‘ସହାୟତା କରିପାରିବନି ଭାରତ’ ୟେମେନରେ ନିମିଶାଙ୍କୁ ଫାଶୀ
ନୂଆଦିଲ୍ଲୀ : କେରଳ ନର୍ସ ନିମିଷା ପ୍ରିୟାଙ୍କୁ ୟମେନ କୋର୍ଟରେ ଫାଶୀ ଦଣ୍ଡାଦେଶ ରଦ୍ଦ ପାଇଁ ଭାରତ ସରକାରଙ୍କ ସହାୟତା ନେଇ ଆଜି ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ଜୁଲାଇ ୧୬କୁ ନିମିଷାଙ୍କ ଫାଶୀଦଣ୍ଡ ନିର୍ଦ୍ଧାରିତ ହୋଇଥିବା ବେଳେ ଏହାପୂର୍ବରୁ ଭାରତ ସରକାର ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଯେହେତୁ ୟେମେନ୍ର ସରିଆ କୋର୍ଟ ନିୟମାନୁସାରେ ଏହି ଫାଶୀ ଦଣ୍ଡାଦେଶ ଦିଆଯାଇଛି ସେ ନେଇ ଭାରତ ସରକାର କୌଣସି ବି ସହାୟତା କରିପାରିବେ ନାହିଁ । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣି ନିଜର ପକ୍ଷ ରଖି କହିଛନ୍ତି ଯେ, ନିମିଷାଙ୍କୁ ବଞ୍ଚାଇବାକୁ ଏବେ ଗୋଟିଏ ମାତ୍ର ରାସ୍ତା ଅଛି । ତାହା ହେଉଛି ମୃତ ବ୍ୟକ୍ତିଙ୍କ ପରିବାର ଯଦି କ୍ଷତିପୂରଣ ରାଶି (ବ୍ଲଡ ମନି) ସ୍ୱୀକାର କରନ୍ତି ତେବେ ନିମିଷାଙ୍କ ଫାଶୀ ଅଟକି ପାରିବ । ଫାଶୀ ରୋକିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପ୍ରୟାସ କରିଛନ୍ତି, ହେଲେ ଏଥିରେ ସରକାରଙ୍କୁ ସଫଳତା ମିଳି ନାହିଁ ।
ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହଟ୍ଟାଙ୍କ ପୀଠରେ ଶୁଣାଣି କାଳରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ମୃତକଙ୍କ ପରିବାରଙ୍କୁ ବ୍ଲଡମନି ବାବଦରେ ୧ ମିଲିୟନ ଡଲାର ଅର୍ଥାତ ୮.୫ କୋଟି ଟଙ୍କାର କ୍ଷତିପୂରଣ ପ୍ରସ୍ତାବ ଦିଆଯାଇଥିଲା । ତେବେ ହୁତି ବିଦ୍ରୋହୀଙ୍କ ଚାପରେ ତାଙ୍କ ପରିବାର ଏହି ପ୍ରାସ୍ତାବକୁ ସ୍ୱୀକାର କରିନାହାନ୍ତି । ହୁତି ବିଦ୍ରୋହୀ ଏହାକୁ ଏକ ସମ୍ମାନର ପ୍ରଶ୍ନ କରିଛନ୍ତି । ଆଟର୍ଣ୍ଣି ଜେନେରାଲଙ୍କ ଅନୁସାରେ ଏହା ଏକ ଜଟିଳ ପ୍ରସଙ୍ଗ । ଏଥିରେ ସରକାର ଅଧିକ କିଛି କରିପାରିବେ ନାହିଁ । କାରଣ ହୁତିଙ୍କ ସହ ଭାରତ ସରକାରଙ୍କ ଔପଚାରିକ କୂଟନୈତିକ ସମ୍ପର୍କ ନାହିଁ ।
ସୂଚନାଯୋଗ୍ୟ କେରଳ ପଲ୍ଲକଡର ବାସିନ୍ଦା ନିମିଷା ପ୍ରିୟା ୨୦୦୮ରେ ୟେମେନର ଏକ ହସ୍ପିଟାଲରେ କାମ କରୁଥିଲେ । ୨୦୧୧ରେ ଭାରତରେ ଜଣେ ଅଟୋ ଡ୍ରାଇଭର ଟମି ଥମସନଙ୍କ ସହ ତାଙ୍କର ବିବାହ ହୋଇଥିଲା ଓ ସେ ସ୍ୱାମୀଙ୍କ ସହ ୟେମେନ ଚାଲି ଯାଇଥିଲେ । ଏହି ସମୟରେ ୟେମେନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତାଙ୍କ ସ୍ୱାମୀ ସେଠାରୁ ଚାଲି ଆସିଥିଲେ । ସେପଟେ ନିମିଷା ସେଠାରେ କ୍ଲିନିକ ଖୋଲି ସେଠାକାର ସ୍ଥାନୀୟ ବାସିନ୍ଦା ତଲାଲ ଅବଦୁ ମହଦୀଙ୍କୁ ତାଙ୍କର ବିଜନେସ୍ ପାର୍ଟନର କରିଥିଲେ । ପରବର୍ତ୍ତୀ ସମୟରେ ମହଦୀ ନିମିଷାଙ୍କୁ ଶାରୀରିକ ଓ ମାନସିକ ଶୋଷଣ କରିଥିଲା ଓ ନିମିଷାଙ୍କ ପାସପୋର୍ଟ ନେଇଯାଇଥିଲା । ୨୦୧୭ରେ ନିମିଷା ମହଦୀଙ୍କୁ ନିଶା ଔଷଧ ଦେଇ ନିଜ ପାସପୋର୍ଟ ଜବତ କରିଥିଲେ । କିନ୍ତୁ ଡୋଜ୍ ଅଧିକ ହେତୁ ମହଦୀଙ୍କ ମୃତୁ୍ୟ ହୋଇଥିଲା । ଯାହାକୁ ଭିତ୍ତି କରି ନିମିଷାଙ୍କୁ ସେଠାକାର କୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି ।