ଶେଷ ସେଲଫି ସାଙ୍ଗକୁ ପଠାଇ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି
‘କରଜରେ ବୁଡ଼ି ସାରିଲୁଣି। ସୁଧ ଦେଇ ଦେଇ ନୟାନ୍ତ ହେଲୁଣି। ଆମ ପାଖରେ ଆଉ ଦେବାକୁ କିଛି ନାହିଁ। ତେଣୁ ଆମେ ନିଜ ଜୀବନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ। ’ ଏପରି କିଛି ମେସେଜ ସହ ନିଜର ଶେଷ ସେଲଫି ଜଣେ ସାଙ୍ଗଙ୍କ ନିକଟକୁ ପଠାଇ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି। ଏଥି ନିମନ୍ତେ ସେମାନେ ବାଇକ୍ରେ ଶହେ କିମି ଆସିଥିବା ଜଣାଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ହରିଦ୍ୱାରରେ ଘଟିଛି।
ଏହି ଦମ୍ପତି ହେଲେ ଉତ୍ତପ୍ରଦେଶ ସହାରନପୁର ନିବାସୀ ସୌରଭ ବବ୍ବର ଓ ମୌନା ବବ୍ବର । ପୁଲିସ୍ ଗଙ୍ଗା ନଦୀରୁ ସୌରଭଙ୍କ ମୃତଦେହ ଉଦ୍ଧାର କରିବା ପରେ ତାଙ୍କ ଶବ ସତ୍କାର କରାଯାଇଛି । ମାତ୍ର ମୌନାଙ୍କ ପତ୍ତା ମିଳି ପାରି ନାହିଁ।
ସୌରଭ ଜଣେ ସୁନା ବେପାରୀ ହୋଇଥିବା ବେଳେ ୧୮ ବର୍ଷ ତଳେ ମୌନାଙ୍କୁ ବିବାହ କରିଥିଲେ। ଉଭୟଙ୍କ ସଂସାର ବେଶ୍ ହସଖୁସିରେ ଚାଲିଥିବା ବେଳେ ସେମାନଙ୍କ ଏକ ୧୨ ବର୍ଷୀୟା ଝିଅ ଓ ୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଅଛନ୍ତି।
ଗତ କିଛି ବର୍ଷ ହେବ ସୌରଭଙ୍କ ବେପାରରେ କ୍ଷତି ହେଉଥିବାରୁ ସେ କୋଟି କୋଟି ଟଙ୍କା ଧାରକରଜରେ ବୁଡ଼ି ଯାଇଥିଲେ। ଏପରିକି କରଜ ଟଙ୍କାର ସୁଧ ବି ପରିଶୋଧ କରି ପାରୁ ନ ଥିଲେ। ଏହାକୁ ନେଇ ଋଣଦାତାମାନେ ତାଙ୍କୁ ବାରମ୍ବାର ଅପମାନିତ କରୁଥିଲେ। ଏନେଇ ସେ ନିଜ ପତ୍ନୀଙ୍କୁ ଜଣାଇବା ପରେ ଉଭୟ ଚରମ ନିଷ୍ପତ୍ତି ନେଇଥିଲେ।