ସିଦ୍ଧପୁରୁଷ ଶିଶୁ ଅନନ୍ତ
ଡକ୍ଟର ଭି ରାଜେନ୍ଦ୍ର ରାଜୁ : ଭକ୍ତିଯୁଗର ପଞ୍ଚସଖା ମଧ୍ୟରେ ଅନନ୍ତ ଦାସ ସର୍ବ କନିଷ୍ଠ ଥିଲେ । ନିରାକାରବାଦୀ, ନିର୍ଗୁଣ ବ୍ରହ୍ମଚେତା କବି ଅନନ୍ତ ଥିଲେ ମହାସାଧକ ଓ ଯୋଗାଚାର୍ଯ୍ୟ । ଏକାମ୍ର କ୍ଷେତ୍ର ନିକଟସ୍ଥ ବାଲିପାଟଣା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ଲୋକଙ୍କର ବିଶ୍ୱାସ ସେ ଥିଲେ ଏକ ଅବତାର ପୁରୁଷ । ସେ ସାଧାରଣ ମଣିଷ ନଥିଲେ । ସେ ଥିଲେ ଅନନ୍ତଙ୍କ ଅବତାର । ପିଲାଟି ବେଳୁ ସେ ବାପା ମାଙ୍କୁ ହରାଇ ଥିଲେ । ସେ ଅନାଥ ହୋଇଯାଇଥିଲେ କିନ୍ତୁ ଅନନ୍ତ ବାସୁଦେବ ତାଙ୍କୁ ସହାୟ ହୋଇଥିଲେ । ତାଙ୍କ ଜୀବନର ଦୁଃଖଦ କଥାକୁ ସେ ତାଙ୍କ ଭାଷାରେ କହିଛନ୍ତି , “ ଅନ୍ନ ନପାଇ ବିକଳ ହୋଇଲି / କାନ୍ଦିଣ ପ୍ରଭୁ ଛାମୁରେ କହିଲି // ବିକଳ ଦେଖି ଦୟାକଲେ ହରି /ଜନ୍ମ ଜନ୍ମାନ୍ତରେ ତୁ ଯେ ଆମରି // କ୍ଷୁଧା ତୃଷ୍ଣା ତୋତେ ନକରୁ ବାଧା// ନାମ ଆସ୍ୱାଦନା କର ସର୍ବଦା //” ସାଧନା ପାଇଁ ସେ ଏକାମ୍ର କ୍ଷେତ୍ରରୁ ଅର୍କକ୍ଷେତ୍ର ଗଲେ । ସେଠାରେ ସେ ବିରଞ୍ଚି ନାରାୟଣଙ୍କୁ ଧ୍ୟାନ କଲେ । ସୂର୍ଯ୍ୟ ଦେବ ତାଙ୍କୁ ପ୍ରସନ୍ନ ହୋଇ ବର ଯାଚିଲେ । ସେ ପ୍ରଭୁଙ୍କ ଅନୁଗ୍ରହ ବାଣୀ ଶୁଣି ଅତି ବିନୟ ସହକାରରେ କହିଲେ , “ ବୋଇଲି ମୋର ଯେତେ ଆଶ୍ରେ ଜନ / ମାଗୁଛି ଏତେକ ଦେବା କାରଣ // ଉତ୍ତମ ବାସ ସୁତ ଦାରା ଧନ/ ମରନ୍ତେ ଦେବ ବଇକୁଣ୍ଠେ ସ୍ଥାନ // ନ ସାଧି ସିଦ୍ଧ ହେବେ ପୁତ୍ର ନାତି / ସାଧୁ ସିଦ୍ଧ ଥିବେ ସଂଗତି//”
ସେ ବିଶ୍ୱର ଏକମାତ୍ର କବି ଯିଏକି ନିଜ ପାଇଁ କିଛି ନ ମାଗି ତାଙ୍କ ଅନୁଗାମୀ ମାନଙ୍କ ପାଇଁ ବର ମାଗିଥିଲେ । କେବଳ ସେତିକି ନୁହେଁ ସେ ମହାପ୍ରଭୁଙ୍କର ଦାସ ହୋଇ ଜନ୍ମ ଜନ୍ମାନ୍ତରେ ରହିବେ ,ଏହା ଥିଲା ତାଙ୍କର କାମନା ଓ ପ୍ରାର୍ଥନା । ଏ ଭାବକୁ ବ୍ୟକ୍ତ କରି ଲେଖିଛନ୍ତି , “ ଶିଶୁ କହେ କ୍ଷମା କର ମୋ ଦୋଷ / ଜନ୍ମ ଜନ୍ମାନ୍ତରେ ମୁଁ ତୁମର ଦାସ /
