‘ଚୋରା ବାଟ’ ନିଯୁକ୍ତିର ଯୁଗ ଶେଷ
- ୨୦୨୯ ସୁଦ୍ଧା ରାଜ୍ୟ ହେବ ପ୍ରବାସୀ ଶ୍ରମିକ ମୁକ୍ତ
- ଏଣିକି ‘ଟଙ୍କା’ ନୁହେଁ, ‘ମେଧା’ ନିଯୁକ୍ତିର ମାନଦଣ୍ଡ
- ନିଯୁକ୍ତି ଦୁର୍ନୀତି ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ
- ନିଯୁକ୍ତି ବନ୍ଦ ପାଇଁ ଷଡ଼ଯନ୍ତ୍ର କରିଥିଲେ ପୂର୍ବ ସରକାର
- ‘ଆଉଟସୋର୍ସିଂ’ ଥିଲା ଦଳୀୟ କର୍ମୀ ଥଇଥାନର ମାଧ୍ୟମ
- ପରୀକ୍ଷା ଆଉଟସୋର୍ସିଂରେ ଲାଗିଛି କଟକଣା
ଭୁବନେଶ୍ୱର : ଚୋରା ବାଟ ନିଯୁକ୍ତିର ଯୁଗ ଶେଷ ହୋଇଯାଇଛି । ଆଉ ଟଙ୍କା ନୁହେଁ ମେଧା ହିଁ ହେବ ନିଯୁକ୍ତିର ମାନଦଣ୍ଡ । ନିଯୁକ୍ତି ବନ୍ଦ ପାଇଁ ପୂର୍ବ ସରକାର ଷଡ଼ଯନ୍ତ୍ର କରିଥିବାବେଳେ ଆଉଟସୋର୍ସିଂ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଥଇଥାନ କରାଯାଉଥିଲା । ଏବେ ମୋହନ ସରକାର ସେହି ବ୍ୟବସ୍ଥା ଉପରେ କଟକଣା ଲଗାଇଛନ୍ତି । ନିଯୁକ୍ତି ଦୁର୍ନୀତି ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ବିଧାନସଭାରେ ଏହା କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମୁଲତବୀ ଆଲୋଚନାର ଉତ୍ତର ରଖି କହିଲେଯେ, ନୀତିଗତ ଅକ୍ଷମତା ଓ ଅଘୋଷିତ ‘ନିଯୁକ୍ତି କଟକଣା’ ପାଇଁ ରାଜ୍ୟରେ ୨ ଲକ୍ଷ ୩୫ ହଜାର ପଦବୀ ଖାଲି ରହିଛି । ତେଣୁ ନୂଆ ସରକାର ଆସିବା ପରଠାରୁ ଖାଲିଥିବା ପଦବୀରେ ନିଯୁକ୍ତି ପ୍ରକ୍ରିୟା ଜାରିରହିଛି । ଆଉଟସୋର୍ସିଂର ଅନ୍ଧକାର ଅଧ୍ୟାୟରୁ ଆମେ ବୈଧାନିକ ନିଯୁକ୍ତିର ସ୍ୱଚ୍ଛ ବାତାବରଣ ଆଡ଼କୁ ଗତି କରୁଛୁ । ପୂର୍ବ ସରକାରଙ୍କ ସଦିଚ୍ଛାର ଅଭାବ ଯୋଗୁଁ ନିଯୁକ୍ତି ଦିଆଯାଉନଥିଲା । ଏଥିପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିଲା । ନିୟମିତ ନିଯୁକ୍ତି ବଦଳରେ ଶୋଷଣମୂଳକ ଆଉଟସୋର୍ସିଂ ବ୍ୟବସ୍ଥା ଲାଗୁ ହୋଇଥିଲା । ଦଳୀୟ କର୍ମୀଙ୍କୁ ଥଇଥାନ କରିବାର ଏହା ଏକ ମାଧ୍ୟମ ଥିଲା । ବିନା