କୁମ୍ଭମେଳା ଓ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ
ଅଲେଖ ଚନ୍ଦ୍ର ସାମଲ : ଆଜିର ଏଇ ଏକବିଂଶ ଶତାବ୍ଦୀର ଚରମ ବସ୍ତୁବାଦୀ, ଚରମ ହେତୁବାଦୀ ବିଜ୍ଞାନ ଓ ପ୍ରଯୁ୍କ୍ତି ତନ୍ତ୍ରର ମାୟାଜାଲରେ ଛନ୍ଦି ହୋଇ ପଡ଼ିଥିବା ମଣିଷ ପାଇଁ ପ୍ରୟାଗରାଜର ପବିତ୍ର ତି୍ରବେଣୀ ସ୍ଥଳ ପାଲଟି ଯାଇଛି ଧର୍ମ, ଆଧ୍ୟାତ୍ମିକତା ତଥା ସମାବେଶୀ ମାନବିକ ଅନ୍ତରଙ୍ଗତାର ମହାସଙ୍ଗମ - ପୁଣ୍ୟତୋୟା ଗଙ୍ଗା, ଯମୁନା ଓ ଅନ୍ତଃଗାମିନୀ ସରସ୍ୱତୀଙ୍କ ମିଳନସ୍ଥଳୀ ପାଲଟି ଯାଇଛି ଉତ୍ତରିତ ଚେତନା - ସ୍ପନ୍ଦିତ ଭାବମହୋଦଧି । ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ପବିତ୍ର ମିଳନସ୍ଥଳ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମକୁ ଆଜି କୋଟି କୋଟି ଅଗଣିତ ଶ୍ରଦ୍ଧାଳୁ, ସାଧୁସନ୍ଥ, ମୁନିଋଷି ଓ ଭକ୍ତଜନଙ୍କ ଧାଡ଼ି ଛୁଟୁଛି । ସେହିପରି ଏହି ମହାକୁମ୍ଭରେ ଯୋଗଦାନ କରୁଛନ୍ତି କିନ୍ନର ଆଖଡ଼ା ସମ୍ପ୍ରଦାୟର । ଚଳିତ ବର୍ଷ ମହାକୁମ୍ଭର ପ୍ରଥମ ଅମୃତ ସ୍ନାନରେ ବୁଡ଼ ପକାଇଛନ୍ତି କିନ୍ନର ଆଖଡ଼ା । ଦେଶର ଉନ୍ନତି ଓ ଦେଶବାସୀଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି । ପୁରାଣ ବର୍ଣ୍ଣନା ଅନୁଯାୟୀ ଦେବତାମାନେ ଶୃଙ୍ଗାର କରୁଥିବାରୁ କିନ୍ନରମାନେ ମଧ୍ୟ ସେହିପରି ଶୃଙ୍ଗାର କରିବାକୁ ପସନ୍ଦ କରିଥାନ୍ତି । ସେଇଥିପାଇଁ ପ୍ରୟାଗରାଜର ମହାକୁମ୍ଭମେଳାର ଅନ୍ୟତମ ଆକର୍ଷଣ ହେଉଛି କିନ୍ନର ଆଖଡ଼ା । ମହାକୁମ୍ଭରେ ଆଖଡ଼ା ଓ ସନ୍ଥ ସମୁଦାୟ ଅନେକ ଧାର୍ମିକ କାର୍ଯ୍ୟକ୍ରମ ରୀତିନୀତି ଓ ଅନୁଷ୍ଠାନକୁ ଆୟୋଜନ କରୁଥିବାବେଳେ ସେଥିମଧ୍ୟରୁ କିଛି ଧର୍ମାନୁଷ୍ଠାନ ଅତ୍ୟନ୍ତ ସ୍ୱତନ୍ତ୍ର ଓ ସାଧନା ଭାବରେ ରହସ୍ୟମୟ । ଏହି ରହସ୍ୟମୟ ପୂଜାଟି ହେଉଛି ଅଘୋର କାଳୀପୂଜା । କିନ୍ନରମାନେ ଅର୍ଦ୍ଧରାତ୍ରିରେ ସେମାନଙ୍କର ଆଖଡ଼ାରେ ଏହି ପୂଜା କରିଥାନ୍ତି । ଯଜ୍ଞକୁଣ୍ଡର ଚର୍ତୁପାଶ୍ୱର୍ରେ ନରମୁଣ୍ଡ ରଖି ଅଘୋରୀମାନେ ଏହି ପୂଜା କରିଥାନ୍ତି । ସାଧାରଣତଃ ଯେ କେହି ଶ୍ରଦ୍ଧାଳୁଙ୍କ ଭିତରେ ଏହି ପୂଜା ପଦ୍ଧତି ଭୟ ସୃଷ୍ଟି କରିଥାଏ । ଏବେର ପ୍ରୟାଗରାଜ ଠାରେ ଅନୁଷ୍ଠିତ ମହାକୁମ୍ଭମେଳା କ୍ଷେତ୍ରର ସେକ୍ଟର-୧୬ସ୍ଥିତ କିନ୍ନର ଆଖଡ଼ାରେ ଏହି ପୂଜା ଅନୁଷ୍ଠିତ ହେଉଛି । ଆଖଡ଼ା ଭିତରେ ଏକ ତ୍ରିକୋଣୀୟ ଯଜ୍ଞକୁଣ୍ଡ ନିର୍ମିତ ହୋଇଥାଏ ଓ ଯାହାର ସାମ୍ନା ଓ ପଛରେ ତ୍ରିଶୂଳ ପୋତାଯାଇଥାଏ । ତ୍ରିଶୂଳରେ ଅନେକ ମୁଣ୍ଡର ମାଳା ଝୁଲାଯାଏ । ଡାହାଣ ପାଶ୍ୱର୍ରେ ମା'କାଳୀଙ୍କର ଏକ ଭବ୍ୟ ମୂର୍ତ୍ତି ସ୍ଥାପିତ ହେବା ସହ ତାଙ୍କ ସାମ୍ନାରେ ପୂଜା ସାମଗ୍ରୀ ରଖାଯାଏ । କିନ୍ନର ଆଖଡ଼ାର ଅଘୋରୀ ସାଧୁଙ୍କ କହିବା ମୁତାବକ ପ୍ରତ୍ୟେକ ଅର୍ଦ୍ଧରାତ୍ରୀରେ ତନ୍ତ୍ରବିଧି ଅନୁଯାୟୀ କିନ୍ନର ଆଖଡ଼ାରେ ଅଘୋର କାଳୀପୂଜା ଅନୁଷ୍ଠିତ ହେଉଛି । ପୂଜା ପୂର୍ବରୁ ଅଘୋରୀମାନେ ଯଜ୍ଞକୁଣ୍ଡକୁ ଫୁଲ ଓ ଦୀପରେ ସଜାଇ ଥାନ୍ତି । ଯଜ୍ଞର ଚର୍ତୁପାଶ୍ୱର୍ରେ ରଖାଯାଇଥିବା ନର ମୁଣ୍ଡ ଉପରେ ଦୀପ ପ୍ରଜ୍ଜ୍ୱଳିତ ହୋଇଥାଏ । ଯଜ୍ଞକୁଣ୍ଡକୁ ଆକର୍ଷଣୀୟ ଭାବେ ରଙ୍ଗୋଲିରେ ସଜା ଯାଇଥାଏ । ଏହାପରେ ଯଜ୍ଞକୁଣ୍ଡରେ କାଠ ପକାଇ ଅଘୋରୀ ମହାମଣ୍ଡଳେଶ୍ୱର ମଣିକନ୍ଦନ ମହାରାଜ ମନ୍ତ୍ରୋଚାରଣ କରି ପୂଜା କରନ୍ତି । ସେ ହିଁ ଅଘୋରୀ ପୂଜାକୁ ସମ୍ପନ୍ନ କରନ୍ତି । ପୂଜା ସମୟରେ ଯଜ୍ଞକୁଣ୍ଡ ପାଖରେ ଥିବା ଦଶଟି ଡମ୍ବରୁକୁ ଶିଷ୍ୟମାନେ ମନ୍ତ୍ରୋଚାରଣ ପୂର୍ବକ ବଜାଇଥାନ୍ତି । କିନ୍ନର ଆଖଡ଼ାର ପୂଜା