ଶିଶୁ ଅନନ୍ତଙ୍କର ଜୀବନ ଗାଥା ଯେପରି ରହସ୍ୟମୟ ତାଙ୍କ ଜୀବନ କାଳରେ ଘଟି ଯାଇଥିବା ଅଲୌକିକ ଘଟଣାଗୁଡିକ ସେପରି ବିସ୍ମୟକର । ଶିଶୁ ଅନନ୍ତ ଅନେକ ଗୁଡିଏ ଗ୍ରନ୍ଥ ରଚନା କରିଛନ୍ତି । ସେଗୁଡିକ ମଧ୍ୟରୁ ପିଣ୍ଡ ବ୍ରହ୍ମାଣ୍ଡ ଗୀତା ,ଶିଶୁ ମନ୍ତ୍ର ବିଚାର , ଗୁପ୍ତ ଟୀକା , ଉଦେ ବାଖର ,ଭକ୍ତି ମୁକ୍ତି ଦାୟକ ଗୀତା ଓ ହେତୁ ଉଦୟ ଭାଗବତ ହେଉଛି ଶ୍ରେଷ୍ଠ ଗ୍ରନ୍ଥ । ହେତୁ ଓ ମନର କଥୋପକଥନକୁ ନେଇ ହେତୁ ଉଦୟ ଭାଗବତର ସୃଷ୍ଟି । ଏହି ଗ୍ରନ୍ଥରେ ଗୁରୁଙ୍କ ବନ୍ଦନା ,ଗୁରୁଙ୍କର ମହତ୍ୱ ,ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ, ଗାୟତ୍ରୀର ମହିମା ,ଅବଧୂତ ବୃତ୍ତାନ୍ତ, ଶ୍ରୀକ୍ଷେତ୍ର ମହିମା, ମନ୍ତ୍ରରାଜ,ଓଂକାର ତତ୍ତ୍ୱ ,ନାମ ତତ୍ତ୍ୱ ପ୍ରଭୃତି ବର୍ଣ୍ଣନା କରାଯାଇଛି । ଏ ମହାନ ଗ୍ରନ୍ଥର ସମସ୍ତ ଶ୍ରେୟ ସେ ତାଙ୍କ ଗୁରୁଙ୍କୁ ଦେଇଛନ୍ତି । ଏହାକୁ ସ୍ୱୀକାର କରି ସେ କହିଛନ୍ତି , “ଶ୍ରୀ ଗୁରୁ ପାଦେ ଚିତ୍ତ ଦେଇ / ଯେ ହେତୁ ଉଦେ ଲେଖିଲଇଁ // ଶରଣ ତାହାଙ୍କ ଚରଣ / ପାମର ଅନନ୍ତ ବଖାଣ //
ଶିଶୁ ଅନନ୍ତଙ୍କ ଅନେକ ଭଜନ ଅଛି ଯାହାକି ତାଙ୍କ ଆବେଗର ଆତ୍ମିକ ଉଚ୍ଚÿାରଣ ଅଟେ । ତାଙ୍କର କାମନା ରହିତ ଭଜନ ତାଙ୍କର ଅନନ୍ତର ଭାବକୁ ପ୍ରକାଶ କରେ । ତାଙ୍କ ହୃଦୟର ଆବେଗକୁ ନେଇ ସେ ଲେଖିଛନ୍ତି , “ ଯାହାତ ଦେଖଇ ପ୍ରଭୁ ସବୁତ ଭିଆଣ/ କି ଦେଇ ପୂଜିବି ନାଥ ତବ ଶ୍ରୀଚରଣ // ମନେ ମନେ ଏଇ ସେବା ପାଞ୍ଚୁ ଅଛି ମୁହିଁ / ନୟନର ନୀରେ ତବ ପାଦ ଦେବି ଧୋଇ // ଏପରି ସରଳ ଭାଷାରେ ସେ ଅନେକ କାବ୍ୟ ଓ ଭଜନ ରଚନା କରି ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଛନ୍ତି । ସେ ଅଶେଷ ଜ୍ଞାନର ଅଧିକାରୀ ହେଲେବି ସେ ନିଜକୁ ଶିଶୁବୋଲି ଭାବନ୍ତି । ତାଙ୍କର ଅନୁଗାମୀ ମାନଙ୍କୁ ମଧ୍ୟ ସେ ଶିଶୁ ଭାବେ ଅନୁପ୍ରାଣିତ ହେବା ପାଇଁ ଉପଦେଶ ଦେଇଛନ୍ତି । ଏ ଗୁଢ ତତ୍ତ୍ୱକୁ ଯେଉଁମାନେ ଗ୍ରହଣ କରିଛନ୍ତି ଆଜି ସେମାନେ ନିଜକୁ ଶିଶୁ ସମ୍ପ୍ରଦାୟ ବୋଲି ନିଜର ପରିଚୟ ଦେଉଛନ୍ତି । ଶିଶୁ ଅନନ୍ତ “ ଗୁପ୍ତ ଆଗତ ଭବିଷ୍ୟାନ୍ତର’’ କାବ୍ୟରେ ଆଜି ଯାହା ଘଟି ଯାଉଛି ତାହା ସେ ପାଞ୍ଚ ଶହ ବର୍ଷ ପୂର୍ବେ ଜଣାଇ ତାଙ୍କ ଭକ୍ତ ମାନଙ୍କୁ ଆଗତ ଭବିଷ୍ୟତ ବିଷୟରେ ସୂଚନା ଦେଇଥିଲେ । ପାରିବାରିକ ଜୀବନରେ ଅଶାନ୍ତି ଓ ରାଜନୀତିରେ ଦୁର୍ନୀତି ଦେଖା ଦେବ । ଏ କଥା ସେ ଅନେକ ବର୍ଷ ପୂର୍ବେ ଲେଖି ଯାଇଛନ୍ତି । ଆଗାମି ପିଢିଙ୍କୁ ଏହା ଥିଲା ଏକ ସଚେତନାର ବାର୍ତ୍ତା । ପଞ୍ଚସଖାଙ୍କ ଭିତରେ ଏ ଥିଲେ ବି, ସେ ତାଙ୍କର ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଯାଇଛନ୍ତି । ଏତେ ବଡ ମହାନ ପୁରୁଷ ଯିଏ କି ସାକ୍ଷାତ ଅନନ୍ତ ତାଙ୍କୁ ଏ ଜାତି ଉପଯୁକ୍ତ ସମ୍ମାନ ଦଉନି । ତାଙ୍କ ପ୍ରତି ଚରମ ଅବହେଳା କରାଯାଉଛି । ଏହା ଏକ ଅକ୍ଷମଣୀୟ ଅପରାଧ । ପୂଜ୍ୟ ପୂଜାର ଏହା ଏକ ବ୍ୟତିକ୍ରମ । ମହାରାଷ୍ଟ୍ର ସରକାର ଶିରିଡ଼ି ବାବଙ୍କର ସମାଧି କ୍ଷେତ୍ରକୁ କିପରି କରିଛନ୍ତି ତାହା ତାଙ୍କ ଠାରୁ ଶିଖିବା ଉଚିତ । ଅନନ୍ତଙ୍କ ଲୀଳା କ୍ଷେତ୍ର ଗୁପ୍ତ ବୃନ୍ଦାବନ ଅଟେ । ସେ ମାଟି ମଥାରେ ବୋଳିଲେ ଶରୀର ରୋଗମୁକ୍ତ ହୁଏ । ସେ କ୍ଷେତ୍ର ପ୍ରତି ସରକାର ଧ୍ୟାନ ଦିଅନ୍ତୁ ନଚେତ ଆଗାମୀ ପିଢି ଆମକୁ କ୍ଷମା ଦେବନି ।
ମୋ:୯୪୩୮୩ ୬୨୨୬୨