କାହିଁକି ହାରିଲା ଆପ୍: ନିଜ ଗୋଡ଼ରେ ନିଜ କୁରାଢ଼ି

ନୂଆଦିଲ୍ଲୀ: ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛି ଆପ୍ । ଦୁଇଟି ଟର୍ମ ଅର୍ଥାତ୍ ୧୦ ବର୍ଷ ପରେ ତୃତୀୟ ଥର ପାଇଁ ନିଜ ଗଡ଼ରେ ବିଜୟ ଧ୍ୱଜା ଉଡ଼ାଇବାର ଯେଉଁ ସ୍ୱପ୍ନ ଦେଖୁଥିଲା ତାହାକୁ ଆଜି ଭାଙ୍ଗି ଚୁରମାର କରିଦେଇଛି ବିଜେପି । ଶେଷରେ ଜନତା ଜନାର୍ଦ୍ଦନଙ୍କ ଆଦେଶରେ ଆଜି ବିଜେପି ଦିଲ୍ଲୀ ଦରବାରକୁ ହାତେଇ ନେଇଛି । ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ଅଭାବ ହେଉ ଅବା ଭୁଅାଁ ବୁଲାଇବା ଭଳି ଉଡ଼ା ପ୍ରତିଶ୍ରୁତି ଯୋଗୁଁ ଦଳ ଆଜି ବଡ଼ ପରାଜୟର ସମ୍ମୁଖୀନ ହୋଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ଖାଲି ସେତିକି ନୁହେଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଅପରିଣାମଦର୍ଶୀ କାର୍ଯ୍ୟପନ୍ଥା ଆଜି କେଜ୍ରିୱାଲ୍ଙ୍କୁ ରାଜନୀତିରେ ରସାତଳଗାମୀ କରିଦେଇଛି ବୋଲି କୁହାଯାଉଛି ।
ଗଡ଼ ପତନ ହେବା ପଛରେ ଅନେକ କାରଣ ରହିଥିଲେ ମଧ୍ୟ ସେଥିରୁ ୬ଟି ପ୍ରମୁଖ କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ଏଥିପାଇଁ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ହିଁ ଦାୟୀ ବୋଲି ବିଶେଷ ଭାବେ ଆଲୋଚନା ହେଉଛି । ଖାସ୍ କରି କେଜ୍ରିୱାଲଙ୍କ ଅହଙ୍କାର ହିଁ ଆଜି ଦିଲ୍ଲୀ ପରାଜୟର ଅନ୍ୟଏକ ମୁଖ୍ୟ କାରଣ ବୋଲି ସବୁଠି ଚର୍ଚ୍ଚା । ତେବେ ସେଇ ପ୍ରମୁଖ ୬ଟି କାରଣଗୁଡ଼ିକ ହେଉଛି ‘ଚର୍ଚ୍ଚିତ ଆପ୍ ନେତା ଜେଲ୍ଦଣ୍ଡ ଭୋଗିବା’, ‘ମାଗଣା ଯୋଜନା ଘୋଷଣା’, ‘କେଜ୍ରିୱାଲ ଗଢ଼ୁଥିବା ବିଳାସପୂର୍ଣ୍ଣ (ମୋଦିଙ୍କ ଭାଷାରେ ଶୀଶ ମହଲ) ଘର’, ‘ଯମୁନା ଆବର୍ଜନା’, ‘ବିଜେପିର ଆପ୍-ଦା ସ୍ଲୋଗାନ’ ଏବଂ ‘ଇଣ୍ଡିଆମେଣ୍ଟ ଜରିଆରେ ବିଜେପି ବିରୋଧରେ ଏକାଠି ଗର୍ଜୁଥିବା ଆପ୍-କଂଗ୍ରେସ ପରେ ଅଲଗା ପ୍ରଚାର କରିବା’
କେଜରିୱାଲ ଲଗାତାର ତିନି ଥର ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ କରିଥିଲେ । ତାଙ୍କ ସରକାରଙ୍କ ଲୋକପ୍ରିୟ ନୀତି ଯୋଗୁଁ ସେ କ୍ଷମତାରେ ରହିଥିଲେ । ପୂରା ଦଳ କେଜରିୱାଲଙ୍କ ଚାରିପାଖରେ ଘୁରି ବୁଲିଥିଲା । କିନ୍ତୁ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ ସେ ଗିରଫ ହୋଇ ଜେଲଦଣ୍ଡ ଭୋଗିବା ଦିଲ୍ଲୀ ରାଜନୀତିର ମୋଡ଼ ବଦଳାଇ ଥିଲା । ସାଧାରଣ ଲୋକଙ୍କ ଆସ୍ଥା ଓ ଭରସାକୁ ଭାଙ୍ଗି ଦେଇଥିଲେ କେଜ୍ରିୱାଲ୍ । ଆଉ ସାଧାରଣରେ କେଜ୍ରିୱାଲ୍ଙ୍କ ପ୍ରତିଛବି ମଳିନ ହୋଇଥିଲା । ସେହି ସମୟରେ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ ମଧ୍ୟ ଶିକ୍ଷା ଦୁର୍ନୀତି ମାମଲାରେ ଦୋଷୀ ହୋଇଥିବା ବେଳେ ଦୀର୍ଘ ସମୟ ଧରି ସେମାନଙ୍କୁ ଜାମିନ ମିଳିପାରିଲା ନାହିଁ । ନିର୍ବାଚନ ପୂର୍ବରୁ ଚର୍ଚ୍ଚିତ ନେତାମାନେ ଦୁର୍ନୀତିଯୁକ୍ତ ପ୍ରମାଣିତ ହୋଇ ଜେଲ୍ ଦଣ୍ଡ ଭୋଗିବା ନିର୍ବାଚନ ସମୀକରଣକୁ ପୂରା ବଦଳାଇଥିଲା ।
ସେହିପରି ଦିଲ୍ଲୀରେ ଆପ୍ ଲୋକପ୍ରିୟତା ହେବାର ପ୍ରମୁଖ କାରଣ ଥିଲା ମାଗଣା ବିଦୁ୍ୟତ୍ ଏବଂ ପାଣି ବଣ୍ଟନ ଭଳି ଯୋଜନା । ଏହି ନିର୍ବାଚନ ପୂର୍ବରୁ, ବିଜେପି ଏହିସବୁ ଯୋଜନାର ସମୀକ୍ଷା କରି ଏହାର କଡ଼ା ବିରୋଧ କରୁଥିବା ସମୟରେ କେଜରିୱାଲ ଏହାର ସୁଯୋଗ ନେଇ ସାରା ଦେଶରେ ମାଗଣା ବିଦୁ୍ୟତ୍ ଏବଂ ଚିକିସôା ଭଳି ଯୋଜନା ଘୋଷଣା କରିଥିଲେ । କିନ୍ତୁ ନିର୍ବାଚନ ବୈତରଣୀ ପାର୍ ହେବାକୁ ହେଲେ ଲୋକଙ୍କ ମାନସିକତା ବୁଝିବା ଜରୁରୀ । ଆଉ ବିଜେପି ଠିକ୍ ଏହି ସମୟରେ ଆପ୍ର ଯୋଜନା ଭଳି ନିଜ ପ୍ରତିଶ୍ରୁତିରେ ବଡ଼ ପରିବର୍ତ୍ତନ ସ୍ୱରୂପ ମହିଳା, ଶିଶୁ, ଯୁବଗୋଷ୍ଠୀ ଏବଂ ଅଟୋ ଚାଳକଙ୍କ ପାଇଁ ନିର୍ବାଚନ ପ୍ରତିଶ୍ରୁତିରେ ବଡ଼ ବଡ଼ ଘୋଷଣାନାମା କଲା । ଏହା ସହିତ କଂଗ୍ରେସ ମଧ୍ୟ ସମାନ ପ୍ରତିଶ୍ରୁତି ଦେବାରୁ ଆପ୍ ପାଇଁ ଏହି ଚାଲେଞ୍ଜ ମହଙ୍ଗା ହୋଇଥିଲା ।
ଅନ୍ୟଏକ କାରଣ ଦେଖିବାକୁ ଗଲେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବିଳାସପୂର୍ଣ୍ଣ ଉପାୟରେ ନିର୍ମାଣ କରିବା ଏବଂ ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସଙ୍ଗ ଉଠାଇଥିଲା ବିଜେପି । ଏହି ପ୍ରସଙ୍ଗରେ ବିଜେପି କେଜରିୱାଲଙ୍କୁ ସୋସିଆଲ୍ ମିଡିଆରେ ଅନେକ ପୋଷ୍ଟର ଜାରି କରି ଘେରିଥିଲା । କଂଗ୍ରେସ ସମାନ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ନ ଥିଲା ।
