ଏନ୍ଏସି ଦାବିରେ ବିଜେଡ଼ିର ଶୋଭାଯାତ୍ରା : ମନମୋହନଙ୍କ ଗସ୍ତ ପୂର୍ବରୁ ପ୍ରମିଳାଙ୍କ ଶକ୍ତି ପ୍ରଦର୍ଶନ

 ବିଞ୍ଝାରପୁର/ସିଂହପୁର : ଯାଜପୁରକୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆସନ୍ତାକାଲି ୧୧ତାରିଖ ଦ୍ୱିତୀୟ ଦିନରେ ମନମୋହନ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ନନ୍ଦିପୁର ଠାରେ ଆୟୋଜିତ ସମାବେଶରେ ଯୋଗ ଦେଇ କର୍ମୀଙ୍କୁ ସମ୍ଭୋଧନ ଦେବା ସହ ବିଜେପିରେ ସାମିଲ ହେବାକୁ ଥିବା ଅନ୍ୟଦଳର କର୍ମୀ ଏବଂ ନେତାଙ୍କୁ ଦଳୀୟ ଟୋପି ପିନ୍ଧାଇବେ । ବିଜେପି ରାଜ୍ୟ ସଭାପତିଙ୍କ ଗସ୍ତକୁ ସଫଳ କରିବା ଏବଂ ଶକ୍ତ ପ୍ରଦର୍ଶନ କରିବାକୁ ଲାଗିପଡିଥିବା ବେଳେ ଦିନକ ପୂର୍ବରୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ କିନ୍ତୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ରାଜନୀତିରେ ପୋଖତ ପ୍ରମିଳା ବିଞ୍ଝାରପୁରକୁ ଏନଏସିରୁ ବିଜେପି ସରକାର ବାଦ ଦେବା ପ୍ରତିବାଦରେ ଶୋଭାଯାତ୍ରାର ଆୟୋଜନ କରି ନିଜର ଏବଂ ଦଳର ଶକ୍ତି ପ୍ରଦର୍ଶନ କରିଥିଲେ । ପ୍ରମିଳାଙ୍କ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଏବଂ ସମର୍ଥକ ସାମିଲ ହୋଇଥିଲେ । ପୂର୍ବ ବିଜେଡ଼ି ସରକାରରେ ବିଞ୍ଝାରପୁରକୁ ଏନଏସି ଘୋଷଣା ହେଇଥିବା ବେଳେ ବିଜେପି ସରକାର ଏହାକୁ ବାଦ୍ ଦେଇଥିବା ଅଭିଯୋଗ କରି ଆଜି ବିଧାୟିକା ପ୍ରମିଳା ମଲିକ୍ଙ୍କ ନେତୃତ୍ୱରେ ବିଜେଡ଼ି ପକ୍ଷରୁ ଏକ ପଦଯାତ୍ରା କରାଯାଇଛି । ଏନ୍ଏସି ଦାବି ଥିବା ଅଞ୍ଚଳ ମେଡିକାଲ୍ ଛକ ଠାରୁ ବ୍ଳକ୍ ଛକ ପର୍ଯ୍ୟନ୍ତ ପଦଯାତ୍ରା କରି ବିଞ୍ଝାରପୁର ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବିଞ୍ଝାରପୁରର ଉନ୍ନତିରେ ନୁଆ ବିଜେପି ସରକାର ବାଧା ସୃଷ୍ଟି କରୁଥିବା ବେଳେ ସଂଖ୍ୟା ଲଘୁ ସଂପ୍ରଦାୟ ଲୋକଙ୍କୁ ବିଜେପି ସରକାର ଅଣଦେଖା କରି ବିଞ୍ଝାରପୁରକୁ ଏନଏସିରୁ ବଞ୍ଚିତ କରିଛନ୍ତି ବୋଲି କହିଛନ୍ତି ପ୍ରମିଳା । ପଦଯାତ୍ରାରେ ବ୍ଳକ୍ ଅଧକ୍ଷା ରଞ୍ଜିତା କୁମାରୀ ଦାସ୍, ଉପାଧ୍ୟକ୍ଷ ସେକ ଏର୍ସାଦ୍, ବ୍ଲକ ସଭପତି ନନ୍ଦିକିଶୋର ସାମଲ, ମୁରଲୀ ବେହେରା, ପ୍ରଦୀପ ମହାନ୍ତି, ବାବିନ ଦାସ୍, ମୁକ୍ତିକାନ୍ତ ସାମଲ, ଯୁବ ସଭାପତି ଦିଲ୍ଲୀପ ରାଉଳ, ମହିଳା ସଭାପତି ତଥା ଜିଲ୍ଲାପରିଷଦ ସଭ୍ୟା ଅହଲ୍ୟା ସ୍ୱାଇଁ, ସୁନିତା ନାୟକ, ଖଗେଶ୍ୱର ମହାନ୍ତି, ମାମିନା ମଲିକ୍, ସୁଖରଞ୍ଜନ ପରିଡା, ଅରୁଣ କୁମାର ସାହୁ, ସରପଞ୍ଚ ସେକ ରାଜା, ଆଶାଲତା ସାହୁ, ସେକ ମୋଜାଇଦ, ଶ୍ୟାମସୁନ୍ଦର ବେହେରା, ସରପଞ୍ଚ କାର୍ତିକ ଧଳ, ସ୍ମୃତି ସମୀକ୍ଷା ମାଲିକ୍, ପାର୍ବତୀ ମଲ୍ଲିକ, କଳିକା ଦାସ୍, ଗୋପବନ୍ଧୁ ଦାସ୍, ନନ୍ଦକିଶୋର ମଲିକ୍, ସେକ ଲାକି, ଅଜିତ ସହୁ, ସେକ ଯାବେଦ୍, ଦେବପ୍ରସାଦ ସେଠୀଙ୍କ ସମେତ ସୟଦପୁର, ବିଂଝାରପୁର ଓ ମଂସଡ଼ା ସମେତ ବ୍ଳକ୍ର ହଜାର ହଜାର ବିଜେଡ଼ି କର୍ମୀ, ପଞ୍ଚାୟତ ପ୍ରତିନିଧି ସାମିଲ ହୋଇଥିଲେ । ପ୍ରମିଳାଙ୍କ ଶକ୍ତ ପ୍ରଦର୍ଶନର ଜବାବ ବିଜେପି କିଭଳି ଦେଉଛି, ତାହା ଦେଖିବାର ଅଛି ।