ପଦ୍ଧତି, ସାଧନା ଓ ଅନେକ ଗୋପନୀୟତା ହିଁ ସେହି ସାଧନାର ରହସ୍ୟମୟ ବ୍ୟାପ୍ତି । ଏହି ସାଧନା ଆଧ୍ୟାତ୍ମିକ ଶକ୍ତି, ଆସ୍ଥା ଓ ତନ୍ତ୍ର ବିଦ୍ୟାର ଏକ ଅଦ୍ୱୈତୀୟ ସଙ୍ଗମ । ଯାହା ସାଧକଙ୍କୁ ଭିନ୍ନ ଦୁନିଆକୁ ନେଇଯାଏ । ଚଳିତ ପ୍ରୟାଗରାଜର ମହାକୁମ୍ଭମେଳାରେ କିନ୍ନର ଆଖଡ଼ାର ଅଘୋରୀ ମୁଖ୍ୟ ସାଧକ ରହିଛନ୍ତି ମହାମଣ୍ଡଳେଶ୍ୱର ମଣିକନ୍ଦନ । ଯିଏ କି ପ୍ରତ୍ୟେକ ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ଅଘୋର କାଳୀପୂଜା କରିବା ସହ ଶିଷ୍ୟ ମାନଙ୍କୁ ଦୀକ୍ଷା ପ୍ରଦାନ କରନ୍ତି ଓ ଅଘୋର ସାଧନାର ମହତ୍ୱ ଓ ପରମ୍ପରାର ଜ୍ଞାନ ପ୍ରଦାନ କରୁଛନ୍ତି । ମଣିକନ୍ଦନ ମହାରାଜଙ୍କ କହିବା ଅନୁଯାୟୀ ଏହି ପୂଜା ଲୋକଙ୍କ କଲ୍ୟାଣ ଓ ସୁଖ ସମୃଦ୍ଧି ନିମିତ୍ତ ପାଇଁ ହୋଇଥାଏ । ଏଥିରେ ତନ୍ତ୍ର ଓ ଧର୍ମର ଅନନ୍ୟ ମିଳନ ରହିଛି ଯାହା ଆଧ୍ୟାତ୍ମିକ ଉନ୍ନତିର ଦ୍ୱାର ଖୋଲେ । ଏହି ସ୍ୱତନ୍ତ୍ର ସାଧନା କାଶୀର ମଣିକର୍ଣ୍ଣିକା ଘାଟ ଓ ଗୌହାଟୀର କାମାକ୍ଷା ଦେବୀ ମନ୍ଦିରରେ କରାଯାଏ । କିନ୍ତୁ ମହାକୁମ୍ଭରେ ଏହି ପୂଜାର ମହତ୍ୱ ଆହୁରି ବଢ଼ିଯାଏ । ତାଙ୍କ କହିବା ଅନୁଯାୟୀ ପବିତ୍ର ମହାକୁମ୍ଭ ସମସ୍ତ ଦେବୀ ଦେବତାଙ୍କର ଉପସ୍ଥିତି ଦ୍ୱାରା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି ସେଥିପାଇଁ ଏହି ସ୍ଥାନ ଓ ସମୟ ତନ୍ତ୍ର ସାଧନା ପାଇଁ ସର୍ବୋତ୍ତମ । କୁହାଯାଏ ଅର୍ଦ୍ଧରାତ୍ରୀ ତନ୍ତ୍ର ସାଧନା ପାଇଁ ଅଧିକ ଫଳଦାୟୀ । କାରଣ ଏହି ସମୟରେ ବ୍ରହ୍ମାଣ୍ଡୀୟ ଉର୍ଜ୍ଜା ଚରମରେ ଥାଏ ଏବଂ ସମଗ୍ର ସୃଷ୍ଟି ଜଗତ ଓ ପରିବେଶ ଶାନ୍ତ ଓ ନୀରବତାରେ ବିରାଜୁଥାଏ । ଏହାଦ୍ୱାରା ସାଧକଙ୍କୁ ପୂଜାର ଲାଭ ମିଳି ପାରିବ । ଅଘୋର ସାଧନାରେ ଗୁରୁଙ୍କର