୫୨ ଇନାମୀ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ମାଓ ସଙ୍ଗଠନ ଦିନକୁ ଦିନ ଭାଙ୍ଗିବା ସହ ଦୁର୍ବଳ ହେବାକୁ ଲାଗିଥିବା ବେଳେ ଆଜି ପୁଣି ଭାଙ୍ଗି ପଡିଥିବା ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି । ୧ କୋଟି ୪୧ ଲକ୍ଷ ଇନାମି ଥିବା ୫୨ ମାଓବାଦୀ ମାଓ ସଙ୍ଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଜିଲ୍ଲାରେ ଆଜି ୫୨ ଜଣ ମାଓବାଦୀ ସଙ୍ଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ସମସ୍ତ ମାଓବାଦୀଙ୍କ ନାମରେ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅନେକ କୁଖ୍ୟାତ ମାଓବାଦୀ, ଦକ୍ଷିଣ ଉପ-ଜୋନାଲ ବ୍ୟୁରୋ ଏବଂ ମାଓ ସଙ୍ଗଠନର ଡିଭିସିଏମ, ପିପିସିଏମ, ଏସିଏମ ଭଳି କ୍ୟାଡର ଓ ମାଓ ସଦସ୍ୟମାନେ ରହିଛନ୍ତି । ଏହି ମାଓବାଦୀମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲେ । ତେବେ ମାଓ ସଙ୍ଗଠନ ଦୁର୍ବଳ ହେବା ସହ ବଡ ବଡ ମାଓ ନେତାଙ୍କ ମୃତ୍ୟୁ ଏବଂ ଆତ୍ମସମର୍ପଣ ପରେ ଏମାନେ ସଙ୍ଗଠନ ଛାଡ଼ି ସାଧାରଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଆତ୍ମସମର୍ପଣ ନୀତି ଓ ପୁନା ମାର୍ଗେମ ଅଭିଯାନର ଆତ୍କୃଷ୍ଟ ହୋଇ ଏମାନେ ହିଂସା ପରିତ୍ୟାଗ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଏହି ସମସ୍ତ ମାଓବାଦୀଙ୍କୁ ସରକାରୀ ନୀତି ନିୟମାନୁଯାୟୀ ସହାୟତା ରାଶି ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
Samir Kumar Rout