ଇଡ୍‌ଲି ଖାଉଥିଲେ ସାବଧାନ!

ଇଡ୍‌ଲି ଖାଉଥିଲେ ସାବଧାନ!

ବିଶେଷକରି ଇଡ୍‌ଲିର ମଜା ନେବାକୁ ହୋଟେଲ ଯାଉଥିବା ଗ୍ରାହକମାନଙ୍କୁ ଏବେ ବହୁତ ସତର୍କ ରହିବାକୁ ପଡ଼ିବ। ଏହା ପଛର କାରଣ ହେଉଛି ଖାଦ୍ୟ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ମିଳିଥିବା ଭୟଙ୍କର ତଥ୍ୟ। ଖାଦ୍ୟ ବିଭାଗର କଡ଼ାକଡ଼ି ଯାଞ୍ଚରୁ ନିଶ୍ଚିତ ହୋଇଛି ଯେ, ବେଙ୍ଗାଲୁରୁର ଅନେକ ହୋଟେଲରେ ପ୍ରସ୍ତୁତ ଇଡ୍‌ଲି ଅସୁରକ୍ଷିତ। ଖାଦ୍ୟ ବିଭାଗ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରୁ ଇଡ୍‌ଲିର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଇଥିଲା।

 ରିପୋର୍ଟ ଅନୁଯାୟୀ ୩୫ରୁ ଅଧିକ ଇଡ୍‌ଲି ନମୁନା ଅସୁରକ୍ଷିତ। ବେଙ୍ଗାଲୁରୁର ଅନେକ ସ୍ଥାନରେ ଇଡ୍‌ଲି ତିଆରି ପାଇଁ କପଡ଼ା ବଦଳରେ ପ୍ଲାଷ୍ଟିକ କଭର ବ୍ୟବହାର କରାଯାଉଛି। ପ୍ଲାଷ୍ଟିକ କେବଳ ଇଡଲି ତିଆରିରେ ନୁହେଁ, ବରଂ ଖାଦ୍ୟ ପରିବେଷଣ ଏବଂ ପ୍ୟାକେଜିଂରେ ମଧ୍ୟ ବ୍ୟବହୃତ ହେଉଛି। ଗରମ ସଂସ୍ପର୍ଶରେ ଆସିଲେ ପ୍ଲାଷ୍ଟିକ ଚାଦରଗୁଡ଼ିକ କ୍ଷତିକାରକ ପଦାର୍ଥ ନିର୍ଗତ କରେ। ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ ଯେ, ଏହା ମାରାତ୍ମକ କ୍ୟାନ୍‌ସର ବା କର୍କଟ ରୋଗ ସୃଷ୍ଟିକାରୀ।ବିଶେଷଜ୍ଞଙ୍କ କଡ଼ା ଚେତାବନୀ ପରେ, ଖାଦ୍ୟ ବିଭାଗ ବେଙ୍ଗାଲୁରୁର ଅନେକ ସ୍ଥାନରୁ ଇଡଲିର ନମୁନା ସଂଗ୍ରହ କରିଛି। ଖାଦ୍ୟ ଏବଂ ମାନକ ବିଭାଗ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରୁ ୫୦୦ରୁ ଅଧିକ ଇଡ୍‌ଲି ନମୁନା ସଂଗ୍ରହ କରିଥିଲା, ଯେଉଁଥିରୁ ୩୫ରୁ ଅଧିକ ଇଡ୍‌ଲି ନମୁନା ଅସୁରକ୍ଷିତ ବୋଲି ଜଣାପଡିଥିଲା। ତଥାପି କିଛି ନମୁନା ଏବେ ବି ଅପେକ୍ଷାରେ ଅଛି। ସମ୍ପୂର୍ଣ୍ଣ ରିପୋର୍ଟ ପାଇବା ପରେ ଖାଦ୍ୟ ବିଭାଗ ପ୍ଲାଷ୍ଟିକ୍‌ କାଗଜ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ ବିଚାର କରୁଛି।

ସେହିପରି ପୂର୍ବରୁ କର୍ନାଟକର ଖାଦ୍ୟ ବିଭାଗ ଗୁପ୍‌ଚୁପ୍‌ର ଗୁଣବତ୍ତା ଉପରେ ଚିନ୍ତା ପ୍ରକାଶ କରିଥିଲା। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ରାଜ୍ୟର ୨୬୦ଟି ସ୍ଥାନରୁ ଗୁପ୍‌ଚୁପ୍‌ର ନମୁନା ସଂଗ୍ରହ କରିଥିଲା, ଯେଉଁଥିରୁ ୪୧ଟି ନମୁନାରେ କୃତ୍ରିମ ରଙ୍ଗ ଏବଂ କ୍ୟାନ୍‌ସର ରୋଗ ସୃଷ୍ଟିକାରୀ ପଦାର୍ଥ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ଖାଦ୍ୟ ବିଭାଗ କୋବିରୁ ପ୍ରସ୍ତୁତ ମଞ୍ଚୁରିଆନ ଏବଂ ଅନ୍ୟାନ୍ୟ ଫାଷ୍ଟଫୁଡ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ କହିଥିଲା ଯେ, ଏଥିରେ ରାସାୟନିକ ପଦାର୍ଥ ଏବଂ କୃତ୍ରିମ ରଙ୍ଗ ବ୍ୟବହାର କ୍ୟାନସର ରୋଗର କାରଣ ହୋଇପାରେ। ରିପୋର୍ଟ ଆସିବା ପରେ, ସରକାର ରୋଡାମାଇନ-ବି ନାମକ ଖାଦ୍ୟ ରଙ୍ଗକୁ ନିଷିଦ୍ଧ କରିଥିଲେ।