ସଫାରୀ ଗାଡ଼ି ଧକ୍କାରେ ଦୁଇ ମୃତ
କଳାହାଣ୍ଡି : ଧର୍ମଗଡ଼ ଥାନା ଥନଟଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଫାରୀ ଗାଡ଼ି ଧକ୍କା ଦେବା ଫଳରେ ଦୁଇଜଣଙ୍କର ମୃତ ହୋଇଛି । ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଥନଟଗାଁର ଲିଙ୍ଗରାଜ ଦୁର୍ଗା ଓ ଲଳିତ ତାଣ୍ଡି ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଦୁଇ ସାଙ୍ଗ ଥନଟରୁ ଧର୍ମଗଡ଼ ସ୍କୁଟି ଯୋଗେ ଯାଉଥିଲେ । ବିଜୁ ଏକ୍ସପ୍ରେସ୍ ୱେର କେବିଡ଼ି ଛକ ନିକଟରେ ଏକ ସଫାରୀ ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣ ସ୍କୁଟିରୁ ଛିଟ୍କି ପଡିଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଥିବା ବେଳେ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଏହାସହ ଦୁର୍ଘଟଣା ଘଟାଇଥିବା ସଫାରୀ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।