ବହି ବସ୍ତାନି ବଦଳରେ ହାତରେ ରେଞ୍ଚି ଓ ହାତୁଡି 

 ଦାନଗଦୀ : ଶିଶୁ ହସିଲେ ଦୁନିଆ ହସେ । ଆଜିର ଶିଶୁ କାଲିର ଦେଶର ଭବିଷ୍ୟତ । ସଭିଁଏ ପଢିବା, ସଭିଏଁ ବଢିବା ସ୍ଲୋଗାନ ସବୁ ସ୍ଲୋଗାନରେ ରହିଯାଉଛି । ରାଜ୍ୟ ସରକାରଙ୍କର ଶିକ୍ଷା ଅଧିକାର ଆଇନ ଅନୁସାରେ ଜଣେ ଶିଶୁ ପ୍ରଥମରୁ ୧୪ବର୍ଷ ପର୍ଯ୍ୟନ୍ତ ନିଶୁକ୍ଳ ବାଧ୍ୟତା ମୂଳକ ଭାବେ ଶିକ୍ଷା ଗ୍ରହଣ କରିବା ଉଚିତ । ସେ ବୟସ ଭିତରେ ତାକୁ କୌଣସି କାମ କିମ୍ବା ବେପାରରେ ଲଗାଯାଇ ପାରିବ ନାହିଁ । ୧୪ ରୁ ୧୮ବର୍ଷ ପର୍ଯ୍ୟନ୍ତ କୌଣସି କଠିନ କାମରେ ଶିଶୁଙ୍କୁ କେହି ନିୟୋଜିତ କରି ପାରିବେ ନାହିଁ । ଶିଶୁ ଶ୍ରମିକ ମାନଙ୍କୁ ଠାବ କରି ଥଇଥାନ କରିବା ପାଇଁ ଜିଲା ସ୍ତରରେ ଟାକ୍ସଫୋର୍ସ ଗଠନ ହୋଇଛି । ଟାକ୍ସ ଫୋର୍ସ ବିଭିନ୍ନ ସ୍ଥାନରେ ଚଢାଉ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରୁଛି । ଏହାସହ ବ୍ଲକ ସ୍ତରରେ କିଛି ସରକାରୀ, ବେସରକାରୀ ସଂସ୍ଥା କାମ କରୁଛନ୍ତି । ଦାନଗଦୀ ବ୍ଲକରେ ଏପରି ଶିଶୁଙ୍କୁ ଠାବ କରିବା ପାଇଁ ଏନଜିଓ ସଂସ୍ଥାର ଜଣେ ଜଣେ କର୍ମୀ ପଂଚାୟତ ସ୍ତରରେ ଦରମା ନେଇ ନିଯୁକ୍ତି ହୋଇଛନ୍ତି । ଏତେ କଟକଣା ସ୍ୱତେ କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ ଛକ ବଜାର, ଗାଁରେ ଶିଶୁ ମାନେ ବେପାର ବଣିଜ କରିବା ଠାରୁ କୋଡ଼ି ଫାଉଡ଼ା, ହାତୁଡ଼ି-ରେଞ୍ଚି ଧରି କାମ କରୁଛନ୍ତି । ଯେଉଁ ବୟସରେ ବହି ବସ୍ତାନି ଧରି ବିଦ୍ୟାଳୟ ମୁହାଁ ହେବା କଥା ସେହି ବୟସରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରିବା ଘଟଣା ସରକାରୀ କଟକଣା ବାଟବଣା ହୋଇଛି ବୋଲି କୁହାଯାଇପାରେ । ଦାନଗଦୀ ବଜାର ଓ ସୋଲେଇ ଶିଶୁ ମନ୍ଦିର ସମ୍ମୁଖରେ ଥିବା ମୋଟର ସାଇକେଲ ଗ୍ୟାରେଜରେ ନାବାଳକ  ହାତରେ ରେଞ୍ଚି ହାତୁଡି ଧରି କାମ କରୁଥିବାର ଦେଖିବାକୁ ମିଳୁଛି । ସୁକିନ୍ଦା ରୋଡ଼ ରେଳ ସାଇଡିଂରେ ଥିବା