନିର୍ବାଚନ ଉଭୟ ଶାସକ ବିଜେପି ଓ ବିଜେଡ଼ି ପାଇଁ ବଡ଼ ଆହ୍ୱାନ ସୃଷ୍ଟିକରିଛି  । ସମ୍ପ୍ରତି ରାଜ୍ୟର ଅଧିକାଂଶ ପଞ୍ଚାୟତ, ବ୍ଳକ ଓ ଜିଲ୍ଲା ପରିଷଦ ବିଜେଡ଼ି ଦଖଲରେ ରହିଛି  । ଏବେ ସରକାର ବଦଳି ଯାଇଥିବାରୁ ବିଜେପି ପଞ୍ଚାୟତ ଓ ପୌର ନିର୍ବାଚନରେ ଦବଦବା ଜାହିର କରିବାକୁ ଲକ୍ଷ୍ୟ ରଖିଛି  । ପଞ୍ଚାୟତ ଓ ପୌର ନିର୍ବାଚନ ହିଁ ରାଜ୍ୟ ସରକାରଙ୍କ ଗ୍ରହଣୀୟତାର ପ୍ରମାଣ ଦେବ  । ସେହିପରି ନବୀନ ବାବୁ ଓ ବିଜେଡ଼ି ପ୍ରତି ଲୋକଙ୍କର ଆସ୍ଥା ରହିଛି କି ନାହିଁ ତାହା ବି ଜଣାପଡ଼ିଯିବ  । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ଦଳକୁ ମଜବୁତ୍‌ କରିବା ପାଇଁ ବିଜେପି ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା  । ରାଜ୍ୟ କାର୍ଯ୍ୟାଳୟଠାରେ ପାର୍ଟିର ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଧାନସଭା ପ୍ରାର୍ଥୀଙ୍କୁ ନେଇ ଏକ ବିଶେଷ ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି  । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦଳର ସାଂଗଠନିକ କାର୍ଯ୍ୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ରାଜ୍ୟ ସାଧାରଣ ସଂପାଦକ ବରଞ୍ôଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି  । ବୈଠକ ସଂପର୍କରେ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତିଯେ, ବୈଠକରେ ବିଶେଷ କରି ଦଳର ସାଂଗଠନିକ ବ୍ୟବସ୍ଥାର ସମୀକ୍ଷା, ବୁଥ୍‌ ଠାରୁ ଆରମ୍ଭ କରି ଜିଲ୍ଲା କମିଟି ଗଠନ; ମଣ୍ଡଳ କମିଟି ଓ ବିଭିନ୍ନ ମୋର୍ଚ୍ଚା କମିଟି ଗଠନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସମସ୍ତ କାର୍ଯ୍ୟକୁ ତୁରନ୍ତ କିପରି ସମାପ୍ତ କରାଯିବ ତାର ଯୋଜନା ପ୍ରସ୍ତୁତ କରାଯାଇଛି  । ସେହିପରି ଗରିବମାନଙ୍କ କଲ୍ୟାଣ ଓ ଉତଥାନ ପାଇଁ ‘ଭିବି-ଜି-ରାମ୍‌ଜି’ ଯୋଜନାର ତୃଣମୂଳସ୍ତରରେ ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନକୁ ପ୍ରାଧାନ୍ୟ ଦିଆଯାଇଥିଲା  । ବିଜେପି ଏକ ରାଜନୈତିକ ଦଳ ଏବଂ ସବୁବେଳେ ନିର୍ବାଚନ ପାଇଁ ପୂର୍ବ ଓ ପୂର୍ଣ୍ଣ ପ୍ରସ୍ତୁତ ଥାଏ  । ସେହି ଆଧାରରେ ଆଗାମୀ ଦିନମାନଙ୍କରେ ହେବାକୁ ଥିବା ନିର୍ବାଚନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି  ।