କରୁଣାମୟୀ ମା’ଦ୍ୱାରସ୍ନେହୀ , ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ରକ୍ତପୂଜା ଉପଚାର

କରୁଣାମୟୀ ମା’ଦ୍ୱାରସ୍ନେହୀ , ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ରକ୍ତପୂଜା ଉପଚାର

ବଲାଙ୍ଗୀର ଜିଲ୍ଲା ସିନେ୍ଧକେଲାରୁ କଣ୍ଟାବାଞ୍ଜିକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବାମ ପାର୍ଶ୍ୱରେ ଆବହମାନ କାଳରୁ ମା’ ଦ୍ୱାରସେହ୍ନାଙ୍କ ମନ୍ଦିର ରହିଛି । କରୁଣାମୟୀ ଦେବୀ ମା’ ଦ୍ୱାରସେନ୍ନୀଙ୍କ ଷୋଡ଼ଶ ଉପଚାର ପୂଜା ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଛି । ମା’ଙ୍କ ଦଶହରା ଯାତ୍ରା ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲେ ପୂଜା ପାଇଁ ବିଭିନ୍ନ ସଂପ୍ରଦାୟର ସେବାୟତ ନିୟୋଜିତ ହୋଇଥିଲେ ହେଁ ରାଜା ବା ସିନେ୍ଧକେଲାର ଗଡ଼ତିଆ ମୁଖ୍ୟ ସେବକ ଅଟନ୍ତି । ପ୍ରତିଦିନ ମନ୍ଦିରକୁ ଜୁଗାର ବା ପୂଜା ସାମଗ୍ରୀ ଯାଇଥାଏ । ଜୁଗାର ମନ୍ଦିର ପହଞ୍ଚିବା ପରେ ଯଥାରୀତିରେ ପୂଜା ସମ୍ପନ୍ନ ହୁଏ । ଗଡ଼ତିଆ ତଥା ମୁଖ୍ୟ ସେବାୟତଙ୍କ ଘରକୁ ପ୍ରସାଦ ପହଞ୍ଚିବା ପରେ ଉପବାସ ରଖିଥିବା ସେବାୟତ ଓ ତାଙ୍କ ପରିବାର ଲୋକେ ଖାଦ୍ୟ ଗ୍ରହଣ କରିଥାନ୍ତି । ଅଷ୍ଟମୀରୁ ଅମାବାସ୍ୟା ପର୍ଯ୍ୟନ୍ତ ଦିନବେଳା ଯାଉଥିବା ଜୁଗାରକୁ ଶୁକ୍ଳପୂଜା ଉପଚାର ତଥା ପ୍ରତିପଦାଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ରାତିରେ ଯାଉଥିବା ଜୁଗାରକୁ ରକ୍ତପୂଜା ଉପଚାର ବୋଲି କୁହାଯାଏ । ପ୍ରଥମ ଦିନ ପୂଜା ଉପଚାର ଆଶ୍ୱିନ କୃଷ୍ଣ ମୂଳାଷ୍ଟମୀ ତିଥିରେ ବିଞ୍ଜାଲ ସଂପ୍ରଦାୟର ଜାନୀ ସେବାୟତ ପଳସା ଓ ବାଉଁଶ ବାଡ଼ି ଆଣି ମନ୍ଦିରକୁ ଆସିଥାନ୍ତି । କିମ୍ବଦନ୍ତୀ ଅନୁସାରେ, ଜାନୀଙ୍କ ପିତୃପୁରୁଷ ଜଙ୍ଗଲରେ ଶିକାର ଖୋଜୁଥିବା ବେଳେ ଜଣେ ବୃଦ୍ଧା ତାଙ୍କୁ ଦେଖା ଦେଇଥିଲେ । ବୃଦ୍ଧାଙ୍କ ପ୍ରତି ଦୟାପରବଶ ହୋଇ ଜାନୀ ପଲସା ଗଛର ଖୁଣ୍ଟ ପୋତି ତା’ ଉପରେ ବାଉଁଶ ଓ ପଲସା ଚାଳ ଦେଇ ଏକ କୁଡ଼ିଆ ତିଆରି କରିଦେଇଥିଲେ । ବୃଦ୍ଧାଜଣକ ଜାନୀଙ୍କୁ ଜଙ୍ଗଲକୁ ଆସିବାର କାରଣ ପଚାରିଥିଲେ । ଟିକିଏ ଆଗକୁ ଗଲେ ଶିକାର ମିଳିବ ବୋଲି ବୃଦ୍ଧାଜଣକ କହିଥିଲେ । ତାଙ୍କ କଥା ଶୁଣି ଜାନୀ ଆଗକୁ ଯିବାରୁ ଗୋଟିଏ ବଡ଼ ସମ୍ବର ଦେଖି ଶିକାର କରିଥିଲେ । କିନ୍ତୁ ଫେରିବା ସମୟରେ ବୃଦ୍ଧାଜଣକ ଆଉ ଦେଖା ଦେଇନଥିଲେ । ବୃଦ୍ଧାଙ୍କ ସ୍ଥାନରେ କୁଡ଼ିଆ ମଧ୍ୟରେ ଏକ ଶୃଙ୍ଗ ଦେଖିବା ପାଇଁ ମିଳିଥିଲା, ଯାହାକୁ ଏବେ ବଦନଖାଲ ବୋଲି କୁହାଯାଏ । ରାତିରେ ଦେବୀ ସ୍ୱପ୍ନାଦେଶ କରି ସେ ଦ୍ୱାରସେହ୍ନା ଭାବେ ସେଠାରେ ପୂଜା ପାଇବେ ବୋଲି କହିବା ପରେ ଜାନୀ ସିନେ୍ଧକେଲା ଗଡ଼ତିଆ (ରାଜା)ଙ୍କୁ କହି ମନ୍ଦିର ତୋଳାଇ ଥିଲେ । ତେଣୁ ବର୍ତ୍ତମାନ ମଧ୍ୟ ପଲସା ଓ ବାଉଁଶ ବାଡ଼ିକୁ ଦେବୀଙ୍କ ପ୍ରତୀକ ରୂପେ ପ୍ରଥମ ଦିନ ଖଣ୍ଡା ମାର୍ଜନା କରି ସ୍ଥାପନ କରାଯାଇଥାଏ । ଏହାକୁ ଖଣାବସା ମଧ୍ୟ କୁହାଯାଏ ।