ଏଆଇ ଜଗିବ ମଶା!
ବର୍ଷା ଆସିଲେ ମଶାଙ୍କ ପ୍ରାର୍ଦୁଭାବ ବଢେ । ସବୁଆଡ଼େ କାଦୁଅ, ପାଣି ଜମିବା ସହ ପୂରା ପରିବେଶ ଦୂଷିତ ହୋଇଥାଏ । ଯେଉଁଥିପାଇଁ ବର୍ଷା ଋତୁରେ ଲୋକ ଅଧିକ ମାତ୍ରାରେ ଡେଙ୍ଗୁ, ମ୍ୟାଲେରିଆରେ ଆକ୍ରାନ୍ତ ହୁଅନ୍ତି, କିନ୍ତୁ ଏହି ମଶାଙ୍କ ଉପରେ ଏବେ ଲଗାମ ଲାଗିବ । ମଶାଙ୍କ ସଂଖ୍ୟା କେତେ, ପ୍ରଜାତି ସାଙ୍ଗକୁ କେଉଁ କେଉଁ ସ୍ଥାନରେ ଅଧିକ ସଂଖ୍ୟାରେ ଅଛନ୍ତି ସେନେଇ ନଜର ରଖିବ ଏଆଇ । ଆନ୍ଧ୍ରପ୍ରଦେଶ ସରକାର ଏଥିପାଇଁ ସ୍ମାର୍ଟ ମସକ୍ୟୁଟୋ ସର୍ଭେଲାନ୍ସ ସିଷ୍ଟମ ବା ଏସଏମଓଏସଏସ୍ ନାମକ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନା ରାଜ୍ୟର ୬ଟି ସହରରେ ଲାଗୁ ହେବ । ଏଆଇ ଚାଳିତ ସେନ୍ସର ଏବଂ ଡ୍ରୋନ ମାଧ୍ୟମରେ ମଶା ଅଧିକ ହେଉଥିବା ସ୍ଥାନ ଓ ସଂଖ୍ୟା ଉପରେ ନଜର ରଖାଯିବ । ସୋମବାର ନଗର ପ୍ରଶାସନ ଓ ସହରୀ ବିକାଶ ବିଭାଗ ତରଫରୁ ଏଭଳି କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବା ନେଇ ଟିଡିପିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।