ରାଇଗୋଡ଼ା ନିଷିଦ୍ଧାଞ୍ଚଳରୁ କଳାପଥର ଲୁଟ୍ : କାର୍ପଟଦାର ସାଜିଛନ୍ତି ପ୍ରଭାବଶାଳୀ
କବାଟବନ୍ଧ: କଳାପଥର ଚୋରା ଚାଲାଣ ରାଜ୍ୟରେ ପ୍ରମ୍ମୁଖ ପ୍ରସଙ୍ଗ ହୋଇଛି । ଯାଜପୁର ଜିଲା ସୀମାନ୍ତ ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଥାନା ଅଧୀନ ରାଇଗଡା ପାହାଡ଼ରୁ କଳାପଥର ଲୁଟ ହେଉଛି । ଦୈନିକ ବେଆଇନ ଭାବରେ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ଖଣିଜ ସମ୍ପଦ । ପ୍ରଶାସନିକ ବଡ଼ପଣ୍ଡା ବାବୁଙ୍କ ମାସିକିଆ ବଟିରେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ପୂର୍ବ ସରକାର ଥିବା ସମୟରେ ଏହି ଖଣି ସବୁ ବନ୍ଦ ରହିଥିଲା । ସରକାର ପରିବର୍ତ୍ତନ ପରେ ମାଫିଆ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରି ଲୁଟ ଆରମ୍ଭ କରିଦେଇଛନ୍ତି । ଲୁଟ୍ର ମାଷ୍ଟର ମାଇଣ୍ଡ ନିହଲପ୍ରସାଦ ଅଞ୍ଚଳର ଦୁଇଜଣ କାର୍ପଟଦାର ବୋଲି ଆଲୋଚନା ହେଉଛି । ରାଜ୍ୟରେ ଥିବା ଲଘୁ ଖଣିଜ ସମ୍ପଦ ଲୁଟ୍ କାରବାରକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ଷ୍ଟିଲ ଏବଂ ମାଇନ୍ସ ବିଭାଗ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇଛି । ଏଠାରେ ଦେଖିଲେ ତାହା କାର୍ଯ୍ୟାନୁଷ୍ଠାନ ପାଣିର ଗାର ସଦୃଶ୍ୟ ହୋଇଛି ।
ରାତି ଦିନ ଏକ କରି ମାଫିଆ କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ବେଧଡକ ଭାବେ ଲୁଟିନେଉଛନ୍ତି । ପ୍ରଶାସନକୁ ନାଁ ଅଛି ଡର ନା ଭୟ । ଉକ୍ତ ଖଣିକୁ ଦେଖିଲେ ଲୁଟ୍କୁ ମୋଟା ଅଙ୍କର ବଟିନେଇ ନିଦାବିଷ୍ଣୁ ସାଜିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ଦୀର୍ଘବର୍ଷ ହେବ ବନ୍ଦହୋଇ ରହିଥିବା ରାଇଗୋଡା ଜଙ୍ଗଲ କିସମ ନିଷିଦ୍ଧ ପାହାଡ଼ରୁ ରାଜ୍ୟରେ ସରକାର ପରିବର୍ତନ ହେବାପରେ ଆଖବୁଜା ପଥର ଚୋରି ଚାଲିଛି । କୋଟିକୋଟି ଟଙ୍କାର ରାଜସ୍ୱ ସରକାର ହରାଉଥିବା ବେଳେ ମାଫିଆମାନେ ମାଲେମାଲ ହେଉଛନ୍ତି । ଚୋରି ହେଉଥିବା ପଥର ଟନ୍ ପିଛା ୫୦ ରୁ ୬୦ ଟଙ୍କା ସିଧାସଳଖ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ଚୋରି ପାଇଁ ଏଠାରେ ଶାସକ ବିଜେପି ଓ ବିରୋଧୀ ବିଜେଡି ଦଳ ମଧ୍ୟରେ ଅନୈତିକ ମେଣ୍ଟ ହୋଇଛି ବୋଲି ଆଲୋଚନା ହେଉଛି । ବିଜେଡିର ଆଗଧାଡିର ନେତା ବୋଲାଉଥିବା ଜନୈକ ନିହଲପ୍ରସାଦ ଥାନା ଚଡକମରା ଗ୍ରାମର କ୍ରସର ବ୍ୟବସାୟୀ ଏବଂ ଜଣେ ମଦ ବ୍ୟବସାୟୀ ମିଶି କଳାପଥର ଚୋରିର ପ୍ରମ୍ମୁଖ କାର୍ପଟଦାର ସାଜିଛନ୍ତି । ପଥର ଚୋରୀର ମୁଖ୍ୟ ସୂତ୍ରଧର କ୍ରସର ବ୍ୟବସାୟୀ । ଯିଏକି ବେଆଇନ ପଥରକୁ ଗଛିତ ରଖି ତାହାକୁ କ୍ରସରରେ ଚୁରି ଚଢାଦରରେ ବିଭିନ୍ନ ସ୍ଥାନକୁ ଚାଲାଣ କରିଥାନ୍ତି । ଜିଲା ଖଣିବିଭାଗ ଗଛିତ କଳାପଥର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ସନେ୍ଦହ ସୃଷ୍ଟି କରୁଛି । ଜଙ୍ଗଲ ଓ ପରିବେଶ ଧ୍ୱଂସ କରି ମାଫିଆ ରାଇଗୋଡା ଜଙ୍ଗଲ କିଶମ ନିଶିଦ୍ଧ ପାହାଡରୁ କିପରି ଦୈନିକ କୋଟି କୋଟି ଟଙ୍କାର ପଥର ଲୁଟ କରି ଚାଲିଛନ୍ତି ତାହା ଏବେ ପ୍ରଶ୍ନ ହୋଇଛି । ଏଦିଗରେ ରାଜ୍ୟ ସରକାର ଢେଙ୍କାନାଳ ମନ୍ତ୍ରୀ ଦୃଷ୍ଟି ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।