ଉଈ ଚାଲିଯିବେ , ଆପଣାନ୍ତୁ ଘରୋଇ ଉପାୟ

 ଭଲ ଆସବାବପତ୍ରକୁ ଫମ୍ପା କରିବାରେ ଉଈ ସବୁବେଳେ ପ୍ରଥମ ।  ଉଈଙ୍କ ଖାଦ୍ୟ ହେଉଛି କାଠ । ଏମାନେ ଯେଉଁ କାଠ ଆସବାବପତ୍ର କିମ୍ବା କବାଟରେ ଲାଗିଯାଆନ୍ତି ତାକୁ ହିଁ ନିଜ ଘର ମାନିନିଅନ୍ତି । ବର୍ଷାଦିନ ତ ଯେମିତି ଉଈଙ୍କ ଋତୁ , ଘରେ ପାଣି କେଉଁଠି ଟିକେ ଅଧିକ ଦିନ ଜମିଗଲେ ଉଈ ହେବାଟା ସାର । ମୋଟା କାଠକୁ ବି ଫମ୍ପା କରିଦେଲା ଭଳି ଶକ୍ତି ରଖନ୍ତି ଉଈ । ଆଉ ଥରେ ଆସବାବପତ୍ରର କୋଣ ଅନୁକୋଣକୁ ଉଈ ମାଡ଼ିଗଲେ ଫୋପାଡ଼ିବା ବ୍ୟତୀତ ଆଉ କିଛି ଚାରା ନାହିଁ । ତେବେ ବଜାରରେ ଉଈ ମାରିବା ଭଳି ଔଷଧ ବା ସ୍ପ୍ରେ ସହଜରେ ମିଳିଯାଏ । କିନ୍ତୁ ଏହାର ଦୁର୍ଗନ୍ଧ କେବଳ ଉଈକୁ ନୁହଁ ମଣିଷକୁ ବି ବ୍ୟତିବ୍ୟସ୍ତ କରାଇପକାଏ । ଯାହାର ଗନ୍ଧ ଥରେ ଘରେ ଖେଳିଗଲେ ବହୁତ ସମୟ ଧରି ରହେ । ତେବେ ଘରୋଇ ଉପାୟ ଆପଣାଇ ମଧ୍ୟ ଆପଣ ଉଈକୁ ଘରୁ ଟା ଟା ବାଏ ବାଏ କରିପାରିବେ । କ’ଣ ଏହି ଉପାୟ ଏବଂ କେମିତି ପ୍ରୟୋଗ କରିବେ ଆସନ୍ତୁ ଜାଣିବା । 

ଉଈଙ୍କୁ ମାରିବା ପାଇଁ ଭିନେଗାରର ସ୍ପ୍ରେ ତିଆରି କରନ୍ତୁ । ରୋଷେଇ ଘରେ ଭିନେଗାର୍ ତ ନିହାତି ଥିବ ଯଦି ନଥାଏ ବଜାରରୁ କିଣିଆଣିବେ । ୩ ରୁ ୪ ଚାମଚ ଭିନେଗାରରେ ଅଧାମଗ୍ ପାଣି ମିଶାଇ ଏକ ସ୍ପ୍ରେ ବୋତଲରେ ରଖିଦିଅନ୍ତୁ । ଦିନକୁ ୩ ରୁ ୪ ଥର ଉଈ ଲାଗିଥିବା ସ୍ଥାନରେ ସ୍ପ୍ରେ କରନ୍ତୁ । ଏହିଭଳି ୩ ରୁ ୪ ଦିନ କରନ୍ତୁ ଉଈ ମରିଯିବେ । 
ବୋରିକ୍ ଏସିଡ୍ ପୋକ,ଅସରପା,କୀଟଙ୍କ ପାଇଁ ଯେମିତି ବିସ୍ଫୋଟକ ଭଳି କାମ କରେ ଉଈ ପାଇଁ ମଧ୍ୟ ଜହର ଭଳି କାମ କରେ । ଉଈ ହୋଇଥିବା ସ୍ଥାନରେ ବୋରିକ୍ ଏସିଡ୍ ଢାଳିଦିଅନ୍ତୁ ଉଈ ମରିଯିବେ ।  କଲରା ମଣିଷ ଶରୀର ପାଇଁ ବଳ , ଉଈଙ୍କ ପାଇଁ କାଳ । ଯେଉଁଠି ଉଈ ଲାଗିଛନ୍ତି ସେଠାରେ କଲରା ରସ ସ୍ପ୍ରେ କରନ୍ତୁ । ସମୟ ଲାଗିବ କିନ୍ତୁ ଉଈ ଚାଲିଯିବେ । ଠିକ୍ ସେହିଭଳି ନିମ୍ବତେଲ ମଧ୍ୟ ଉଈଙ୍କ ପାଇଁ ବିଷ ସହ ସମାନ । ଔଷଧୀୟ ଗୁଣରେ ଭରପୂର ନିମ୍ବତେଲ ଉଈ ମାଡ଼ିଥିବା ସ୍ଥାନରେ ସିଞ୍ôଚ ଦିଅନ୍ତୁ , କିଛି ଦିନ ଭିିତରେ ଉଈ ଚାଲିଯିବେ । 
ଲୁଣରେ ମଧ୍ୟ ଉଈଙ୍କୁ ମାରିହେବ । କିନ୍ତୁ ଏହା କେବଳ ପ୍ରାରମ୍ଭିକ ସମୟରେ ରାମବାଣ ଭଳି କାମ କରିଥାଏ । ଅତ୍ୟଧିକ ଉଈ ହୋଇଥିବା ସ୍ଥାନରେ ଲୁଣ ପକାଇଲେ ଫଳପ୍ରଦ ହେବନାହିଁ । ଏଥିପାଇଁ ଉଈ ସ୍ପ୍ରେ କରିବା ପାଇଁ ଆପଣ ବାଧ୍ୟ । ତେବେ ନିଜ ଦାମୀ ଆସବାବପତ୍ରକୁ ଏହିଭଳି ଘରୋଇ ଉପାୟ ଆପଣାଇ ଉଈ ଠାରୁ ଦୂରେଇ ରଖନ୍ତୁ ।