ଆରମ୍ଭ ହେଉନି ଧାନକିଣା, ହନ୍ତସନ୍ତ ଚାଷୀ

ଆରମ୍ଭ ହେଉନି ଧାନକିଣା, ହନ୍ତସନ୍ତ ଚାଷୀ

 ଖଇରା  : ମନ୍ତ୍ରୀଙ୍କ ଉଦଘାଟନକୁ ୭ଦିନ ପୁରିଥିବା ବେଳେ ଏ ପର୍ଯ୍ୟନ୍ତ ଖଇରା ବ୍ଲକ ସମେତ ସମଗ୍ର ବାଲେଶ୍ୱର ଜିଲାରେ ଧାନ କିଣା ଆରମ୍ଭ ହୋଇପାରୁନାହିଁ । ଏଭଳି କି ସମିତିମାନଙ୍କ ସହ ଯୋଗାଣ ବିଭାଗର ଚୁକ୍ତି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ସରିନାହିଁ । ସେପଟେ ୨୯ତାରିଖରୁ ଟୋକନ ପାଇଥିବା ଚାଷୀଙ୍କ ସମୟସୀମା ସରି ଆସୁଥିବାରୁ ସେମାନଙ୍କ  ମୁଣ୍ଡରେ ଏବେ ଚଡକ ପଡିଛି । ଚାଷୀମାନେ ଖୋଲା ଆକାଶ ତଳେ ବର୍ଷକର ଭାତ ହାଣ୍ଡିକୁ ସାଇତି ରଖି ସରକାରଙ୍କ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଚାତକ ଭଳି ଚାହିଁ ବସିଛନ୍ତି । ଖଇରା ବ୍ଲକରେ ଚଳିତ ବର୍ଷ ପାଖାପାଖି ୧୯ହଜାର୪ଶହ ହେକ୍ଟର ଜମିରେ ଧାନଚାଷ ହୋଇଥିବା ବେଳେ ନଭେମ୍ବର ଶେଷ ସପ୍ତାହରୁ ଅମଳ ସରଗଲାଣି । ଜିଲ୍ଲା ସ୍ତରୀୟ କମିଟି ଡିସେମ୍ବର ୨୯ରୁ ଧାନକିଣିବାକୁ ନିଷ୍ପତ୍ତି ନେବା ପରେ ୩୦ଭାଗ ଛୋଟ ଚାଷୀ ଅଳ୍ପ ମୁଲ୍ୟରେ ବଙ୍ଗ ବ୍ୟବସାୟୀଙ୍କୁ ବିକିବାକୁ ବାଧ୍ୟ ହୋଇ ସାରିଛନ୍ତି ।

   

  ଖଇରା ବ୍ଲକର ଅନ୍ତରା ଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ୨୯ତାରିଖ ଦିନ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମଣ୍ଡି ଉଦଘାଟନ କରିବା ଖବର ପ୍ରଚାର ହେବା ପରେ ସେହି ଦିନ ଠାରୁ ଚାଷୀ ଧାନବିକିବେ ବୋଲି ମନରେ ଆଶାବାନ୍ଧି ବସିଥିଲେ । ହେଲେ ଡିସେମ୍ବର ୨୯ ତାରିଖର ଉଦ୍‌ଘାଟନୀ ପର୍ବର ଭୋଜିଭାତ ସରି ନୁଆବର୍ଷର ୪ଦିନ ଅତିକ୍ରାନ୍ତ ହୋଇ ସାରିଲାଣି । ଏ ପର୍ଯ୍ୟନ୍ତ ଧାନକିଣାର ଗନ୍ଧବାସନା ନାହିଁ । ପ୍ରଥମେ ଧାନକିଣିବାକୁ ଇଛୁକଥିବା ସେବା ସମବାୟ ସମିତି ସହ ଯୋଗାଣ ବିଭାଗର ଚୁକ୍ତି ପ୍ରକ୍ରିୟା ଏବଂ ତାପରର ମିଲର ଟ୍ୟାଗ କରାଯିବା ପ୍ରକ୍ରିୟା ରହିଥିବାରୁ ଏବର୍ଷ ଧାନକିଣାରେ ଅନିଶ୍ଚିତତା ଦେଖାଦେଇଛି । ସେହିଭଳି ମନ୍ତ୍ରୀ ଖବରଦାତାଙ୍କୁ ଦେଇଥିବା ପ୍ରତିକ୍ରିୟାରେ ଚାଷୀଙ୍କର ସମସ୍ତ ଟୋକନ ଧାନ କିଣାଯିବ ବୋଲି କହିଥିଲେ । ଏବେ ୭୫କୁଇଣ୍ଟାଲ ଧାନ ବିକିବାକୁ ଟୋକନ ପାଇଥିବା ଚାଷୀଙ୍କ ସର୍ବାଧିକ ୬୦କୁଇଣ୍ଟାଲ ଧାନ କିଣିବାକୁ ଜିଲା କମିଟିର ନିଷ୍ପତ୍ତିପରେ ବହୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମନ୍ତ୍ରୀ ବଡ କି ଜିଲ୍ଲାପାଳ ବଡ ଏହାକୁ ନେଇ ଚାଷୀଙ୍କ ମନରେ ଏବେ ଦ୍ୱନ୍ଦ ସୃଷ୍ଟି ହୋଇଛି । ଧାନକିଣିବା ସମ୍ପର୍କରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ହିମାଂଶୁ ଭୁଷଣ ସାହୁଙ୍କୁ ଯୋଗାଯୋଗ କରିବାରେ ଏବେ ସେବା ସମବାୟ ସମିତି ଗୁଡିକଙ୍କ ସହ ଚୁକ୍ତି ପ୍ରକ୍ରିୟା ଚାଲୁଛି । ତାପରେ ମିଲଟ୍ୟାଗ କରାଯିବ ବୋଲି କହିଛନ୍ତି ।