ଯୁଦ୍ଧ ନୁହେଁ ଶାନ୍ତି

ଭାରତୀୟ ଜୀବନ ଦର୍ଶନ କେବେବି ସାମ୍ରାଜ୍ୟବାଦୀ ସ୍ୱାର୍ଥ ବା ଶକ୍ତି ପ୍ରଦର୍ଶନ ପାଇଁ ଯୁଦ୍ଧର ଆବଶ୍ୟକତାକୁ ସ୍ୱୀକାର କରେନାହିଁ । ଏକଥା ମଧ୍ୟ ଆଶ୍ଚର୍ଯ୍ୟ ଲାଗିପାରେ ଯେ ଯେଉଁ ପରମ୍ପରାରେ ଯୁଦ୍ଧର ନାୟକଙ୍କୁ ମହାମାନବ ବୋଲି କୁହାଯାଏ ସେହି ପରମ୍ପରା ମଧ୍ୟ ସହ- ଅସ୍ତିତ୍ୱ, ଶାନ୍ତି ଏବଂ ସୌହାର୍ଦ୍ଦ୍ୟର କଥା କହିଥାଏ । ଯେତେବେଳେ ବ୍ୟକ୍ତି ବା ସମାଜର ସମ୍ମାନ ଏବଂ ସ୍ୱାଭିମାନକୁ ବଞ୍ଚାଇବାର ପରିସ୍ଥିତି ଦେଖାଦିଏ ଅଥବା ଅସ୍ତିତ୍ୱକୁ ଅକ୍ଷୁଣ୍ଣ ରଖିବାର ସ୍ଥିତି ଉପୁଜେ ସେତେବେଳେ ଯୁଦ୍ଧକୁ ବିକଳ୍ପ ଭାବେ ଗ୍ରହଣ କରାଯାଇଥାଏ ।  ରାମାୟଣରେ ରାମ ରାବଣର ସେନାକୁ ପରାଜିତ କରିଥିଲେ ଓ ରାବଣକୁ ବଧ କରିଥିଲେ ବୋଲି ଉଲ୍ଲେଖ ରହିଛି । କିନ୍ତୁ ରାମ କେବେହେଲେ ରାବଣର ବିଦ୍ମତା (ବିଦ୍ୱାନତା)କୁ ଅସମ୍ମାନ କରିନାହାଁନ୍ତି । ସେତୁବନ୍ଧ ପ୍ରତିଷ୍ଠା ପାଇଁ ସେ ରାବଣକୁ ହିଁ ଡାକିଥିଲେ । କିନ୍ତୁ ରାବଣର ଉନ୍ମାଦର ଅନ୍ତ ପାଇଁ ତାକୁ ବଧ କରିଥିଲେ । କଳିଙ୍ଗ ଯୁଦ୍ଧ ପରେ ସାମରିକ ହିଂସା ଯୋଗୁଁ କ୍ଷୁବ୍ଧ ମୌର୍ଯ୍ୟ ସମ୍ରାଟ ଅଶୋକ ଅହିଂସା ମାର୍ଗକୁ ଆପଣେଇ ନେଇଥିବା କଥା ଇତିହାସରେ ଉଲ୍ଲେଖ ରହିଛି । ଅଶୋକଙ୍କୁ ଜଣେ ବଡ଼ ଯୋଦ୍ଧା ବୋଲି ଇତିହାସ ମନେରଖିନି ବରଂ ମନେରଖିଛି ସେ ଶାନ୍ତି ଓ ସମସ୍ତଙ୍କ କଲ୍ୟାଣର ମାର୍ଗକୁ ଆପଣେଇ ନେଇଥିବା କାରଣରୁ । ଭାରତୀୟ ସାଂସ୍କୃତିକ ଚେତନା ଯୁଦ୍ଧ ନୁହେଁ ଶାନ୍ତିର ଉଦ୍‌ଘୋଷକ ଅଟେ । କିନ୍ତୁ ଧର୍ମ, ନ୍ୟାୟ ଓ ସତ୍ୟର ରକ୍ଷା ପାଇଁ ଆବଶ୍ୟକ ପଡ଼ିଲେ ଯୁଦ୍ଧ କରିବାକୁ ପଡ଼ିଲେ ମଧ୍ୟ ପଛଘୁଞ୍ଚା ଦେବାର ନାହିଁ । ନିଜ କିଲ୍ଲାର ସୁରକ୍ଷା ପାଇଁ ଯୁଦ୍ଧ କରିଥିବା ବୀରାଙ୍ଗନା କୁମ୍ଭା ଜାଣିଥିଲେ ଯେ ସେନା ସମ୍ମୁଖରେ ସେ ଏକାକୀ କିଲ୍ଲା ସୁରକ୍ଷା ପାଇଁ ଲଢେଇ କରିପାରିବେ ନାହିଁ କିନ୍ତୁ ଲେଢେଇ କରିଥିଲେ । 
ଗୋପାଳ ମହାପାତ୍ର ,ମୋ- ୯୪୩୮୪୮୫୦୯୪