ଜୀବନ ଚେତନାର କବି
ଓଡ଼ିଆ ଭାଷା ସାହିତ୍ୟ ଜଗତରେ ପଣ୍ଡିତ କୃଷ୍ଣଚନ୍ଦ୍ର କର ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ । ପ୍ରଥମ ପିଢ଼ିର ଓଡ଼ିଆ ଶିଶୁ ଓ କିଶୋର ସାହିତି୍ୟକଙ୍କ ମଧ୍ୟରେ ସେ ଅନ୍ୟତମ । କଟକ ଜିଲ୍ଲା ମୂଳବସନ୍ତ ଗ୍ରାମରେ ଜନ୍ମ ହୋଇଥିଲେ । ବାଲ୍ୟ ଜୀବନରୁ ହିଁ ତାଙ୍କର ସାହିତି୍ୟକ ପ୍ରତିଭାର ସ୍ଫୁରଣ ଘଟିଥିଲା । ନଈକୂଳର ମାଳ ମାଳ ସୋରିଷ ଫୁଲ, ସବୁଜ ଧାନ ଖେତ, ଚଷାପୁଅର ହଳଗୀତ, ସାଙ୍ଗସାଥୀ ମେଳରେ ଡାଳି ମାଙ୍କୁଡ଼ି ଖେଳ, କୁଞ୍ଜବନ ତୋଟାର ଫୁଲ-ଫଳ ଗଛ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ପଞ୍ଚମ ଶ୍ରେଣୀରୁ ଆରମ୍ଭ ହୋଇଥିଲା କବିତା ଲେଖା । ଶିକ୍ଷକତା ଛାଡ଼ି, ପୁସ୍ତକ ପ୍ରକାଶନ ସଂସ୍ଥା କଟକ ଟ୍ରେଡିଂ କମ୍ପାନୀରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ଏହା ତାଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଥିଲା । କମ୍ପାନୀ ଆନୁକୂଲ୍ୟରେ ପ୍ରକାଶିତ ଓଡ଼ିଶାର ପ୍ରଥମ ଶିଶୁ ପତ୍ରିକା ପଞ୍ଚାମୃତରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଶିଶୁ କବିତା ପାତିର ମାଛଧରା । ପରେ ସେ ବାଳକୃଷ୍ଣ କରଙ୍କ ସାରସ୍ୱତ ପ୍ରେସ୍ ଓ ନୀଳକଣ୍ଠ ଦାଶଙ୍କ ନବଭାରତ ମୁଦ୍ରଣାଳୟରେ କାମ କରିଥିଲେ । ଏହି ସମୟରେ ଗୋପାଳ ପ୍ରହରାଜଙ୍କ ଭାଷାକୋଷ ପ୍ରଣୟନରେ ସହଯୋଗ କରିଥିଲେ । ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କ ଅଧିକ ସମୟ କଟିଥିଲା ସାହିତ୍ୟ ସାଧନାରେ । ପଣ୍ଡିତ କୃଷ୍ଣଚନ୍ଦ୍ର ତରୁଣ ଶବ୍ଦକୋଷର ସଂକଳକ ୧୯୬୬ରେ ଏହା ପ୍ରକାଶ ପାଇଥିଲା । କର୍ମମୟ ଜୀବନରେ ତାଙ୍କର ମୋଟ ୧୨୭ଟି ପୁସ୍ତକ ପ୍ରକାଶିତ ହୋଇଥିବା ଜଣାଯାଏ । ଏହି ତାଲିକାରେ ଅନେକ ପାଠ୍ୟ ପୁସ୍ତକ ଅନ୍ତର୍ଭୁକ୍ତ । ହଜିଲା ଦିନର ସ୍ମୃତି ତାଙ୍କର ଆତ୍ମଚରିତ । ସାରସ୍ୱତ ପ୍ରତିଭାର ସ୍ୱୀକୃତି ସ୍ୱରୂପ ତାଙ୍କୁ ୧୯୭୨ରେ ମିଳିଥିଲା ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର । ୧୯୯୫ରେ ତାଙ୍କର ଦେହାନ୍ତ ହୋଇଥିଲା ।
ବାଦଲ ଭୂୟାଁ
ଋ-ଜ୍ଞବସକ୍ଷ : ଭବୟବକ୍ଷ୦୦୯ଭଷଙ୍କଚ୍ଚବଦ୍ଭଅଶଜ୍ଞବସକ୍ଷ.ମକ୍ଟଜ୍ଞ