ରାହୁଲ-ଶାହ ମୁହାଁମୁହିଁ

ରାହୁଲ-ଶାହ ମୁହାଁମୁହିଁ

ନୂଆଦିଲ୍ଲୀ, : ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଏକ ମନ୍ତବ୍ୟ  ହଟ୍ଟଗୋଳ ସୃଷ୍ଟି କରିଥିଲା । ପୂର୍ବତନ ସେନା ମୁଖ୍ୟଙ୍କ ପୁସ୍ତକକୁ ନେଇ ଗୃହରେ ହଙ୍ଗମା ଦେଖା ଦେଇଥିଲା । ଚୀନ୍‌ ଓ ଡୋକଲାମକୁ ନେଇ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭାଣେ ଲେଖିଥିବା ଉଦ୍ଧୃତାଂଶକୁ ଗୃହରେ ଉପସ୍ତାପନ କରିଥିଲେ ରାହୁଲ । ସେ  ଦାବି କରିଥିଲେ ଯେ, ନରଭାଣେଙ୍କ ପୁସ୍ତକରେ ଉଲ୍ଲେଖ ଅଛି, ଡୋକଲାମରେ ଭାରତୀୟ ସୀମା ନିକଟରେ ଏବେ ବି ଚୀନ୍‌ର ଟ୍ୟାଙ୍କ ମହଜୁଦ ଅଛିି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ପୁସ୍ତକ ଉପରେ ଆପତ୍ତି ଉଠାଇଥିଲେ । ସେ କହିଥିଲେ,ଏକ ଅପ୍ରକାଶିତ ପତ୍ରିକା କାହାଣୀକୁ ନେଇ ଏପରି କହିବା ଗୃହର ନିୟମକୁ ଉଲ୍ଲଂଘନ କରୁଛି । ରାହୁଲ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ଉତ୍ସ ନିର୍ଭରଯୋଗ୍ୟ ଓ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ନରଭାଣେଙ୍କ ଅପ୍ରକାଶିତ ସ୍ମୃତିରୁ ଅଣାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ରାହୁଲଙ୍କ ଦାବି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଶାହ କହିଥିଲେ, କଂଗ୍ରେସ ସାଂସଦ ଯାହା କହିଛନ୍ତି ତାହା ସତ୍ୟ ନୁହେଁ । ରାହୁଲ ନିଜେ କହିଛନ୍ତି ଯେ, ପୁସ୍ତକ ପ୍ରକାଶିତ ହୋଇନାହିଁ । ଆମେ କିପରି ଏକ ପୁସ୍ତକର ଉଦ୍ଧୃତିର ଉଦାହରଣ ଦେଇପାରିବୁ ଯାହା ପ୍ରକାଶିତ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ସମ୍ବାଦପତ୍ର କ୍ଲିପିଂ, ପୁସ୍ତକ କିମ୍ବା ଅନ୍ୟାନ୍ୟ ଏପରି ଜିନିଷ ଯାହା ପ୍ରାମାଣିକ ନୁହେଁ ତାହା ଗୃହରେ ଉଦ୍ଧୃତି କରାଯାଇପାରିବ ନାହିଁ ବୋଲି ଶାହ କହିଥିଲେ । ବାଚସ୍ପତି ଓମ ବିର୍ଲା ଜୋର ଦେଇ କହିଥିଲେ, ଗୃହ କାର୍ଯ୍ୟ ସହ ସମ୍ପର୍କିତ ନଥିବା କୌଣସି ପୁସ୍ତକରୁ ଉଦ୍ଧୃତ ଅଂଶକୁ ଏଠାରେ ପ୍ରକାଶ କରିବାର ଅନୁମତି ନାହିଁ । ବାରମ୍ବାର ମୁଲତବୀ ପରେ ରାହୁଲ ପୂର୍ବତନ ସେନା ମୁଖ୍ୟ ନରଭାଣେଙ୍କ ଅପ୍ରକାଶିତ ସ୍ମୃତି ଉପରେ ନିଜ ଦାବିରେ ଦୃଢ ରହିବା ପରେ ଶେଷରେ ଲୋକସଭାକୁ ଦିନକ ପାଇଁ ମୁଲତବୀ କରାଯାଇଥିଲା ।
ସୂଚନାଯୋଗ୍ୟ, ୨୦୨୦ ଅଗଷ୍ଟ ୩୧ ତାରିଖ ରାତିରେ ଚୀନ୍‌ ଟ୍ୟାଙ୍କଗୁଡ଼ିକ ପଦାତିକ ବାହିନୀର ସମର୍ଥନ ସହିତ ଲଦାଖର ରେଚିନ୍‌ ଲାରେ ଭାରତୀୟ ପୋଷ୍ଟଠାରୁ କିଛି ଶହ ମିଟର ଦୂରତା ପର୍ଯ୍ୟନ୍ତ ଆଗକୁ ବଢ଼ିଥିଲେ । ସେନା ମୁଖ୍ୟ ଜେନେରାଲ ନାରଭାଣେ ତୁରନ୍ତ ରାଜନୈତିକ ନେତୃତ୍ୱଙ୍କଠାରୁ ନିର୍ଦ୍ଦେଶ ମାଗିଥିଲେ କିନ୍ତୁ ତାଙ୍କୁ କୁହାଯାଇଥିଲା ଯେ ଚୂଡ଼ାନ୍ତ ଅନୁମତି ନମିଳିବା ପର୍ଯ୍ୟନ୍ତ କୌଣସି ଆକ୍ରମଣ କରାଯିବା ଉଚିତ୍‌ ନୁହେଁ । ବିପଦ ବଢ଼ିବା ସହିତ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବାରମ୍ବାର ଫୋନ୍‌ କରାଯାଇଥିଲା କିନ୍ତୁ କୌଣସି ସ୍ପଷ୍ଟ ରାଜନୈତିକ ଦିଗଦର୍ଶନ ଦିଆଯାଇ ନଥିଲା । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ରାତି ୧୦ଟା ୩୦ ରେ ନରଭାଣେଙ୍କୁ କୁହାଯାଇଥିଲା: ଆପଣ ଯାହା ଉପଯୁକ୍ତ ମନେ କରନ୍ତି ତାହା କରନ୍ତୁ ବୋଲି ନରଭାଣେଙ୍କ ‘ଫୋର୍‌ ଷ୍ଟାର୍‌ ଅଫ୍‌ ଡେଷ୍ଟିନି' ଓ କାରାଭାନ୍‌ ପତ୍ରିକାର ଆର୍ଟିକିଲ୍‌ ଯେଉଁଥିରେ ଅପ୍ରକାଶିତ ପୁସ୍ତକର ଅଂଶ ଉଦ୍ଧୃତ କରାଯାଇଛି ।