ମହିଳାଙ୍କ ଆତ୍ମହତ୍ୟା ଘଟଣା, ମେଡିକାଲରେ ଉତ୍ତେଜନା
ସୋର : ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡା ଗ୍ରାମର ଜଣେ ମହିଳା ଘରୋଇ କଳହରୁ ବେକରେ ଏପ୍ରୋନ ବାନ୍ଧି ଆତ୍ମହତ୍ୟା କରିଥିବା ଘଟଣାରେ ଆଜି ସୋର ମେଡିକାଲରେ ଶବ ବ୍ୟବଚ୍ଛେଦକୁ ନେଇ ଉତ୍ତେଜନା ଦେଖାଦେଇଛି । ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଚିକିସôାଳୟକୁ ନିଆଯାଇଥିବା ବେଳେ ଆଜି ଶବ ବ୍ୟବଛେଦ ହୋଇପାରିନଥିବା ସୂଚନା ମିଳିଛି । ସୁଚନା ଅନୁସାରେ ଏହି ଗ୍ରାମର ହିମାଂଶୁ ବେହେରା ରେଳ ବିଭାଗରେ ଇଞ୍ଚିନିୟର ଭାବେ କାମ କରୁଥିବା ବେଳେ ଗତ ମାର୍ଚ୍ଚ ମାସରେ ବାହାନଗା ବ୍ଲକ ଗୋପାଳପୁର ଥାନା ବାଜିପୁର ଗ୍ରାମର ନିରଞ୍ଜନ ଦାସଙ୍କ ଝିଅ ସସ୍ମିତା ଦାସଙ୍କୁ ବିବାହ କରିଥିଲେ । ଗତକାଲି ସଂଧ୍ୟାରେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବାରୁ ମାନସିକ ଭାରସାମ୍ୟ ହରାଇ ସସ୍ମିତା ଶୋଇବା ଘର ଫ୍ୟାନରେ ବେକରେ ଆପ୍ରନ ବାନ୍ଧି ଝୁଲି ପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିଥିଲେ । କିନ୍ତୁ ମୃତା ମହିଳାଙ୍କ ମାଆ ସୁକାନ୍ତି ଦାସ ତାଙ୍କ ଝିଅକୁ ଅଧିକ ଯୌତୁକ ଦାବୀ କରି ତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରିଦେଇଥିବା ନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ପୁଲିସ ୬୧୮/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।