୫ମ ଦିନରେ ଶ୍ରମିକଙ୍କ ଗଣଧାରଣା: ସାମିଲ ହେଲେ ୭ ପଞ୍ଚାୟତର ଜନତା
କାଳିଆପାଣି : ଇମ୍ଫା ଖଣି ଶ୍ରମିକ ମାନଙ୍କ ୨ ଦଫା ଦାବିକୁ ନେଇ ଚାଲିଥିବା ଗଣଧାରଣା ଆଜି ପଞ୍ଚମ ଦିନରେ ପହଁଚିଛି । ଅହୋରାତ୍ର ଧାରଣାରେ ଇମ୍ଫା କମ୍ପାନୀର ବୋଝେଇ ଶ୍ରମିକ ପ୍ରଚଣ୍ଡ ଖରାରେ ଇମ୍ଫା ଗେଟ ଆଗରେ ବସିରହିଛନ୍ତି । ନିଜର ଲୁହବୁହା ପାରିଶ୍ରମିକ ନିମନ୍ତେ ପ୍ରଚଣ୍ଡ ରୌଦ୍ର ତାପକୁ ମଧ୍ୟ ଭ୍ରୁକ୍ଷେପ କରୁନାହାନ୍ତି ଶ୍ରମିକ । ହେଲେ ଇମ୍ଫା କମ୍ପାନୀ ଏଯାଏଁ ଶ୍ରମିକ ମାନଙ୍କ ଗଣଧାରଣାକୁ ସାମାନ୍ୟ ଗୁରୁତ୍ୱ ଟିକେ ଦେବାର ଆଭାସ ମିଳିନାହିଁ । ପରିଣାମ ସ୍ୱରୂପ ଆଜି ଖଣି ସଂଲଗ୍ନ ୭ ଗୋଟି ପଞ୍ଚାୟତର ସାଧାରଣ ଜନତା ଶ୍ରମିକ ମାନଙ୍କୁ ସମର୍ଥନ ଦେବା ସହିତ ଗଣ ଧାରଣାରେ ସାମିଲ ହୋଇଥିଲେ । ଆଜି ଓଡିଶା ମାଇନିଂ ୱାର୍କର୍ସ ୟୁନିଅନର ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରାଙ୍କ ପୌରହିତ୍ୱରେ ହୋଇଥିବା ଏକ ବୈଠକରେ ୭ ପଞ୍ଚାୟତର ଗାଁ ମୁଖିଆ ଗଣ ଧାରଣାକୁ ସମ୍ପୂର୍ଣ ସମର୍ଥନ ଏବଂ ସହଯୋଗ କରିବାକୁ ସହମତି ଦେଇଥିଲେ । ବୈଠକରେ ଇମ୍ଫା କମ୍ପାନୀର ଶ୍ରମିକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ଏବଂ ଶୋଷଣ ନିତି ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିଥିଲେ । ଆଜିଠାରୁ ଇମ୍ଫା କମ୍ପାନୀର ଦୁଇଟି ମୁଖ୍ୟ ଫାଟକ ସହିତ କମ୍ପାନୀର କର୍ମଚାରୀ ରହୁଥିବା କଲୋନୀ ଗେଟକୁ ମଧ୍ୟ ଅବରୋଧ କରିରଖିଥିଲେ । ଓଡିଶା ମାଇନିଂ ୱାର୍କର୍ସ ୟୁନିଅନର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବେଣୁଧର ମହାନ୍ତ କହିଛନ୍ତି ଯେ ଇମ୍ଫା କମ୍ପାନୀ କେବଳ ଶ୍ରମିକ ବିରୋଧୀ ନୁହେଁ । ଏହା ଖଣି ଅଞ୍ଚଳର ସାଧାରଣ ଜନତାଙ୍କ ପ୍ରତି ମଧ୍ୟପ୍ରତାରଣା କରିଆସୁଛି । ଖଣି ନିକଟସ୍ଥ ପ୍ରଭାବିତ ଗାଁ ଗୁଡିକର ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରି ଜିଲା ତଥା ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ଦେବା ପାରିପାର୍ଶ୍ୱିକ ଉନ୍ନୟନ କ୍ଷେତ୍ରରେ କେବଳ ଲୋକ ଦେଖାଣିଆଁ କାର୍ଯ୍ୟକ୍ରମ କରି ଲୋକଙ୍କୁ ଭକୁଆ କରି ରଖିଛି ବୋଲି ମହାନ୍ତ କହିଛନ୍ତି । ଖଣି ପ୍ରଭାବିତ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି କମ୍ପାନୀ କେବେ ବି ସମ୍ବେଦନଶୀଳ ନୁହେଁ ବୋଲି ଅଭିଯୋଗ ହୋଇଆସିଛି । ଆଜି ସକାଳୁ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଶହଶହ ଜନତା ଶ୍ରମିକ ମାନଙ୍କୁ ସମର୍ଥନ ଦେବାକୁ ଏକତ୍ରିତ ହୋଇଥିଲେ । ଏଥିରେ ଶତାଧିକ ମହିଳା ସହଯୋଗର ହାତ ବଢ଼ାଇଥିଲେ । ଶ୍ରମିକ ନେତା ତଥା ଓଡିଶା ମାଇନିଂ ୱାର୍କର୍ସ ୟୁନିଅନର ସାଧାରଣ ସମ୍ପାଦକ ଶ୍ରୀ ବେହୁରା ଗଣ ଧାରଣା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସତର୍କ କରାଇ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଧର ପାତ୍ର, ଧନେଶ୍ୱର ମହାନ୍ତ, ଧୀରେନ୍ଦ୍ର ଦେହୁରୀ, ରବି ସାହୁ, ବେଣୁଧର ମହାକୁଡ଼, ପୁଷ୍ପକ ମହାପାତ୍ର, ସତ୍ୟଜିତ ଦାସ, ଲମ୍ବୋଦର ମହାନ୍ତ ଧାରଣାରେ ବସିଥିଲେ ।