ମହିଷାସୁରୀ-ପଦ୍ମପୋଖରୀ ରାସ୍ତା ବିପର୍ଯ୍ୟସ୍ତ

କପ୍ତିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ ମହିଷାସୁରୀ ଠାରୁ ପଦ୍ମପୋଖରୀ ରାସ୍ତା ବିପର୍ଯ୍ୟସ୍ତକୁ ସାମାଜିକ ସଂଗଠନ ଶରତ ବିକାଶ ମଞ୍ଚ ପକ୍ଷରୁ ଆସନ୍ତା ୨୯ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ମହିଷାସୁରୀ ଠାରୁ ପଦ୍ମପୋଖରୀ ଗ୍ରାମ ରାସ୍ତା ମରାମତି ଅଭାବରୁ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି । ଗତ ୨୧.୦୪.୨୦୨୧ ମସିହାରୁ ଏହି ୧୯ କି.ମି ରାସ୍ତା କାମ ଆରମ୍ଭ ହୋଇଛି ଏବଂ ୨୦.୦୪.୨୦୨୬ ତାରିଖରେ ଶେଷ ହେବା ନିମନ୍ତେ ଫଳକରେ ଉଲ୍ଲେଖ ରହିଛି । ରାସ୍ତା କାମଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାର୍ଯ୍ୟକାରୀ ହୋଇଛି । ଏହି ରାସ୍ତା ପ୍ରକଳ୍ପ ପାଇଁ କୋଟି ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ପ୍ରକୃତରେ ସୁଫଳ ମିଳୁନାହିଁ । ରାସ୍ତା ନିର୍ମାଣ କାର୍ଯ୍ୟ ନ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ପିଚୁ ଉଠିଗଲାଣି । ଏବେ ବର୍ଷା ଯୋଗୁଁ ରାସ୍ତାସାରା ଖାଲଖମାରେ ପାଣି ଭର୍ତ୍ତି ହୋଇ ରାସ୍ତା ଉପରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଫଳରେ ନିତିଦିନ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଯାଉଛି । ଏହି ରାସ୍ତା ଉପରେ ଶାଳଚୁଆ, ଗେଣ୍ଡାଗଡିଆ, ମଝିଗୋଡ଼ିଆ, ଟୋଲଗୋଡ଼ିଆ, ମାଙ୍କଡପଡା, କଳମଗଡ଼ିଆ, ସରଢିହା ଏବଂ ଶରତ ପଞ୍ଚାୟତବାସୀ ନିର୍ଭର କରନ୍ତି । ଅନ୍ୟପକ୍ଷରେ ଏହି ରାସ୍ତା ଦେଇ ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଯାତାୟାତ କରୁଥିଲେ ସୁଦ୍ଧା ସମସ୍ୟା ସମାଧାନ କରିବା ନିମନ୍ତେ କାହାର ନଜର ପଡୁନାହିଁ ।

  • ୨୯ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ବିକାଶ ମଞ୍ଚ

ଏହି ସାମୂହିକ ସ୍ୱାର୍ଥ ପ୍ରସଙ୍ଗକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଶରତ ବିକାଶ ମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସନ୍ତା ୨୯ ତାରିଖ ଦିନ ଘେରାଉ କରାଯିବାକୁ ମଝିଗୋଡ଼ିଆ ଗ୍ରାମ ପଞ୍ଚାୟତ ଅଧୀନ ମହୁଲପଙ୍ଖା ଛକ ନିକଟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଶରତ ବିକାଶ ମଞ୍ଚ ସଭାପତି ଗାମାଏ ରୀମିଲ ସିଂ ଗୋଇପାଈ, ଯୁଗ୍ମ ସମ୍ପାଦକ ମାହାନ୍ତି ସିଂ ଦେଓଗାମ, ସମାଜସେବୀ ନବୀନ ମୁଣ୍ଡୁରୀ, ମନୋରଞ୍ଜନ ଗୋଇପାଈ, ସୋମାନାଥ ହୋ, ବିଶାନ୍ତ ଖୁଣ୍ଟିଆ, ଘାସିରାମ ସିଂ, ନିତ୍ୟାନନ୍ଦ ଗାଗାରାଇ, ଦୁର୍ଗା ହେମ୍ବ୍ରମ , ଶ୍ୟାମ ସିଂ, ବିଜୟ ହୋ, ଘାସିରାମ ସିଂ, କୁଁଆର ହେମ୍ବ୍ରମ, କୁସୁନୁ ଖୁଣ୍ଟିଆ, ସାନଗି ଖୁଣ୍ଟିଆ, ଦୁମ୍ବି ହୋ ପ୍ରମୁଖ ଉପସ୍ଥିତ ଥିଲେ ।