ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ମୃତ
ଯାଜପୁର : ବିଦ୍ୟୁତ୍ ଆଘାତରେ ଚାଲିଗଲା ଅଢେ଼ଇ ବର୍ଷ ଶିିଶୁପୁତ୍ରର ଜୀବନ । ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ଗୌଡ଼ସାହି ଗୋବିନ୍ଦପୁର (ତାଳପଦା) ଗ୍ରାମର ରାକେଶ ସାହୁ ଓ ନିରୁପମା ସାହୁଙ୍କ ୮ ବର୍ଷର ଝିଅ ବର୍ଷା, ୫ ବର୍ଷର ଝିଅ ଉଷା ଓ ଅଢେ଼ଇ ବର୍ଷର ପୁଅ ଓମ୍ ପ୍ରକାଶ ଗୁରୁବାର ସକାଳେ ବାଡ଼ିକୁ ଶୌଚ ହେବା ପାଇଁ ଯାଉଥିବା ସମୟରେ ବାଡ଼ିରେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ୩ ଜଣ ପିଲା ବିଦ୍ୟୁତ୍ ସଂସ୍ପର୍ଶ ଯୋଗୁ ଚିକ୍ରାର କରିଥିଲେ । ପିଲାଙ୍କ ଚିକ୍ରାର ଶୁଣି ମା’ନିରୁପମା ଦୌଡ଼ି ଆସି ପିଲାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଜେ ବିଦ୍ୟୁତ୍ ସଂସ୍ପର୍ଶରେ ଚାଲି ଆସିଥିଲେ । ଏହି ସମୟରେ ବାପା ରାକେଶ ଏକ ବାଡ଼ି ସାହାଯ୍ୟରେ ବିଦ୍ୟୁତ୍ ସଂସ୍ପର୍ଶରୁ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ପୁଅ ଓମ୍ ପ୍ରକାଶର ଚେତା ହରାଇଥିଲେ । ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ଓମ୍ ପ୍ରକାଶକୁ ମୃତ ଘୋଷଣା କରିଥିଲେ ।
Samir Kumar Rout