ଇନାମି ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଏକ ଗୁଳି ବିନିମୟ ଘଟଣା ଘଟିଛି । ଯେଉଁଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ କୁଖ୍ୟାତ ମାଓବାଦୀ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ଭୈରମଗଡ ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ପୁଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ତଲାସି ଅଭିଯାନ । ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀ ମାନେ ଘଟଣା ସ୍ଥଳରୁ ପଳାୟନ କରିଥିବା ବେଳେ ଯବାନମାନେ ଅଞ୍ଚଳରେ ପୁନଃ ତଲାସି କରିବା ବେଳେ ଘଟଣା ସ୍ଥଳରୁ ଜଣେ ମାଓବାଦୀଙ୍କ ମୃତ ଦେହ ଜବତ କରିଥିଲେ । ମୃତ ମାଓବାଦୀ ଜଣଙ୍କ ଭୈରମଗଡ ଏରିଆ କମିଟି ମେମ୍ବର ଫଗନୁ ମାଡଭି । ତାଙ୍କ ନାମରେ ପୂର୍ବରୁ ଛତିଶଗଡ ସରକାର ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏହାସହ ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ, ଗୋଟିଏ ପିସ୍ତଲ, ରେଡିଓ, ମେଡିକାଲ କିଟ୍, କୋଡେକ୍ସ ତାର ସହ ନକ୍ସଲ କିଟ ବ୍ୟାଗ୍ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି ।
Samir Kumar Rout