ପୋକ୍ସୋ କୋର୍ଟର ଐତିହାସିକ ରାୟ : ନାବାଳିକା କୁକର୍ମକାରୀକୁ ମୃତ୍ୟୁଦଣ୍ଡ
ବରଗଡ଼ : ବରଗଡ ଜିଲ୍ଲା ପଦ୍ମପୁର ପୋକ୍ସୋ କୋର୍ଟ ଆଜି ଜଣେ ୬ ବର୍ଷର ନାବାଳିକାଙ୍କ ଦୁଷ୍କର୍ମ ଓ ନିର୍ମମ ହତ୍ୟା ସଂପର୍କିତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହାକୁ କୋର୍ଟ ମୃତ୍ୟୁଦଣ୍ଡ ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଏହାସହ ମୃତ ନାବାଳିକାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ନ୍ୟାୟ ସଂହିତାର ସଫଳ କାର୍ଯ୍ୟାନ୍ୱୟନ ଯୋଗୁଁ ରାଜ୍ୟରେ ଅପରାଧ ତଦନ୍ତ ଓ ନ୍ୟାୟ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇ ଦୋଷୀକୁ ଦଣ୍ଡାଦେଶ ସୁନିଶ୍ଚିତ କରାଯିବାର ଏହା ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ।
ମାମଲାର ବିବରଣୀ ଅନୁଯାୟୀ, ୨୦୨୪ ନଭେମ୍ବର ୧୫ରେ ବରଗଡ ଜିଲ୍ଲା ପାଇକମାଳ ଥାନା ଅଧିନ ସୋଦା ଗ୍ରାମରେ ଘଟିଥିବା ଏହି ଘଟଣା ସଂପର୍କରେ ଥାନାରେ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୁକ୍ତ ପ୍ରଶାନ୍ତ ବାଗ ନାବାଳିକାକୁ ଦୁଷ୍କର୍ମ କରିବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଏହି ସମ୍ବେଦନଶୀଳ ମାମଲାର ଅଭିଯୋଗ ପାଇବା ପରେ ବରଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସାହାଇ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା । ତତ୍କାଳୀନ ଥାନା ଇନ୍ସପେକ୍ଟର ମମତା ନାଏକ ଏହି ମାମଲାର ତଦନ୍ତ କରିଥିବା ବେଳେ ସରକାରୀ ଓକିଲ ଦ୍ୟୁତିଶ ଆଚାର୍ଯ୍ୟ ମାମଲାଟିକୁ ପରିଚାଳନା କରିଥିଲେ।
ତଦନ୍ତ ସମୟରେ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ, ଫୋରେନସିକ୍ ପ୍ରମାଣ ସହ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିର ଉପଯୋଗ କରାଯାଇଥିଲା । ପୋକ୍ସୋ କୋର୍ଟ ମୋଟ ୩୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ଦୃଢ଼ ପ୍ରମାଣ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୪୦(୧), ୧୦୩, ୬୫(୨), ୬୬ ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ସହିତ ଆଜୀବନ କାରା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟଯେ, ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହେବା ପରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧର ତ୍ୱରିତ ବେଗରେ ତଦନ୍ତ ଏବଂ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଦଣ୍ଡାଦେଶ ହାର ମଧ୍ୟ ବୃଦ୍ଧି ପାଇଛି । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବରଗଡ଼ ଜିଲ୍ଲା ଏସପିଙ୍କ ସମେତ ସରକାରୀ ଓକିଲ ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହେବାପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି ।
Samir Kumar Rout