କୋଇଲା ପ୍ଲଟରେ ନାବାଳକ କୋଇଲା ଗୋଟାଇ ବିକିବା ସହ ସେ ପଇସାରେ ମଦ ଗୁଟୁଖା ଖାଇ ଅବାଟକୁ ଯାଇ ନିଜର ଭବିଷ୍ୟତ ଅନ୍ଧାର କରୁଛନ୍ତି । ଆଉ ଛକ ବଜାର ଓ ହାଟ ମାନଙ୍କରେ ଅଳ୍ପ ବୟସର ପିଲାମାନେ ଗୁପୁଚୁପ, ଜିଲାପି, ବିକୁଛନ୍ତି ତ କେତେକ ଭିକ୍ଷା ବୃତି କରୁଥିବାର ଦେଖିବାକୁ ମିଳୁଛି । ଏନଜିଓ କର୍ମୀ ଖାଲି ମୋଟା ଅଙ୍କର ଦରମା ନେଇ ଘରେ ବସି ସବୁଠିକ ଅଛି ବୋଲି ରିପୋର୍ଟ କରୁଛନ୍ତି । ଏହାହିଁ ଦର୍ଶାଉଛି କି ଗାଁ ଗହଳିରେ ସଚେତନତା କାର୍ଯ୍ୟକ୍ରମ ହେଉନାହିଁ । ଲୋକ ଦେଖାଣିଆ ଫଟୋ ଉଠାଇ ଗାଁ ମାନଙ୍କରେ କେହି ଶିଶୁ ଶ୍ରମିକ ନାହାଁନ୍ତି ସବୁ ବିଦ୍ୟାଳୟକୁ ଯାଉଛନ୍ତି ବୋଲି ଦର୍ଶାଇବାରେ ଲାଗିଛନ୍ତି ।  ଗାଁ ଗହଳିରେ ଥିବା ନିରକ୍ଷର ପିତା ମାତାଙ୍କୁ ସଚେତନତା କାର୍ଯ୍ୟକ୍ରମ କରି କିପରି ବିଦ୍ୟାଳୟକୁ ଦୈନିକ ପିଲାମାନେ ଯିବେ ସେ ଦିଗରେ ଅନୁସରଣ କରିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଶିଶୁମାନଙ୍କୁ ଶିକ୍ଷା ଦେବା ପାଇଁ ଆଦିବାସୀ ଗାଁ ମାନଙ୍କରେ ଗୋଟେ ଗୋଟେ କଳିକା କେନ୍ଦ୍ର ଖୋଲିଛି । ସରକାରଙ୍କ ଠାରୁ ଆଏମଟିଏସ ନାମକ ସଂସ୍ଥା ଏହା ପରିଚାଳନା କରୁଛି । ସେଠି ନିଯୁକ୍ତି ଥିବା ମହିଳା ଦିଦି ଓ ଆୟା ଛୁଆଙ୍କୁ ଡାକି ଖାଇବାକୁ ଦେଲା ପରେ କାମ ସାରିଦେଉଛନ୍ତି ।  ଅଙ୍ଗନବାଡିରେ ମଧ୍ୟ ସମାନ ଅବସ୍ଥା । ସବୁ କ୍ଷେତ୍ରରେ ଏପରି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା  ପାଇଁ ଓ ଉପରିସ୍ଥ ଅଧକାରୀ କ୍ଷେତ୍ରକୁନଆସି କାଗଜ ପତ୍ରରେ ସନ୍ତୁଷ୍ଟ ରହିବାରୁ ଶିଶୁ ମାନେ ବୁଲାବୁଲି କରି ଶ୍ରମିକ ହେଉଛନ୍ତି । ଏପରି ଶିଶୁଶ୍ରମିକ ମାନଙ୍କୁ ଦୃଷ୍ଟି ଦେଇ ଥଇଥାନ କରିବା ସହ ଦାୟିତ୍ୱ ଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଲେ ଶିଶୁ ମାନଙ୍କ ଭବିଷ୍ୟତ ଉଜ୍ଜଳ ହୋଇ ପାରିବ । ନଚେତ ସରକାରଙ୍କ ଲକ୍ଷ କେବଳ ଟଙ୍କା ଗଣାରେ ଯିବ ।