ପିଲା ଭୁଲ୍ କଲେ ସମ୍ଭାଳିବେ କେମିତି?

ଅଭିଭାବକଙ୍କ ବ୍ୟବହାର ପିଲାଙ୍କ ବ୍ୟକ୍ତିତ୍ୱକୁ ଆକାର ଦେଇଥାଏ। ତେଣୁ ପିଲାଙ୍କର କୌଣସି ଭୁଲ୍ରେ ହଠାତ୍ ରାଗିଯାଇ ଗାଳିଦେବା କିମ୍ବା ମାଡ଼ ମାରିବା ପରିବର୍ତ୍ତେ ପ୍ରଥମେ ତାଙ୍କୁ ସ୍ନେହରେ ଭଲ ଭାବେ ବୁଝାଇଲେ ସେମାନେ ସହଜରେ ନିଜ ଭୁଲ୍ ବୁଝିପାରନ୍ତି। ଏହା ନା କେବଳ ସେମାନଙ୍କ ମନରେ ସକାରାତ୍ମକ ପ୍ରଭାବ ପକାଏ ନା ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ ବରଂ ଏହାଦ୍ୱାରା ଅଭିଭାବକ ଓ ପିଲାଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହୋଇଥାଏ…
ପିଲାଙ୍କ ବ୍ୟବହାର, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଅଭିଭାବକଙ୍କର ସେମାନଙ୍କ ପ୍ରତି ବ୍ୟବହାର ଉପରେ ବହୁମାତ୍ରାରେ ନିର୍ଭର କରିଥାଏ। ଯଦିଓ ସମସ୍ତେ ନିଜ ପିଲା ପାଇଁ ସବୁବେଳେ ଭଲ କରିବାକୁ ଚାହାନ୍ତି ଆଉ ଏଥିପାଇଁ ସେମାନଙ୍କ ଭୁଲ୍ ସୁଧାରିବା ଲାଗି କେବେ କେବେ ମାଡ଼, ଗାଳି ମଧ୍ୟ ଦେଇଥାନ୍ତି ହେଲେ ସବୁବେଳେ ଏପରି ଆଚରଣ ଠିକ୍ ନୁହେଁ। କାରଣ ଏହାଦ୍ୱାରା ପିଲାଙ୍କ ମାନସିକତା ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ…
କଥା ଲୁଚାଇବା: ସାଧାରଣତଃ ପିଲାମାନେ ଖେଳକୁଦ, ମଜାମସ୍ତି ଭିତରେ ଛୋଟ ଛୋଟ ଭୁଲ୍ କରିବସନ୍ତି। ଏହା ଭୁଲ୍ ବୋଲି ତାଙ୍କୁ ବୁଝାଇବା ଦ୍ୱାରା ସେମାନେ ଏହା ଅନୁଭବ କରନ୍ତି ଏବଂ ଏହା ସେମାନଙ୍କ ଭଲ କଥା ଶିଖିବାର ଏକ ପ୍ରକ୍ରିୟା। ହେଲେ ଏମିତି ଅନେକ ମାତାପିତା ଅଛନ୍ତି ଯେଉଁମାନେ ପିଲାଙ୍କ ପ୍ରତିଟି ଭୁଲ୍ରେ ଖୁବ୍ ଜୋର ରାଗିଯାଇ ଗାଳିଦିଅନ୍ତି, ଏମିତିକି କେହି କେହି ବାଡ଼େଇବାକୁ ବି ପଛାନ୍ତି ନାହିଁ। ଏ କ୍ଷେତ୍ରରେ ପିଲା ନିଜ ଭୁଲ୍ରୁ ଶିଖିବା ପରିବର୍ତ୍ତେ ଭୟରେ ଭୁଲ୍କୁ ମାଆବାପାଙ୍କ ଆଗରେ ଲୁଚାଇବା ଆରମ୍ଭ କରିଦିଏ; ଯାହାକି ଧୀରେ ଧୀରେ ସେମାନଙ୍କୁ ମାନସିକ ସ୍ତରରେ ଅଭିଭାବକଙ୍କଠାରୁ ଦୂରେଇଦିଏ।
ଆତ୍ମବିଶ୍ୱାସ କମିଯିବା: ପ୍ରତ୍ୟେକ ପିଲା ପରସ୍ପରଠୁ ଭିନ୍ନ ଏବଂ ଚିନ୍ତାଧାରା ମଧ୍ୟ ଅଲଗା ହୋଇଥାଏ। ଏମିତିରେ ପିଲା କିଛି ଭୁଲ୍ କଲେ ଯେତେବେଳେ ଅଭିଭାବକ ତାଙ୍କ ଭାବନାକୁ ବୁଝିବା ବଦଳରେ ଗାଳିକରିବା ଆରମ୍ଭ କରିଦିଅନ୍ତି। ଏଭଳିି ପରିସ୍ଥିତିରେ ସେମାନେ ନିଜ ପକ୍ଷ ରଖିବାକୁ ପଛଘୁଞ୍ଚା ଦେଇଥାନ୍ତି। ଏହା ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦିଏ ଏବଂ ଆତ୍ମବିଶ୍ୱାସ କମିଯାଏ।