ସେହିପରି ଦିଲ୍ଲୀରେ କ୍ଷମତାକୁ ଆସିବା ପୂର୍ବରୁ କେଜ୍ରିୱାଲ ଏବଂ ଅନେକ ଆପ ନେତା ଯମୁନା ସଫା କରିବାର ପ୍ରସଙ୍ଗ ଉଠାଇ ଆସୁଥିଲେ । ତକôାଳୀନ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରି, ସମସ୍ତ ନେତା କ୍ଷମତାକୁ ଆସିବା ପରେ ନଦୀକୁ ସଫା କରିବାକୁ ଦାବି କରିଥିଲେ । ଏହା ପରେ, ଦିଲ୍ଲୀର ଲୋକମାନେ ଆପ୍କୁ ସରକାର ଗଠନ କରିବାର ସୁଯୋଗ ଦେଲେ । ତଥାପି, ୧୦ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯମୁନାକୁ ସଫା କରାଯାଇପାରିଲା ନାହିଁ । ଆଉ ଏହି ପ୍ରସଙ୍ଗକୁ ନେଇ ବିଜେପି ଆପ୍କୁ ସମାଲୋଚନା କରିଥିଲା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଆସି କେଜରିୱାଲଙ୍କୁ ଚ୍ୟାଲେଞ୍ଜ କରିଥିଲେ । ସେ କହିଲେ, ‘ମୁଁ ମୋ କ୍ୟାବିନେଟ ସହିତ ସଙ୍ଗମରେ ବୁଡ଼ ପକାଇଥିଲି, କିନ୍ତୁ କେଜରିୱାଲ ତାଙ୍କ ସହଯୋଗୀମାନଙ୍କ ସହିତ ଯମୁନାରେ ବୁଡ଼ ପକାଇପାରିବେ କି?' ଏହା ପରେ କେଜରିୱାଲ ଯମୁନାର ବିଷାକ୍ତ ଜଳ ପ୍ରସଙ୍ଗ ଉଠାଇଥିଲେ । ଏହା ବ୍ୟତୀତ ଦିଲ୍ଲୀର ଭଙ୍ଗା ରାସ୍ତା ଏବଂ ବର୍ଷା ଋତୁରେ ପାଣି ଜମି ରହିବା ସମସ୍ୟା ମଧ୍ୟ କେଜରିୱାଲଙ୍କ ସମସ୍ୟାକୁ ବଢ଼ାଇ ଦେଇଥିଲା ।
ଆଉ ଗୋଟିଏ ପ୍ରସଙ୍ଗ ହେଉଛି ଆପ୍ ବିରୋଧରେ ବିଜେପିର ଆପ୍-ଦା (ବିପତ୍ତି) ସ୍ଲୋଗାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ରାଲିରେ ଆପ୍କୁ ବିପର୍ଯ୍ୟୟ ବୋଲି କହିଥିଲେ । ଏହା ବିଜେପି କର୍ମୀଙ୍କ ମଧ୍ୟରେ ଉସôାହକୁ ଦ୍ୱିଗୁଣିତ କରିଥିଲା । ଏହି ନିର୍ବାଚନୀ ସ୍ଲୋଗାନ ସହିତ, ବିଜେପି ପ୍ରତ୍ୟେକ ପରିସ୍ଥିତିରେ କେଜରିୱାଲ ଏବଂ ତାଙ୍କ ଦଳକୁ ଟାର୍ଗେଟ କରିଥିଲା । କୃଷକଙ୍କ ହିତ ପାଇଁ କାମ ହେଉ କିମ୍ବା ଆୟୁଷ୍ମାନ ଯୋଜନା, କେନ୍ଦ୍ରର ପ୍ରତ୍ୟେକ ଯୋଜନା ଯାହାକୁ ଆପ୍ ସରକାର ଦିଲ୍ଲୀରେ ଲାଗୁ କରି ନ ଥିଲେ, ବିଜେପି ଦିଲ୍ଲୀବାସୀଙ୍କୁ ଏହା ଦ୍ୱାରା ଅନ୍ୟ ରାଜ୍ୟଗୁଡ଼ିକୁ ମିଳୁଥିବା ଲାଭ ବିଷୟରେ କହିଥିଲା ।
ସେହିପରି ଅନ୍ୟଏକ କାରଣ ହେଉଛି ସର୍ବଦା ବିଜେପି ବିରୋଧରେ ଇଣ୍ଡିଆ ମେଣ୍ଟ ବିଷ ଓଗାଳୁଥିବା ବେଳେ ଏଥିରେ କଂଗ୍ରେସ ସହ ସହଭାଗିତା ହୋଇ ଆପ୍ ମଧ୍ୟ ବିଜେପିକୁ କଡ଼ା ବିରୋଧ କରୁଥିଲା । କିନ୍ତୁ ଚଳିତ ନିର୍ବାଚନ ପ୍ରଚାରରେ କଂଗ୍ରେସ ଓ ଆପ୍ ଉଭୟେ ନିଜ ନିଜ ଧାରାରେ ପ୍ରଚାର କରିଥିଲେ । ଫଳରେ ଏହାର ଫାଇଦା ଉଠାଇଥିଲା ବିଜେପି ।