ଭୋଟ୍‌ ଚୋରିକୁ ନେଇ ବିଜେଡ଼ିକୁ ବିଜେପିର ଜବାବ ‘ବିଜେଡ଼ି ଅସ୍ତଗାମୀ ଦଳ’

ଭୋଟ୍‌ ଚୋରିକୁ ନେଇ ବିଜେଡ଼ିକୁ ବିଜେପିର ଜବାବ ‘ବିଜେଡ଼ି ଅସ୍ତଗାମୀ ଦଳ’


 ଭୁବନେଶ୍ୱର :ବିଜୁ ଜନତା ଦଳ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେବା ପରେ ନେତାମାନେ ମାନସିକ ଅବସାଦରେ ଅଛନ୍ତି  । ସେ ଦୃଷ୍ଟିରୁ ସେମାନେ କ’ଣ ବୟାନବାଜି କରୁଛନ୍ତି ଜାଣି ପାରୁନାହାନ୍ତି  । ବିଜେଡି ଓଡିଶା ରାଜନୀତିର ଅସ୍ତଗାମୀ ରାଜନୈତିକ ଦଳ ହେବାକୁ ଯାଉଛି  । ଲୋକେ ପ୍ରତ୍ୟାଖ୍ୟାନ କରିଥିଲେବି ବିଜେଡ଼ି ଏବେ ଇଭିଏମ ଉପରେ ଦୋଷ ଲଦୁଛି  । ହେଲେ ଦଳର ୭୫ ହଜାର ଏଜେଣ୍ଟ ସି ଫର୍ମ କାହିଁକି ଆଣିନଥିଲେ, ଯଦି ତାଙ୍କୁ ଦିଆଗଲାନି ସେନେଇ ସେତେବେଳେ କାହିଁକି ପ୍ରଶ୍ନ ଉଠାଇ ନଥିଲେ ବୋଲି ବିଜେପି ପଚାରିଛି  । ଦଳର ସାଧାରଣ ସମ୍ପାଦକ ବିରଞ୍ôଚ ନାରାୟଣ ତ୍ରିପାଠୀ କହିଛନ୍ତିଯେ, ନିର୍ବାଚନର ଦୀର୍ଘଦିନ ପରେ ବିଜେଡି ଏବେ ଇଭିଏମ୍‌ ଓ ୧୭ସି ଫର୍ମ ପ୍ରସଙ୍ଗ ଉଠାଇଛି  । ଯେବେଠାରୁ ଇଭିଏମ୍‌ ଦେଶରେ ଲାଗୁହୋଇଛି, ତା’ପରଠାରୁ ହୋଇଥିବା ୫ ନିର୍ବାଚନରୁ ୪ଟିରେ ବିଜେଡି ବିଜୟୀ ହୋଇଛି  । ଜିତିବାବେଳେ ସେମାନେ ଇଭିଏମ୍‌ ଉପରେ କୌଣସି ପ୍ରଶ୍ନ କରୁ ନଥିବାବେଳେ ଏବେ ହାରିବା ପରେ ଭୁଲ ବୋଲି କହି ମିଛରେ ପ୍ରଳାପ କରୁଛି  । ନିର୍ବାଚନରେ ଭୋଟ୍‌ଦାନ ବେଳେ ଯେଉଁମାନେ ବୁଥ୍‌ରେ ଏଜେଣ୍ଟ ଥା’ନ୍ତି ସେମାନେ ଉକ୍ତ ବୁଥ୍‌ରେ ଥିବା ପ୍ରିଜାଇଡିଂ ଅଧିକାରୀଙ୍କଠାରୁ ୧୭ସି ଫର୍ମ ଆଣିଥାନ୍ତି  । ଗତ ସାଧାରଣ ନିର୍ବାଚନରେ ପାଖାପାଖି ୩୭,୮୦୦ ବୁଥ୍‌ ଥିଲା  । ସେସମୟରେ ଏସମସ୍ତ ବୁଥ୍‌ରେ ବିଜେଡିର ୩୭,୮୦୦ ଏଜେଂଟ ରହିବା କଥା  । ଆଉ ଯଦି ଲୋକସଭା, ବିଧାନସଭାକୁ ମିଶାଇ ଦିଆଯାଏ ତାହେଲେ ପ୍ରାୟ ୭୫,୦୦୦ ଏଜେଂଟ ବିଭିନ୍ନ ବୁଥ୍‌ରେ ରହିବା କଥା  । ମାତ୍ର କୌଣସି ବୁଥ୍‌ରେ ଜଣେ କେହି ଏଜେଣ୍ଟ ୧୭ସି ଫର୍ମ କାହିଁକି ମିଳିଳା ନାହିଁ ବୋଲି ପ୍ରଶ୍ନ ଉଠାଇଲେ ନାହିଁ  । ନିର୍ବାଚନ ଶେଷ ହେବାର ଅନେକ ଦିନ ପରେ ଏବଂ ହାରିଯିବା ପରେ ଏବେ ଏହି ପ୍ରଶ୍ନ ଉଠାଇବା କେତେଦୂର ଠିକ୍‌ ତାହା ଓଡିଶାବାସୀ ବିଚାର କରିବେ ବୋଲି ସେ କହିଛନ୍ତି  । ବିଜେଡି ପୁଣି ଆରୋପ ଲଗାଇଛିଯେ, ସରକାରୀ କର୍ମଚାରୀଙ୍କୁ ଲଗାଇ ବିଜେପି ନିର୍ବାଚନରେ ବିଜୟୀ ହୋଇଛି  । ୨୦୨୪ ପୂର୍ବରୁ ଓଡିଶାରେ ବିଜେଡି ସରକାର ଥିଲା  । ସେତେବେଳେ ଓଡିଶା ସରକାରଙ୍କ କର୍ମଚାରୀମାନେ ନିର୍ବାଚନକୁ ପରିଚାଳନା କରୁଥିଲେ  । ସେତେବେଳେ କିପରି ବିଜେଡି ନିର୍ବାଚନ ଜିତୁଥିଲା? ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେଡିରେ ଗୃହଯୁଦ୍ଧ ଚାଲିଥିବାବେଳେ ଉକ୍ତ ଦଳର କାର୍ଯ୍ୟକର୍ତ୍ତାମାନେ ପ୍ରତିଦିନ ଦଳ ଛାଡି ବିଜେପିରେ ଯୋଗଦେଉଛନ୍ତି  । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ  ଗଣମାଧ୍ୟମ ଜରିଆରେ ବିଜେଡି ପ୍ରକାର ନାଟକ କରୁଛି ବୋଲି ସେ କହିଛନ୍ତି  ।