ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରନ୍ତୁ ନାହିଁ!

ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରନ୍ତୁ ନାହିଁ!

ଭାରତରେ ଗୁଗୁଲମ୍ୟାପ୍ ଆସିବା ପରେ ଲୋକଙ୍କୁ ଆଉ ଅଜଣା ଜାଗାକୁ ଯିବାପାଇଁ ସେତେଟା ଚ୍ୟାଲେଞ୍ଜିଂ ଲାଗିଲାନାହିଁ । ଗାଡ଼ି ଉଠାଅ ,ମୋବାଇଲରେ ଯେଉଁ ସ୍ଥାନକୁ ଯିବେ ତାର ନାଁ ଓ ଲୋକେସନ୍ ଦେଇଦିଅ ବାସ୍ ଗୁଗୁଲମ୍ୟାପ୍ ଆପଣଙ୍କୁ ବାଟ କଢାଇନେବ । ମୋଟାମୋଟି ଭାବେ କହିବାକୁ ଗଲେ ଅନ୍ଧର ଲଉଡ଼ି ସାଜିଲା ଗୁଗୁଲ୍ ମ୍ୟାପ୍ । ପୂର୍ବରୁ କେଉଁ ସ୍ଥାନକୁ ଗଲେ ଆଖପାଖରେ ଥିବା ଲୋକଙ୍କୁ ପଚାରିଦେଲେ ବାଟବଣା ହେବାର ଭୟ ରହୁନଥିଲା କିନ୍ତୁ ରାତ୍ରୀ ସମୟ ପାଇଁ ଗୁଗୁଲ୍ ମ୍ୟାପର ଅବଦାନକୁ ବି ଅଣଦେଖା କରାଯାଇନପାରେ । ପାଖାପାଖି ସ୍ଥାନ ହେଉ କିମ୍ବା କୌଣସି ଦୂର ଜାଗା ଗୁଗୁଲ୍ ମ୍ୟାପ୍ ହିଁ ସାଜିଲା ଭରସା । କିନ୍ତୁ ଏହି ଡିଜିଟାଲ୍ ମ୍ୟାପ୍ ଉପରେ ଆଖି ବନ୍ଦ କରି ଭରସା କରିବା ବି ବେଳେବେଳେ ଭାରି ପଡୁଛି ।   କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ବରେଲୀରେ ଏକ ବଡ଼ ଅଘଟଣ ଘଟିଥିଲା । ଯାହା ସାରା ଦେଶକୁ ଭାବିବା ପାଇଁ ବାଧ୍ୟ କରିଦେଲା । ଗୁଗୁଲ୍ ମ୍ୟାପକୁ ଫଲୋ କରି ନିର୍ମାଣଧୀନ ବ୍ରିଜ୍ ଉପରେ କାର୍ ନେଇ ଚଢିଯାଇଥିଲେ ୩ ଜଣ ଯୁବକ । ବ୍ରିଜ୍ କାମ ଅଧା ହୋଇଥିବାରୁ ଗାଡ଼ି ସିଧା ତଳକୁ ଖସିଥିଲା ଆଉ ୩ ଜଣ ଯୁବକଙ୍କ ଅକାଳରେ ଜୀବନ ଚାଲିଗଲା । ଅଘଟଣର ଦୃଶ୍ୟ ଏତେ ଭୟାବହ ଥିଲା ଯେ ଲୋକଙ୍କ ମନରେ ଗୁଗୁଲ୍ ମ୍ୟାପକୁ ନେଇ ସନ୍ଦେହ ଜାତ ହେଲା ।

ଏହାର ମାତ୍ର କିଛି ଦିନ ପରେ ସମାନଭାବେ ବରେଲୀରେ ଆଇଆଇଟି ଦିଲ୍ଲୀର ୩ ଜଣ ଛାତ୍ର ଗୁଗୁଲ ମ୍ୟାପକୁ ଫଲୋ କରି ସିଧା ଯାଇ ନଦୀରେ ପଶିଲେ । ସୌଭାଗ୍ୟବଶତଃ ନଦୀରେ ପାଣି କମ୍ ଥିବାରୁ ୩ ଜଣଙ୍କୁ କେବଳ ସାମାନ୍ୟ ମାତ୍ରାରେ ଆଘାତ ହୋଇଥିଲା । କିନ୍ତୁ ସେତେବେଳେ ବି ଗୁଗୁଲ୍ ମ୍ୟାପର ନାଁ ଚର୍ଚ୍ଚାରେ ଆସିଲା ।   ଠିକ୍ ସେହିଭଳି ବିହାରର ଏକ ପରିବାର ଗୋଆ ଭ୍ରମଣରେ ଯାଉଥିବାବେଳେ ଗୁଗୁଲ୍ ମ୍ୟାପର ସାହାରା ନେଇ ଫସିଗଲେ । ଗୁଗୁଲ୍ ମ୍ୟାପକୁ ଫଲୋ କରିବା ମହଙ୍ଗା ପଡ଼ିଲା , ରାସ୍ତା ଖୋଜୁ ଖୋଜୁ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲେ ପରିବାର । ପରିସ୍ଥିତି ଏମିତି ହେଲା ଯେ ନା ନେଟୱର୍କ ଲାଗିଲା , ନା ଗୁଗୁଲ୍ ମ୍ୟାପ୍ ସାଥ୍ ଦେଲା । ବାଧ୍ୟ ହୋଇ ପରିବାର ସାରା ରାତି ଜଙ୍ଗଲ ଭିତରେ ରହିଲେ ଏବଂ କାର୍ ଭିତରେ ଶୋଇଲେ । ସକାଳୁ ନେଟୱର୍କ ପାଇଁ ପରିବାରକୁ ୪ କି.ମି ପର୍ଯ୍ୟନ୍ତ ଚାଲିବାକୁ ପଡ଼ିଲା । ନେଟୱର୍କ ଆସିବାରୁ ତୁରନ୍ତ ସେମାନେ ୧୧୨ ହେଲ୍ପଲାଇନକୁ ଡାଏଲ୍ କରି ସାହାଯ୍ୟ ମାଗିଲେ ଏବଂ ପୁଲିସ୍ ପରିବାରକୁ ଜଙ୍ଗଲରୁ ବାହାର କଲା । 

ଯଦି ଆପଣ ମଧ୍ୟ ଦୂର ବାଟ ଯାତ୍ରା କରୁଛନ୍ତି କିମ୍ବା ଅଜଣା ସ୍ଥାନକୁ ଯାଉଛନ୍ତି ତାହେଲେ ସେ ସ୍ଥାନ ବିଷୟରେ ସବିଶେଷ ବିବରଣୀ ନିଅନ୍ତୁ । ଗୁଗୁଲ୍ ମ୍ୟାପର ସାହାରା ନେବାକୁ ମନା ନାହିଁ କିନ୍ତୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଥରେ ପଚାରିବାର ସାହାସ କରନ୍ତୁ । ଗୁଗୁଲ୍ ମ୍ୟାପ୍ ଉପରେ ସମ୍ପୁର୍ଣ୍ଣ ନିର୍ଭର କରନ୍ତୁ ନାହିଁ ।