ନିଜକୁ ଦୋଷୀ ଭାବିବା: ସବୁବେଳେ ପିଲାଙ୍କୁ ଗାଳିଦେଲେ ଏହା ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମିତିକି ସେମାନେ ନିଜକୁ ସବୁବେଳେ ଦୋଷୀ ବୋଲି ଭାବିବା ଆରମ୍ଭ କରିଦିଅନ୍ତି। ଏହାଦ୍ୱାରା ଭୁଲ୍କୁ ସୁଧାରି ଠିକ୍ କାମ କରିବା ପରିବର୍ତ୍ତେ ମୁଁ ଯାହା କରିବି ତାହା ଭୁଲ୍ ହିଁ ହୋଇଯିବ ଭାବି ବାରମ୍ବାର ଭୁଲ୍ କରିବସନ୍ତି।
କ୍ରୋଧ କରିବା: ପିଲା ଭୁଲ୍ କଲେ ବୁଝାଇବା ସହ କେବେ କେବେ ଗାଳି ଦେବାକୁ ପଡ଼ିଥାଏ। ହେଲେ ଏହାର ଅର୍ଥ ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସି ଚିଲେଇବା, ବିଭିନ୍ନ ଅପଶବ୍ଦ ବ୍ୟବହାର କରିବା। କାରଣ ଏହା ପିଲାଙ୍କୁ ଏତେମାତ୍ରାରେ ପ୍ରଭାବିତ କରେ ଯେ, ଧୀରେ ଧୀରେ ସେମାନଙ୍କ ସ୍ବଭାବ ବି ଚିଡ଼ିଚିଡ଼ା ଏବଂ ରାଗି ହୋଇଯାଏ। ଯାହାଦ୍ୱାରା ସେମାନେ କଥା କଥାରେ କ୍ରୋଧିତ ହୋଇପଡ଼ନ୍ତି।
କ’ଣ କରିବା ଦରକାର…
– ପିଲା କୌଣସି ଭୁଲ୍ କଲେ ରାଗରେ ଗାଳିଦେବା ପରିବର୍ତ୍ତେ ଶାନ୍ତିପୂର୍ବକ କଥା ହୁଅନ୍ତୁ ଏବଂ ଏହି ଭୁଲ୍ ଯୋଗୁ କ’ଣ ସବୁ ଅସୁବିଧା ହୋଇପାରେ ବୁଝାନ୍ତୁ। ଏପରି କଲେ ପିଲାଙ୍କଠାରେ ଆତ୍ମବିଶ୍ୱାସ ବଢ଼ିଥାଏ।
– ଭୁଲ୍ କଲେ ହଠାତ୍ ପ୍ରତିକ୍ରିୟା ପ୍ରକାଶ ନ କରି ପିଲାଙ୍କ କଥା ଶୁଣନ୍ତୁ ଏବଂ ତାଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କାରଣ ସେମାନଙ୍କ ସହ ଖୋଲା ଭାବେ ଏବଂ ସକାରାତ୍ମକ ଢଙ୍ଗରେ କଥା ହେଲେ ସେମାନେ ଡରିବା, ମିଛ କହିବା ବଦଳରେ ନିଜ ଭୁଲ ବୁଝିପାରନ୍ତି ଏବଂ ଏହାର ପୁନରାବୃତ୍ତି ଆଉ କରନ୍ତି ନାହିଁ। ଏପରି କଲେ ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିବ।
– ଯଦିଓ କେବେ କେବେ ପିଲାଙ୍କୁ ସୁଧାରିବା ପାଇଁ ଛୋଟ ଛୋଟ ଦଣ୍ଡଦେବା ଦରକାର ହେଲେ ଏହା ଆବଶ୍ୟକରୁ ଯେପରି ଅଧିକ ନ ହୁଏ ସେଥିପ୍ରତି ଯତ୍ନଶୀଳ ହୁଅନ୍ତୁ। ପିଲାଙ୍କୁ ଶାରୀରିକ କଷ୍ଟ ଏବଂ ମାନସିକ ଡରଠୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ।
– ଭୁଲ୍ କଲେ ବୁଝାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ପିଲାଙ୍କୁ ଭଲ ମାର୍ଗରେ ନେବା ଲାଗି ଠିକ୍ କଲେ କିମ୍ବା କୌଣସି ଭଲ କାମ କଲେ ପ୍ରଶଂସା କରିବା ବି ସେତିକି ଗୁରୁତ୍ୱପୂର୍ଣ୍ଣ। ଏପରି କରନ୍ତୁ ଦେଖିବେ ପିଲାଙ୍କଠାରେ ସବୁବେଳେ ଭଲ କାମ କରିବାର ମନୋବୃତ୍ତି ସହ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ।