୧୫୦ ଆମ୍ବୁଲାନ୍ସ ଲୋକାର୍ପିତ

୧୫୦ ଆମ୍ବୁଲାନ୍ସ ଲୋକାର୍ପିତ
  • ୧୧୧ କୋଟିରେ ଆସିବ ୪୨୮ ଆମ୍ବୁଲାନ୍ସ
  • ସବୁ ପୁରୁଣା ଆମ୍ବୁଲାନ୍ସ ବଦଳିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ।


   ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ ନୂଆ ୧୦୮- ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ଏଥିରେ ୪୧୯ ପୁରୁଣା ଆମ୍ବୁଲାନ୍ସ, ୨ଟି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ । ଏହାବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନବନ୍ଦର/ଏୟାରସ୍ଟ୍ରିପ୍‌ରେ ବ୍ୟବହାର ପାଇଁ ୫ଟି ଏଏଲଏସ ଆମ୍ବୁଲାନ୍ସ ଏବଂ ଝାରସୁଗୁଡ଼ା କାର୍ଡିଆକ୍‌ କେୟାର୍‌ ହସ୍ପିଟାଲ୍‌ ପାଇଁ ୨ଟି ଏଏଲଏସ ଆମ୍ବୁଲାନ୍ସ ବ୍ୟବହାର କରାଯିବ । ସୂଚନାଯୋଗ୍ୟଯେ, ରାଜ୍ୟରେ ଦୈନିକ ୫ ହଜାର ରୋଗୀଙ୍କୁ ୧୦୮-ଆମ୍ବୁଲାନ୍ସ ଜରିଆରେ ବିଭିନ୍ନ ହସ୍ପିଟାଲକୁ ନିଆଯାଉଛି ।


   କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଅଛି । ସ୍ୱାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆହୁରି ୧୦୮ ଇଏମଏଏସ ଆମ୍ବୁଲାନ୍ସ କ୍ରୟ କରାଯାଇଛି । ୪୨୮ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ୧୧୧ କୋଟି ଖର୍ଚ୍ଚ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ୧୫୦ ନୂତନ ଜରୁରୀକାଳୀନ ଆମ୍ବୁଲାନ୍ସକୁ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରାଯାଉଛି । ଅବଶିଷ୍ଟ ନୂତନ ଆମ୍ବୁଲାନ୍ସଗୁଡିକୁ ଖୁବଶୀଘ୍ର ଆମ୍ବୁଲାନ୍ସ ସେବାରେ ନିୟୋଜିତ କରାଯିବ । ତାସହିତ ପୁରୁଣା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ଅଶ୍ୱତୀ ଏସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଡଃ. ବୃନ୍ଦା ଡିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।