ପରୀକ୍ଷା, ବିନା ସାକ୍ଷାତକାର ଓ ବିନା ପ୍ରତିଯୋଗିତାରେ ‘ପଛ ଦ୍ୱାର’ ଦେଇ ସରକାରୀ ବ୍ୟବସ୍ଥାରେ ଭର୍ତ୍ତି କରାଯାଉଥିଲା । ତତ୍କାଳୀନ ରାଜନୈତିକ ଶ୍ରେଣୀ ଦ୍ୱାରା ଏହି ଆଉଟସୋର୍ସିଂ ଏଜେନ୍ସୀ ପରିଚାଳିତ ହେଉଥିଲା । କର୍ମଚାରୀଙ୍କ ପ୍ରାପ୍ୟ ‘ସର୍ଭିସ୍ ଚାର୍ଜ’ ନାଁରେ ହଡ଼ପ ହେଉଥିଲା । କର୍ମୀ ଥଇଥାନ ସହ ଏଜେନ୍ସୀ ଜରିଆରେ କମିଶନ ଆଦାୟ କରାଯାଉଥିଲା । ସେହିପରି ୨୦୨୦-୨୨ ପର୍ଯ୍ୟନ୍ତ କୋଭିଡ଼ ମହାମାରୀ ବାହାନା ଯୋଗୁଁ ନିଯୁକ୍ତି ସ୍ଥାଣୁ ପାଲଟି ଯାଇଥିଲା । ୨୦୨୨-୨୩ରେ ୨୧ ହଜାର ନିଯୁକ୍ତି ଦିଆଯାଇଥିଲେବି ଯେତିକି ସରକାରୀ କର୍ମଚାରୀ ଅବସର ନେଉଛନ୍ତି ସେତିକି ନିଯୁକ୍ତି ଦିଆଯାଇନଥିଲା । ଫଳରେ ଖାଲି ପଦବୀ ସଂଖ୍ୟା ୨ ଲକ୍ଷ ଟପି ଯାଇଥିଲା । ୨୦୨୩-୨୪ରେ ନିର୍ବାଚନ ବର୍ଷ ପାଖେଇ ଆସିବାରୁ ୫୭ ହଜାର ନିଯୁକ୍ତିର ଦାବି କରାଯାଇଥିଲା । କୌଣସି ନୂତନ ନିଯୁକ୍ତି ନଦେଇ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରି ସରକାର ବାହାବା ନେଉଥିଲେ । କିନ୍ତୁ ଗତ ୧୮ ମାସ ମଧ୍ୟରେ ରାଜ୍ୟ ସରକାର ୩୭୩୭୧ ଜଣଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି । ମୋହନ ସରକାର ଦେଢ଼ ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବାବେଳେ ତାହାକୁ ପୂରଣ କରିବା ପାଇଁ ଆଉ ୬୫ ହଜାର ପଦବୀ ପୂରଣ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରିରହିଛି । ପରୀକ୍ଷାରେ ବିଳମ୍ବ, ଅନିୟମିତତା ଓ କୋଭିଡ଼ ମହାମାରୀ ପାଇଁ ଗୋଟିଏ ପୀଢ଼ି ସରକାରୀ ଚାକିରୀ ପାଇଁ ଯୋଗ୍ୟ ହୋଇପାରିଲେନି । ସେଥିପାଇଁ ରାଜ୍ୟ ସରକାର ସରକାରୀ ଚାକିରୀ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି କରିଛନ୍ତି ।