ଖାସ ମହତ୍ୱ ରହିଛି । ଗୁରୁଙ୍କ ସାନ୍ନିଧ୍ୟ, ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ହିଁ ଅଘୋର ପୂଜାର କ୍ରିୟା ଶିକ୍ଷା କରାଯାଏ । ଗୁରୁ ନିଜର ଅନ୍ତିମ ସମୟରେ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣକୁ ନିଜର ଉତ୍ତରାଧିକାରୀ କରିଥାନ୍ତି । ଆପଣ ଜାଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେବେ ଏହି ଅଘୋର କାଳୀ ସାଧନା ବ୍ୟବସ୍ଥା ଯେତିକି ରହସ୍ୟମୟ ଯେତିକି ଭୀତିପ୍ରଦ । କାରଣ ଗୁରୁଙ୍କ ମୃତୁ୍ୟ ପରେ ସେହି ଶିଷ୍ୟ ଗୁରୁଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ପାଖରେ ରଖନ୍ତି । ଗୁରୁଙ୍କ ମୁଣ୍ଡକୁ ସର୍ବପ୍ରଥମେ ମା'ଅଘୋର କାଳୀଙ୍କୁ ଅର୍ପଣ କରାଯାଏ । ଏହାପରେ ଅମାବାସ୍ୟା ରାତ୍ରିରେ କପାଳ କ୍ରିୟା କରି ଶକ୍ତିକୁ ସିଦ୍ଧ କରାଯାଏ । ପ୍ରୟାଗରାଜର କୁମ୍ଭମେଳା ବୈଦିକ ଓ ତାନ୍ତ୍ରିକ ଯୋଗମାର୍ଗ ଆଧାରିତ ସାଧନାର ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱରେ ବ୍ୟକ୍ତିର ଅନ୍ତର୍ଜଗତରେ ନିତ୍ୟ ଗୁଞ୍ଜରିତ ଅଶ୍ରୁତ ଝଙ୍କାର ଓ ବାହ୍ୟ ଜଗତର ଉଭୟ ଶ୍ରୁତ ତଥା ଅଶ୍ରୁତ ଧ୍ୱନି, ନାଦ, ବା ଝଙ୍କାର ମଧ୍ୟରେ ଯୋଗସୂତ୍ର ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥାଏ । ସେହିପରି ଅଘୋରୀ ସାଧନା ମଧ୍ୟ ସୂଚୀତ କରେ ଯେ କୁମ୍ଭମେଳା ପରି ତ୍ରିବେଣୀ ସଙ୍ଗମ ସ୍ଥଳର ମାହେନ୍ଦ୍ର ଲଗ୍ନରେ ଅମୃତ ସ୍ୱରୂପା ଜଳରେ ସ୍ନାନ କରି ଧ୍ୟାନସ୍ଥ ହେଲେ ମନୁଷ୍ୟର ଚୈତ୍ୟ ସତ୍ତା ସହିତ ପରମ ଚୈତ୍ୟ ସତ୍ତାର ମହାମିଳନ ସମ୍ଭବ ହୋଇଥାଏ ଓ ପିଣ୍ଡ ବ୍ରହ୍ମାଣ୍ଡର ସାମ୍ୟ ଓ ଶୃଙ୍ଖଳା ସମ୍ପର୍କରେ ଜ୍ଞାନ ଲାଭ ହୋଇଥାଏ ।