ଦୁର୍ଘଟଣାରେ ୩ ଯବାନ ସହିଦ୍
ରାୟପୁର : ରାୟପୁରରୁ ୮୦ କିଲୋମିଟର ଦୂରରେ ଥିବା ଧମତାରି ଜିଲ୍ଲା ଖାପ୍ରୀ ବାଇପାସ୍ ରାସ୍ତା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଏଲିଟ୍ କୋବ୍ରା (କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍) ୨୦୧ ବାଟାଲିଅନ୍ (ଜଗଦଲପୁର)ର ତିନି ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ କାର୍ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଜଗଦଲପୁର (ବସ୍ତର)ରୁ ଫେରୁଥିବା ଏକ କାର୍ରେ ପାଞ୍ଚ ଜଣ ଯାତ୍ରା କରୁଥିଲେ । ଖାପ୍ରୀ ବାଇପାସ୍ ନିକଟରେ କାରଟି ଜାତୀୟ ରାଜପଥ ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ (ମାରୁତି ସ୍ୱିଫ୍ଟ ଡିଜାୟାର)ଟି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ଜଣେ ଯବାନ ଅଭିମାନ ରାୟଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଉନ୍ନତ ଚିିକିତ୍ସା ପାଇଁ ରାୟପୁର ପଠାଯାଇଥିବା କହିଛନ୍ତି ଧମତାରି ଏସପି ସୂରଜ ସିଂହ ପରିହାର ।
ମୃତକମାନେ ସବଇନ୍ସପେକ୍ଟର ଉମେଦ ସିଂହ, ହେଡ୍କନଷ୍ଟେବଳ ମୁକେଶ କୁମାର, କନଷ୍ଟେବଳ ରାଜକୁମାର ଓ ଜଣେ ସାଧାରଣ ଡ୍ରାଇଭର ହୀରାଲାଲ ନାଗର ବୋଲି ଚିହ୍ନଟ କରାଯାଇଛି । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ତିନି ଜଣ କୋବ୍ରା ଜବାନଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଅତ୍ୟନ୍ତ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିଛନ୍ତି । ଦେଶର ସେବାରେ ଉତ୍ସର୍ଗୀକୃତ ଆମର ସାହସୀ ସୈନିକଙ୍କ ମୃତ୍ୟୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଏହା ଏକ ଅପୂରଣୀୟ କ୍ଷତି । ଏହି ଅତ୍ୟନ୍ତ ଦୁଃଖର ମୁହୂର୍ତ୍ତରେ ମୋର ହୃଦୟ ଶୋକସନ୍ତପ୍ତ ପରିବାର ପ୍ରତି ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।