ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ ଅବସରରେ ଆଜି ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ ଓପିଡି ବିଲ୍ଡିଙ୍ଗର ଶୁଭ ଉଦ୍‌ଘାଟନ କରିଛନ୍ତି । ଟ୍ରମା କେୟାର ସେଣ୍ଟର ଓ ଓପିଡି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ମୋଟ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଓ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ । ଏହା ସହିତ ଡାକ୍ତରଖାନା ପରିସରରେ ୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସିଏସଏସଡି ବିଲ୍ଡିିଙ୍ଗର ମଧ୍ୟ ଉଦ୍‌ଘାଟନ କରାଯାଇଛି । ଏଠାରେ ଆଧୁନିକ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଇକ୍ୟୁପମେଣ୍ଟକୁ ସଫା ଓ ଷ୍ଟେରିଲାଇଜ୍‌ କରାଯିବ ।


   ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି । ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଏବଂ ସୁନିଶ୍ଚିତ ଚିକିତ୍ସା ଯୋଗାଇଦେବା ଏହାର ମୂଳ ଉଦ୍ଦେଶ୍ୟ । ଦାୟିତ୍ୱ ନେବାର ୧୩ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଅନ୍ୟାନ୍ୟ ବଡ଼ ସରକାରୀ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ସମୁଦାୟ ୮୯ଟି ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ସଂଖ୍ୟା କମିବା ସହ ଆହତମାନେ ସମୟରେ ଉତ୍ତମ ଚିକିତ୍ସା ପାଇପାରିବେ । 


 ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ଡାକ୍ତରଖାନାକୁ ଅପଗ୍ରେଡ୍‌ କରୁଥିବା ବେଳେ, ଆଜି ସମ୍ବଲପୁର ଡାକ୍ତରଖାନାର ନୂଆ ଓପିଡି ବିଲ୍ଡିଙ୍ଗ ଉଦ୍‌ଘାଟନ ମଧ୍ୟ ଏହାର ଏକ ଅଂଶ । ଏହି ସମସ୍ତ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦ୍ୱାରା ସମ୍ବଲପୁର ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣାତ୍ମକ ଓ ଆଧୁନିକ ସେବା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ,  ମନ୍ତ୍ରୀ ରବି ନାରାୟଣ ନାଏକ,  ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ଜିଲ୍ଲାପାଳ  ସିଦେ୍ଧଶ୍ୱର ବଳିରାମ ବୋନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ ।