ବନାଗ୍ନୀ ସଫଳ ମୁକାବିଲା ପାଇଁ ଆକ୍ସନ ପ୍ଲାନ
ବାରିପଦା/ସାରସକଣା : ଓଡିଶାର ସର୍ବବୃହତ ଜୈବ ମଣ୍ଡଳ ଶିମିଳିପାଳରେ ନିଆଁ ଲାଗିବାରୁ ସୁରକ୍ଷା ଦେବା ଏବଂ ଏହି ବନାଗ୍ନିକୁ ରୋକିବା ନିମନ୍ତେ ପ୍ରଶାସନିକସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ବନାଗ୍ନି ରୋକିବା ନିମନ୍ତେ, ଜଙ୍ଗଲ ଅଗ୍ନି ନିରାକରଣ ଏବଂ ପରିଚାଳନା କାର୍ଯ୍ୟ ଯୋଜନା ସମ୍ବନ୍ଧରେ ଜିଲ୍ଲା ସମନ୍ୱୟ କମିଟି ବୈଠକ, ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶିମିଳିପାଳ ଏକ ଉସ୍ମକଟୀବନ୍ଧିୟ ଅର୍ଦ୍ଧ-ସବୁଜ ଜଙ୍ଗଲ ତଥା ଆଦ୍ର ମିଶ୍ରିତ ଜଙ୍ଗଲ ହୋଇଥିବାରୁ ଏହା ସାଧାରଣତଃ ଡିସେମ୍ବର ମାସ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପତ୍ରଝଡା ଦେଇଥାଏ ଏବଂ ଜଙ୍ଗଲର ଅନେକାଂଶ ଶୁଷ୍କ ଥିବାରୁ, ଅନେକ ମାତ୍ରାରେ ନିଆଁ ଲାଗିବାର ସମ୍ଭାବନା ଥାଏ । ଏଣୁ ବନାଗ୍ନିକୁ ରୋକିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଶିମିଳିପାଳ ଉପ-ନିଦେ୍ର୍ଦଶକ, ସମ୍ରାଟ ଗୌଡା ଓ ସାଇକିରଣଙ୍କ ଉପସ୍ଥିତି ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀଙ୍କ ସହିତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶ ସୂଚନା ଦେଇଥିଲେ ଯେ, ଶିମିଳିପାଳରେ ନିଆଁ ଲାଗିବାର ପ୍ରମୁଖ କାରଣ ହେଉଛି ପରିବେଶ ସଚେତନତା ଅଭାବ । ଏହି ଅଗ୍ନି ବିନ୍ଦୁ କେନ୍ଦ୍ର ମାନଙ୍କରୁ ପ୍ରତ୍ୟେକ ବର୍ଷ ଜଙ୍ଗଲରେ ନିଆଁ ଲାଗି ଅନେକ ଜୈବ ବିବିଧ ନଷ୍ଟ ହେଉଛି । ଏହା ଛଡା ଅନେକ ମନୁଷ୍ୟକୃତ କାର୍ଯ୍ୟକଳାପ ଯଥା ପୋଡୁଚାଷ, ଧାନ ନଡ଼ା ଜାଳିବା, ଶିକାର ଉଦେ୍ଦଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଦେବା , ଅନଧିକାର ଜବରଦଖଲ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଭଳି କାର୍ଯ୍ୟ ଯୋଗୁଁ ବନାଗ୍ନି ଭଳି ଦୁର୍ବିପାକ ହେଉଛି । ପଥପ୍ରାନ୍ତ ନାଟକ, ପାଲା, ଦାସକାଠିଆ, ଲୋକକଳା ମାଧ୍ୟମରେ ପ୍ରତୀକ୍ଷିତ ହଟସ୍ପଟ୍ ନିକଟବର୍ତ୍ତି ୭୩୪ଟି ଗ୍ରାମ ମାନଙ୍କରେ ଅନୁଷ୍ଠିତ ହେବ । ଏହାଛଡା, ଜିଲ୍ଲାପାଳ ଶ୍ରୀ ସୟ ଏହି ସଚେତନତା ପାଇଁ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର କରିବାପାଇଁ ନିଦେ୍ର୍ଦଶ ଦେଇଥିଲେ । ଯୁବ ବର୍ଗଙ୍କ ମଧ୍ୟରେ ରିଲ୍, ଫୋଟୋଗ୍ରାଫି ପ୍ରତିଯୋଗିତା ସମେତ ସଚେତନତା ଧର୍ମୀ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିବାପାଇଁ ଅନୁରୋଧ କରିଥିଲେ । ଏହାଛଡା ୭୭୩୧.୫୪ କିମି ବନଖଣ୍ଡ ଅଞ୍ଚଳରେ ଫାୟାର ଲାଇନ ନିର୍ମାଣ କରାଯିବାପାଇଁ ମଧ୍ୟ ଏହି ସମନ୍ୱୟ ବୈଠକରେ ଆଲୋଚନା କରାଯାଇଥିଲା । ଏହି ସଚେତନତା ଅଭିଯାନରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ସବୁ ବ୍ଲକ୍ ବିଡିଓଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ଜିଲ୍ଲାପାଳ କହିଥିଲେ । ଏହି ଆଧାରରେ, ଡିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ୫୪ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରିବାର ଯୋଜନା ଅଛି । ବୈଠକରେ, ଜିଲ୍ଲା ପରିଷଦ, ମୁଖ୍ୟ ଉନ୍ନୟନ ଅଧିକାରୀ ଶାନ୍ତନୁ ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ, ଅତିରିକ୍ତ ବନରକ୍ଷୀ ରବି ନାରାୟଣ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶିବରାମ ମୁଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠି ପ୍ରମୁଖ ଯୋଗଦେଇଥିଲେ ।