ପୁରୀ ହେଲା ମହାନଗର ନିଗମ

ପୁରୀ ହେଲା ମହାନଗର ନିଗମ
  • ଲୋଇସିଂହା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ଏନଏସି

  • ବ୍ରହ୍ମପୁର ମହାନଗର ନିଗମ କଳେବର ବୃଦ୍ଧି


ଭୁବନେଶ୍ୱର : ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ । ଏଠାରେ ପ୍ରତିଦିନ ଦେଶବିଦେଶର ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ । ପୁରୀବାସିନ୍ଦା, ଭକ୍ତ ଓ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ମାନର ସୁବିଧା ଉପଲବ୍‌ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୩ ତାରିଖରେ ପୁରୀକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏଥିପାଇଁ ପୁରୀବାସୀଙ୍କ ମଧ୍ୟ ବହୁ ଦିନର ଦାବି ରହିଆସିଥିଲା । 


    ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦ୍ୱାରା ପୁରୀ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ଲହରି ଖେଳି ଯାଇଛି । ମହାନଗର ଗଠନ ହେବା ଦ୍ୱାରା ପୁରୀ ଓ ଆଖପାଖ ଅଞ୍ଚଳରେ ବ୍ୟାପକ  ଭିତ୍ତିଭୂମିର ବିକାଶ ସହ ଏକ ବୃହତ୍‌ ସହରାଞ୍ଚଳ ଗଠନ ହେବ । ପୁରୀ ସହ ୪ଟି ସହରକୁ ଏନଏସି ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଗୁଡିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଓ ବାଲେଶ୍ୱର ଜିଲ୍ଲାର ବସ୍ତା । ଏହା ସହିତ ବ୍ରହ୍ମପୁର ମହାନଗର ନିଗମର କଳେବର ବୃଦ୍ଧି ସମ୍ପର୍କରେ ମଧ୍ୟ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ସ୍ୱାୟତ୍ତଶାସନ ଦିବସ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।