ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ
ଆଉ ନାହାନ୍ତି ବିଶିଷ୍ଟ ଘୋଡ଼ାନାଚ କଳାକାର ଡ. ଉତ୍ସବ ଚରଣ ଦାସ । ଅସୁସ୍ଥତା କାରଣରୁ ଚୌଦ୍ୱାରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘୋଡ଼ାନାଚକୁ ରାଜ୍ୟ ଏବଂ ଦେଶ ବିଦେଶରେ ପରିବେଷଣ କରୁଥିଲେ ଉତ୍ସବ ଚରଣ ଦାସ । ସ୍ୱର୍ଗତ ଦାସ ଘୋଡ଼ାନାଚ ଶିଳ୍ପୀ ଭାବେ ଭାରତ ସରକାରଙ୍କ ଦ୍ୱାରା ୨୦୨୧ ମସିହାରେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ । ପାରମ୍ପରିକ ଘୋଡ଼ାନାଚକୁ ଉଜ୍ଜୀବିତ ରଖିବାରେ ତାଙ୍କର ବେଶ୍ ଅବଦାନ ଥିଲା ।
୧୯୪୫ ମସିହା ଏପ୍ରିଲ ୧୪ରେ କଟକ ଟାଙ୍ଗୀ ଚେଦ୍ୱାରସ୍ଥିତ ମଣିଆ ଗାଁରେ ଜନ୍ମିତ ଉତ୍ସବଙ୍କର ପିଲାବେଳୁ ଘୋଡ଼ାନାଚ ପ୍ରତି ଆକର୍ଷିତ ହୋଇଥିଲା । ଶୈଶବରୁ ଚିତ୍ରକଳା, ଭାସ୍କର୍ଯ୍ୟ ଓ ଅନ୍ୟାନ୍ୟ କଳାରେ ବିଶେଷ ଆଗ୍ରହୀ ଥିଲେ । ୧୯୬୪ରେ ଦଶମ ପଢିବା ସମୟରେ ସଂଗୀତ କଳା ସଂସଦ ନାମରେ ଏକ ସାଂସ୍କୃତିକ ସଂଗଠନ ଗଠନ କରିଥିଲେ । ଉତ୍ସବ ଚରଣ ଦାସ ଘୋଡାନାଚକୁ ଜାତୀୟ ଓ ବିଶ୍ୱ ମଞ୍ଚରେ ପରିଚିତ କରାଇ ଓଡ଼ିଶାର ସାଂସ୍କୃତିକ ଗୌରବ ବଢାଇ ଥିଲେ ।