ଅନୁକମ୍ପାମୂଳକ ନିଯୁକ୍ତି ବନ୍ଦ କରି ଦେଇଥିଲେ ପୂର୍ବ ସରକାର । ମୃତ କର୍ମଚାରୀଙ୍କ ସମ୍ପତ୍ତି ଓ ଆୟକୁ ଆକଳନ କରି ଅନେକ ଯୋଗ୍ୟ ପରିବାରର ଆବେଦନ ଖାରଜ କରାଯାଇଥିଲା । ଏବେ ଆଉ ସ୍କୋର କାଡର଼୍ ନୁହେଁ, ଦୁର୍ଦ୍ଦଶା ପ୍ରମାଣପତ୍ର ଆଧାରରେ ବିଚାର କରାଯିବ । ପରୀକ୍ଷା ଆଉଟସୋର୍ସିଂ ବ୍ୟବସ୍ଥାରେ କଟକଣା ଲଗାଯାଇଛି । ଗତ ସେପ୍ଟେମ୍ବର ୨୪ରେ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତି ପରୀକ୍ଷା ପରିଚାଳନା ଉପରେ କଟକଣା ଲଗାଯାଇଛି । ମିଳିତ ନିଯୁକ୍ତି ପରୀକ୍ଷା ବ୍ୟବସ୍ଥା ଦ୍ୱାରା ଜଣେ ପ୍ରାର୍ଥୀ ଗୋଟିଏ ଫିସ୍ ଦେଇ ଏକାଧିକ ସେବା ପାଇଁ ଆବେଦନ କରିପାରିବେ । ୟୁନିଫର୍ମ ସେବା ପରୀକ୍ଷା ପାଇଁ ଓଡ଼ିଶା ୟୁନିଫର୍ମ ସର୍ଭିସ ଷ୍ଟାଫ ସିଲେକ୍ସନ କମିଶନ ଗଠନକୁ ଅନୁମୋଦନ କରାଯାଇଛି । ପିଏମୟୁ ସଂସ୍କୃତିକୁ ଉଚ୍ଛେଦ କରିବାକୁ ପଦକ୍ଷେପ ନିଆଯାଇଛି । ଗ୍ରୁପ-ଡି ପଦବୀ ପାଇଁ ନିୟମିତ ନିଯୁକ୍ତି ପୁନଃ ଆରମ୍ଭ କରିବାକୁ ସକ୍ରିୟ ଭାବେ ବିଚାର କରୁଛୁ ।
ସେହିପରି ଏସଆଇ କେଳେଙ୍କାରୀକୁ ନେଇ ସେ କହିଛନ୍ତିଯେ, ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ଭଳି ଘଟଣା ଗତ ସରକାର ସମୟରେ ଚେର ଲମ୍ବାଇଥିବା ସିଣ୍ଡିକେଟ୍ ଦ୍ୱାରା ପରିଚାଳିତ ହେଉଥିଲା । ୨୦୨୧-୨୨ରେ କନଷ୍ଟେବଳ ନିଯୁକ୍ତି ଅନିୟମିତତା, ୨୦୨୨-୨୩ର କନିଷ୍ଠ ଯନ୍ତ୍ର ପରୀକ୍ଷା ଲିକ୍ ଓ ୨୦୨୩ର ଓଏସଏସି ସିଜିଏଲ ପରୀକ୍ଷା ଲିକ୍ ଘଟଣାକୁ ତତ୍କାଳୀନ ସରକାର ଚାପି ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆମେ ୧୮ ମାସରେ ବିଭିନ୍ନ ପରୀକ୍ଷା ବାତିଲ୍ କରି ଦୁର୍ନୀତି ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛୁ । ମୋହନ ସରକାର କିଛି ଲୁଚାଇବାକୁ ଚାହୁଁନାହାନ୍ତି ବୋଲି ଏସଆଇ ସ୍କାମର ସିବିଆଇ ତଦନ୍ତ କରାଯାଉଛି । ଚୋରା ବାଟ ନିଯୁକ୍ତିର ଯୁଗ ଶେଷ ହୋଇଯାଇଛି । ଟଙ୍କା ନୁହେଁ ମେଧା ହିଁ ଚାକିରୀର ମାନଦଣ୍ଡ ହେବବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।