କୋରାପୁଟକୁ ୫୪୫ କୋଟିର ‘ପରବ’ ଭେଟି 

   କୋରାପୁଟକୁ ୫୪୫ କୋଟିର ‘ପରବ’ ଭେଟି 

କୋରାପୁଟ ମାଟି ସରଳତା ଓ ଭଲ ପାଇବାର ମହକ ବାଣ୍ଟିଥାଏ : ମୁଖ୍ୟମନ୍ତ୍ରୀ 

କୋରାପୁଟ : ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ‘ପରବ’ ତା’ର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଏହି ମହୋତ୍ସବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୨୫ ର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଇ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ପାଇଁ ୫୪୫ କୋଟି ଟଙ୍କା ମୂଲ୍ୟର ୮୬ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୨୪ କୋଟି ଟଙ୍କା ମୂଲ୍ୟର ୧୬ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୫୨୧ କୋଟି ଟଙ୍କା ମୂଲ୍ୟର ୭୦ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ସବୁ ପ୍ରକଳ୍ପଗୁଡିକ କୋରାପୁଟର ବିକାଶକୁ ଆଗେଇ ନେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 


   ମୁଖ୍ୟମନ୍ତ୍ରୀ ପ୍ରଥମେ ଶହିଦ ଲକ୍ଷ୍ମଣ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଥିଲେଯେ, ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲା ପ୍ରକୃତିର ଅନନ୍ୟ ବରଦାନ ଭାବେ ସାରା ବିଶ୍ୱରେ ପରିଚିତ । କୋରାପୁଟ ମାଟି ସମାଜରେ  ଶାନ୍ତି, ସରଳତା ଓ ଭଲପାଇବାର ମହକ ବାଣ୍ଟି ଥାଏ । କୋରାପୁଟ ମାଟିର ଉତ୍ପାଦିତ କଫି, କଳା ଜିରା ଧାନ ଏବଂ କୋଟପାଡର ଶାଢୀ କେବଳ ଓଡିଶାରେ ନୁହେଁ ସମଗ୍ର ଦେଶ ବିଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ । ସେ ପୁଣି କହିଥିଲେ, ଶ୍ରୀ ଅନ୍ନ ଭାବେ ପରିଚିତ ମିଲେଟ ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ମଧ୍ୟ କୋରାପୁଟ ଜିଲ୍ଲାର ସୁନାମ ରହିଛି । ମିଲେଟ ଜାତୀୟ ଚାଷ କ୍ଷେତ୍ରରେ ଜିଲ୍ଲାର ଅଗ୍ରଣୀ ମହିଳା ଚାଷୀ ତଥା ସଂରକ୍ଷକ ଡ. ରାଇମତି ଘିଉରିଆଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । କୋରାପୁଟ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ବିକାଶକୁ ସୁଦୃଢ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଜିଲ୍ଲାର ଚାଷୀମାନଙ୍କୁ କୃଷି କାର୍ଯ୍ୟ ସହିତ ମାଛ ଚାଷ, ଗୋପାଳ, କୁକୁଡା ଓ ବତକ ପାଳନ ପରି ଆନୁଷଙ୍ଗିକ କୃଷି  କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରବ ପାଇଁ ଏକ ସ୍ୱତନ୍ତ୍ର ଜାକେଟ ଏବଂ ଏକ ଭିଡିଓ ସଙ୍ଗ ଉନ୍ମୋଚନ କରିଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେଯେ, କୋରାପୁଟର ଆଦିବାସୀ ସଂସ୍କୃତି ଅତି ସମୃଦ୍ଧ । ଜିଲ୍ଲାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣି ଆଗେଇନେବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟରତ ଅଛନ୍ତି । 


    ଅନୁସୂଚିତ ଜନଜାତି ଓ  ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ, ଆମ ସଂସ୍କୃତି, ଆମ ପରମ୍ପରା ଏବଂ ଆମ ଐତିହ୍ୟକୁ ନେଇ ଆମେ ସବୁବେଳେ ଗର୍ବ କରିଥାଉ । ଆମ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପରବ ଏକ ସୁନ୍ଦର  କାର୍ଯ୍ୟକ୍ରମ । ପରବ କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, କୋଟପାଡ ବିଧାୟକ ରୁପୁ ଭତ୍ରା, ଏବଂ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ପ୍ରମୁଖ ପରବ ମହୋତ୍ସବ ପାଇଁ ଜିଲ୍ଲାବାସୀଙ୍କୁ ଶୁଭେଛା ଜଣେଇ କହିଥିଲେଯେ, ରାଜ୍ୟରେ ବାଲିଯାତ୍ରା ପରେ କୋରାପୁଟର ପରବ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ସୁନାମ ବୃଦ୍ଧି କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଏହି ମହୋତ୍ସବରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ କୋରାପୁଟ ବିଧାୟକ ରଘୁରାମ ମାଛ ଧନ୍ୟବାଦ ଅର୍ପଣ କରିଥିଲେ ।