ବିକ୍ରି ହୋଇଥିବା ଶିଶୁକନ୍ୟା ଉଦ୍ଧାର
ଭଣ୍ଡାରିପୋଖରୀ : ବିକ୍ରି ହୋଇଥିବା ମାସକର ଶିଶୁକନ୍ୟାକୁ ଉଦ୍ଧାର କଲା ଭଣ୍ଡାରିପୋଖରୀ ଥାନା ପୁଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା । ପରେ ପୁଲିସ ଉକ୍ତ ଶିଶୁକୁ କଟକ ମହାନଗରର ରାଜାବଗିଚାରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଶିଶୁକନ୍ୟାକୁ ତାର ପିତାମାତ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର ପରେ ଶିଶୁକନ୍ୟାକୁ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ବୋଲି ଭଣ୍ଡାରିପୋଖରୀ ଥାନା ପୁଲିସ ସୂଚନା ଦେଇଛି ।
ସୂଚନା ମୁତାବକ, ଭଦ୍ରକଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗ୍ରାମର ଏକ ଦମ୍ପତି ମାସକର ଶିଶୁକନ୍ୟାକୁ ବିକି ଦେଇଥିଲେ । ଏନେଇ ଶିଶୁର ଜେଜେମା’ ସାବିତ୍ରୀ ଦାସ ଗତକାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ ଆରମ୍ଭ କରିଥିଲା । ଅଭିଯୋଗ ଅନୁଯାୟୀ, ଗତ ସୋମବାର ସକାଳ ପ୍ରାୟ ସାକାଳ ୯ଟା ବେଳେ ସାବିତ୍ରୀଙ୍କ ପୁଅ ସିପୁ ଓ ବୋହୂ ରୀନା ମାସକର ଶିଶୁକନ୍ୟାକୁ ଚିକିତ୍ସା ପାଇଁ ନେଉଥିବା କହି ଘରୁ ବାହାରିଥିଲେ । ରାତି ପ୍ରାୟ ୮ଟା ସମୟରେ ସଂପୃକ୍ତ ଦମ୍ପତି ଘରକୁ ଫେରିଥିଲେ । ମାତ୍ର, ସେମାନଙ୍କ ପାଖରେ ଶିଶୁକନ୍ୟା ନଥିଲା । ସାବିତ୍ରୀ ନାତୁଣୀ ସମ୍ପର୍କରେ ପୁଅବୋହୂଙ୍କୁ ପଚାରିବାରୁ ସେମାନେ ଗାଳିଗୁଲଜ କରିବା ସହ ମାଡ ମାରିବାକୁ ଧମକ ଦେଇଥିଲେ । ପୁଅ, ବୋହୂ ଓ ସମୁଦୁଣୀ ଷଡଯନ୍ତ୍ର କରି ନାତୁଣୀକୁ ବିକି ଦେଇଥିବା କିମ୍ବା ମାରି ଦେଇଥିବା ସନ୍ଦେହ କରି ସାବିତ୍ରୀ ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ଶିଶୁକନ୍ୟାକୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲା । ଅନ୍ୟପକ୍ଷରେ, ଋଣ ସୁଝିବାକୁ ଶିଶୁକନ୍ୟାକୁ ବିକିଦେଲୁ ବୋଲି ପିତା ସିପୁ ଦାସ କହିଥିଲେ ।
Samir Kumar Rout