ଅଯୋଧ୍ୟା-ବାରଣାସୀ ଯାତ୍ରା କଲେ ବରିଷ୍ଠ ନାଗରିକ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା-ବାରାଣସୀ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପର୍ଯ୍ୟଟନ ଅଧିକାରୀ ମୀରା ବେହେରାଙ୍କ ପରିଚାଳନାରେ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଗରିବ ଗୁରବାଙ୍କ ପାଇଁ ଏକ ଅପୂର୍ବ ଯୋଜନା । ଓଡ଼ିଶାର ପରମ୍ପରା ସଂସ୍କୃତି ବାହାର ରାଜ୍ୟ ସହ ଆଦାନ ପ୍ରଦାନ ଏବଂ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭୂତି ଏହି ଯୋଜନାର ମୂଳ ଲକ୍ଷ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପ୍ରତିବର୍ଷ ଚାଲୁରହିଛି । ଯେଉଁମାନେ ଚଳିତ ବର୍ଷ ଯାଇପାରି ନାହାନ୍ତି ପୁନଶ୍ଚ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲେ ସେମାନେ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ଏହି ତୀର୍ଥ ଭ୍ରମଣର ସୁଯୋଗ ନେଇ ପାରିବେ । ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥ ଯାତ୍ରୀ ଯେଉଁମାନଙ୍କ ମଧ୍ୟରେ ସହଯୋଗୀ ତୀର୍ଥ ଯାତ୍ରୀ ୨ ଜଣ ଦମ୍ପତି ତୀର୍ଥ ଯାତ୍ରୀ ୭୦ ଜଣ ଏବଂ ଏକକ ତୀର୍ଥ ଯାତ୍ରୀ ୯୭ ଜଣଙ୍କୁ ନେଇ ବସ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରୁ ଯାତ୍ରା ଆରମ୍ଭ କରିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମାନୁସାରେ ପ୍ରତ୍ୟେକ ତୀର୍ଥ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରତ୍ୟେକ ତୀର୍ଥ ଯାତ୍ରୀଙ୍କ ୬ଦିବସୀୟ ତୀର୍ଥ ଯାତ୍ରା ସଫଳ କାମନା କରିଥିଲେ । ସମ୍ମାନିତଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଯୋଗଦେଇ ତୀର୍ଥ ଯାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ ।