ସରିଲା ଜାତୀୟ ଶିକ୍ଷା ନୀତି : କର୍ମଶାଳା ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ନେଇ ଆଲୋଚନା
ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ନେଇ ଚାଲିଥିବା ତିନି ଦିନିଆ କର୍ମଶାଳାର ଆଜି ଥିଲା ଅନ୍ତିମ ଦିନ । ଅନ୍ତିମ ଦିନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗକୁ ନେଇ ଦଶଟି ଗ୍ରୁପ୍ ବିସ୍ତୃତ ଆଲୋଚନା କରିଥିଲେ ।
ପ୍ରାରମ୍ଭିକ ପର୍ଯ୍ୟାୟ, ମଧ୍ୟ ଏବଂ ମାଧ୍ୟମିକ ପର୍ଯ୍ୟାୟ, ମାଧ୍ୟମିକ ପର୍ଯ୍ୟାୟ-୨, ମୂଲ୍ୟାଙ୍କନ ଏବଂ ପରୀକ୍ଷା ସଂସ୍କାର, ଶିକ୍ଷକ ଶିକ୍ଷା ଏବଂ ଶିକ୍ଷକ ବିକାଶ, ଦକ୍ଷତା ବିକାଶ, ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ଶିକ୍ଷା, ବିଦ୍ୟାଳୟ ପରିଚାଳନା ଏବଂ ଐତିହ୍ୟ, ରାଜ୍ୟ ପାଠ୍ୟକ୍ରମ ରୂପରେଖର ବିକାଶ ଏବଂ ଡ୍ରପ୍ ଆଉଟ୍ ହାର କମ୍ କରିବା ନେଇ ଆଲୋଚନା କରାଯାଇଛି । ଅନ୍ତିମ ଦିନରେ ଦଶଟି ଦଳ ନିଜ ନିଜ ପ୍ରେଜେନ୍ଟେସନ୍ ମାଧ୍ୟମରେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଥିଲେ । ୨୦୨୫ ଶିକ୍ଷା ବର୍ଷରେ ଶିଶୁ ବାଟିକାକୁ ପରିଚାଳନା କରିବା, ପାଠ୍ୟପୁସ୍ତକର ବିକାଶ, ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଆଲୋଚନା କରାଯିବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିସ୍ତାର କରିବା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଏବଂ ଇଣ୍ଟରନେଟ୍ ସଂଯୋଗୀକରଣ ସମ୍ପର୍କରେ ପ୍ରେଜେନଟେସନ୍ ମାଧ୍ୟମରେ ଆଲୋଚନା କରାଯାଇଥିଲା ।