ବୋଲେରୋ ସହ ଗଞ୍ଜେଇ ଜବତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଥମିବାର ନା ଧରୁନି ଗଞ୍ଜେଇ କାରବାର । ଜିଲ୍ଲାରୁ ଏହି ଗଞ୍ଜେଇ କାରବାର ଓ ଗଞ୍ଜେଇ ଚାଷକୁ ସମୁଳେ ବିନାଶ କରିବା ପାଇଁ ରାଜ୍ୟ ପୁଲିସ ମୁଖିଆଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ଏକମାସ ହେଲା ବିଭିନ୍ନ ଥାନା ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଏବଂ ଅପରେସନ ନିଳ ଜହର ଜାରିରହିଥିବା ବେଳେ ଗଞ୍ଜେଇ ଚାଷର ପରିମାଣ ଏତେ ମାତ୍ରାରେ ହୋଇଛି ଯେ ପୁଲିସ, ଅବକାରୀ ବିଭାଗ ଓ ବନ ବିଭାଗ କର୍ମଚାରୀ ମାନେ ମିଳିତ ଭାବରେ ସହସହ ଏକର ଗଞ୍ଜେଇ ଗଛ କାଟି ଚାଲିଥିଲେ ମଧ୍ୟ ଗଛ କଟା ସରିପାରୁନି । ସେପଟେ ଗଞ୍ଜେଇ ଗଛ କଟା ଜାରି ରହିଥିବା ବେଳେ ଅନ୍ୟପଟେ କିଛି ମାଫିଆ ବେଧଡକ୍ ଭାବରେ ଗଞ୍ଜେଇ ଚାଲାଣ କରି ଚାଲିଛନ୍ତି ତେବେ ଏହି ପରିପେକ୍ଷୀରେ କିଛିଦିନର ନୀରବତା ପରେ ପୁଣି ଗୋଛାପଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା ।
ଶୁକ୍ରବାର ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବୋଲେରୋ ମାଲ ବୋଝେଇ ଗାଡିରୁ ୩୭୮ କିଲୋ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗାଡିର ଡ୍ରାଇଭରକୁ ଗିରଫ କରିଛି ଗୋଛାପଡା ପୁଲିସ । ପୁଲିସର ସୂଚନା ଅନୁସାରେ ଶୁକ୍ରବାର ଗୋଛାପଡା ଥାନ ଅଧିକାରୀ ଚିରଞ୍ଜୀବ ବେହେରା ନିର୍ଦ୍ଧେଶକ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗୋଛାପଡା ଠାରୁ ଫୁଲବାଣୀ ଯାଇଥିବା ମୁଖ୍ୟ ରାସ୍ତାର କାଟ୍ରାମାଲା ଗାଁ ଛକ ନିକଟରେ ଗାଡିଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡିରୁ ଗଞ୍ଜେଇ ଭର୍ତି ପନ୍ଦର ଟି ବସ୍ତା ମିଳିଥିଲା । ତତକ୍ଷଣାତ୍ ଉକ୍ତ ଟିମ୍ ଗାଡିର ଡ୍ରାଇଭରକୁ ଧରି ପଚରା ଉଚୁରା କରିବା ପରେ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ ଆଞ୍ଚଳରୁ ଫୁଲବାଣୀ ଅଭିମୁଖେ ଗଞ୍ଜେଇ ଚାଲାଣ କରୁଥିବା ଡ୍ରାଇଭର ଜଣକ କହିଥିଲା । ଏଥିସହିତ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବା ସହ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଗିରଫ ଡ୍ରାଇଭର ଜଣକ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଗୁଦାରୀ ପଞ୍ଚାୟତ ଶ୍ରୀରାମ ନଗରର ପ୍ରମୋଦ କୁମାର ସାହୁ ।
Samir Kumar Rout