ଯାଜପୁର ବିଜେଡ଼ି : ଏପଟେ ଦୁର୍ଗ ଭାଙ୍ଗୁଛି, ସେପଟେ କଳି ବଢୁଛି

ଯାଜପୁର ବିଜେଡ଼ି : ଏପଟେ ଦୁର୍ଗ ଭାଙ୍ଗୁଛି, ସେପଟେ କଳି ବଢୁଛି
  • ବବିଙ୍କୁ କାଗଜ ବାଘ କହିଲେ ଡାନି

  • ପ୍ରମିଳାଙ୍କ ଘରେ ଗଡ଼ ରକ୍ଷା ବୈଠକ


ଭୁବନେଶ୍ୱର : ଯାଜପୁର ବିଜେଡ଼ି ଦୁର୍ଗ ଭୁଷୁଡ଼ିବାରେ ଲାଗିଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କୋରେଇ ବିଧାୟକ ଆକାଶ ନାୟକ ଓ ବଡ଼ଚଣା ବିଧାୟକ ଅମର ନାୟକ ବିଜେଡ଼ି ଦୁର୍ଗକୁ ତିନି ପଟୁ ପ୍ରହାର କରିବାରେ ଲାଗିଛନ୍ତି । ଯାହାକି ବିଜେଡ଼ି ଶିବିରକୁ ଥରାଇ ଦେଇଛି କହିଲେ ଭୁଲ୍‌ ହେବନାହିଁ । ହେଲେ ଏହି ବିଜେଡ଼ି ଗଡ଼ ଦୋହଲିବାର କାରଣ, ଦଳର ଦୁର୍ବଳ ସଂଗଠନ ନୁହଁ, ବରଂ ବିଜେଡ଼ିର ତୁଙ୍ଗ ନେତାଙ୍କ ମଧ୍ୟରେ ତୀବ୍ର ଅନ୍ତର୍ବିବାଦ ହିଁ ଦାୟୀ ବୋଲି କୁହାଯାଉଛି । 


 ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଳିକଙ୍କ ଘରେ ଯାଜପୁର ନେତାଙ୍କ ବୈଠକ ବସିଥିଲା । ବୈଠକରେ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡେ଼ଇ, ପ୍ରଣବ ବଳବନ୍ତରାୟ, ବିଶ୍ୱରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବବି ଓ ଡାନି ପାଖାପାଖି ବସି କଥା ବି ହେଉଥିଲେ । ସେମାନେ ଏକାଠି ଅଛନ୍ତି ବୋଲି ଏକ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଉଥିଲା । ହେଲେ ପଦାକୁ ଆସି ଡାନି ଗଣମାଧ୍ୟମକୁ ଯାହା କହିଲେ, ସେଥିରୁ ବବି-ଡାନିଙ୍କ ଭିତରେ ବିରାଟ ଫାଟ ଥିବା ସ୍ପଷ୍ଟ ହୋଇଯାଇଥିଲା । କୋରେଇର ଏକ ସଭାରେ ବବି ନାଁ ନନେଇ ଡାନିଙ୍କୁ ଆକ୍ଷେପ କରିଥିଲେ । ଆଜି ବୋଧହୁଏ ମଉକା ପାଇ ଡାନି ବି ପାଲଟା ଆକ୍ରମଣ କରିଥିଲେ । ଡାନି କହିଥିଲେଯେ, ନିଜକୁ ଜିଲ୍ଳାର ବାଘ କହୁଥିବା ନେତା ପ୍ରକୃତରେ କାଗଜ ବାଘ । ସେ ଆଉ ଚଳିବ ନାହିଁ । ନେତୃତ୍ୱ ବଦଳିବାର ସମୟ ଆସିଛି । ଯିଏ ସମସ୍ତଙ୍କ ମନର କଥା ବୁଝିପାରିବେ । ଭୋଟର ଏବେ ନୂଆ ନେତା ଖୋଜୁଛନ୍ତି । ଖାଲି ଯାଜପୁର ନୁହେଁ ପୂରା ଓଡ଼ିଶାରେ ଦଳ ପରିଚାଳନା ଦାୟିତ୍ୱରେ ନବାଗତଙ୍କୁ ସୁଯୋଗ ଦେବାର ସମୟ ଆସିଛି । ଭୋଟରଙ୍କ ମନ ଅନୁଯାୟୀ ପଦକ୍ଷେପ ନନେଲେ ପଞ୍ଚାୟତ ନିର୍ବାଚନରେ ସ୍ଥିତି ଭୟଙ୍କର ହେବ । 


   ଅତଏବ ଯାଜପୁର ରାଜନୀତିରେ ବିଜେଡ଼ି ଏବେ ଦୁର୍ବଳ ହେବାରେ ଲାଗିଛି ବୋଲି ଡାନି ସ୍ୱୀକାର କରିଛନ୍ତି । ଏଥିପାଇଁ ନବୀନ ବାବୁଙ୍କ ହସ୍ତକ୍ଷେପ ବି ଲୋଡ଼ିଛନ୍ତି । ଯାଜପୁର କଳି ଏବେ ନବୀନଙ୍କୁ ବି ଅକଳରେ ପକାଇଦେଇଛି କହିଲେ ଭୁଲ୍‌ ହେବନାହିଁ । ଧର୍ମଶାଳାରେ ଲିକୁଙ୍କ ପ୍ରଭାବ ବଢ଼ିବାରେ ଲାଗିଛି । ପ୍ରଣବ ବଳବନ୍ତରାୟଙ୍କୁ ବବି ଓ ଡାନି ଆବଶ୍ୟକୀୟ ସହଯୋଗ ଦେଉନଥିବା ବି ଦେଖିବାକୁ ମିଳୁଛି । ସେପଟେ କୋରେଇରୁ ନେତାମାନେ ଦଳ ଛାଡ଼ିବା ଘଟଣା ବବିଙ୍କ ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଡାନି ସୁକିନ୍ଦାର ସଂଗଠନ କଥା ବୁଝୁଥିଲେବି ପୂର୍ବରୁ ସେ କୋରେଇର ବିଧାୟକ ଥିଲେ । ତେଣୁ କୋରେଇ ଉପରେ ତାଙ୍କର ଲୋଭ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରମିଳା ମଲ୍ଲିକ ଦଳ ଭିତରେ ଫାଟ ନାହିଁ ବୋଲି କହୁଥିଲେବି ବାସ୍ତବତା କ’ଣ ସେ ଭଲଭାବେ ଜାଣିଛନ୍ତି । ନିକଟରେ ପାଖାପାଖି ଦେଢ଼ ଡଜନ ଜିଲ୍ଲା ପରିଷଦ ସଭ୍ୟ, ବ୍ଳକ ଅଧ୍ୟକ୍ଷ ଓ ଟାଣୁଆ ନେତା ଦଳ ଛାଡ଼ିଥିଲେବି ବବି-ଡାନି ଭିତରେ କଳିକୁ ନେଇ ବିଜେଡ଼ି କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କଂଗ୍ରେସ ଏମିତି କ୍ଷମତା କଳି କରୁଥିବାରୁ ଆଜି ନଣ୍ଡା ହୋଇବସିଛି । ୨୦୦୦ରୁ ଦଳ କ୍ଷମତାକୁ ଫେରି ପାରୁନାହିଁ । ଆଗାମୀ ଦିନରେ ଯଦି ବିଜେଡ଼ିରେ ଏମିତି ଯୁଦ୍ଧ ଚାଲେ ତେବେ ଯାଜପୁର ସାରା ପଦ୍ମମୟ ହୋଇଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।