ଲାଞ୍ଚ ନେଇ ଫସିଲେ ତହସିଲଦାର ବାବୁ 

 ଲାଞ୍ଚ ନେଇ ଫସିଲେ ତହସିଲଦାର ବାବୁ 

ବାମରା : ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା । ଓଏଏସରେ ଟପ୍ପର ହୋଇଥିଲେ କିନ୍ତୁ ଲାଞ୍ଚ କାରବାର କରି ଏବେ ହରଡ଼ଘଣାରେ । ସେ ୨୦୧୯ ବ୍ୟାଚ୍‌ର ଓଏଏସ ଅଧିକାରୀ । ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ । ତହସିଲଦାରଙ୍କ ସମେତ ଡ୍ରାଇଭର ମଧ୍ୟ ଅଟକ ରହିଛନ୍ତି । ସୂଚନା ଅନୁଯାୟୀ, ଗୋଟିଏ ଚାଷ ଜମିକୁ ଆବାସିକ ଜମିରେ ବଦଳାଇବା ପାଇଁ ମ୍ୟୁଟେସନ କେସରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅଶ୍ୱିନୀ । ଏତେ ଟଙ୍କା ଦେଇପାରିବେନି ବୋଲି କହିବାରୁ ତହସିଲଦାର ମାତ୍ର ୧୫ ହଜାର ଟଙ୍କା ଦେବାକୁ କହିଥିଲେ । ଏନେଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ଅନୁସାରେ ତହସିଲଦାରଙ୍କ ଡ୍ରାଇଭର ପି. ପ୍ରବିଣ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ଏହା ପରେ ଭିଜିଲାନ୍ସ ପକ୍ଷରୁ ପଣ୍ଡାଙ୍କ ବିଭିନ୍ନ ଠିକଣାରେ ଚଢାଉ କରାଯିବା ସହ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରୁଛି । ଭୁବନେଶ୍ୱରରେ ଥିବା ତାଙ୍କ ଆବାସିକ ଘରୁ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ କରାଯାଇଛି ।