ରାଜଧାନୀରେ ଲଭ୍‌ ଜିହାଦ୍‌ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

ରାଜଧାନୀରେ ଲଭ୍‌ ଜିହାଦ୍‌ ଘଟଣା;   ମୁଖ୍ୟ ଅଭିଯୁକ୍ତ  ଗିରଫ

ରାଜଧାନୀରେ ଲଭ୍ ଜିହାଦ ଘଟଣା ସାମନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁରଙ୍କୁ ଗତକାଲି ପୁଲିସ୍‌ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି। କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତଙ୍କ ମେଡିକାଲ ଚେକଅପ୍ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପୀନାକ ମିଶ୍ର କହିଛନ୍ତି, ଅଭିଯୁକ୍ତଙ୍କ ଘର ବିହାରର ଚମ୍ପାରନରେ ହୋଇଥିବା ବେଳେ ସେ କଶ୍ମୀରରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ। ଅନଲାଇନ୍‌ ଗେମ୍‌ ଜରିଆରେ ପୀଡ଼ିତାଙ୍କ ସହ ତାଙ୍କର ଚିହ୍ନା ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ୍‌ ତାଙ୍କର ଦୁଇଟି ମୋବାଇଲ, ଆଧାର କାର୍ଡ, ପ୍ୟାନ କାର୍ଡ ଆଦି ଜବତ କରିଛି। ମୋବାଇଲ ଦୁଇଟିକୁ ଫରେନସିକ୍‌ ଲ୍ୟାବକୁ ପଠାଯାଇଥିବା ବେଳେ ସେଠାରୁ ଠୋସ୍‌ ପ୍ରମାଣ ମିଳିପାରେ ବୋଲି କହିଛନ୍ତି ଡିସିପି।ଡିସିପି କହିଛନ୍ତି, ଅଭିଯୁକ୍ତ ସମୀର ମନସୁର ନିଜ ପରିଚୟ ଗୋପନ ରଖି ପୀଡ଼ିତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ।  ସମୀର ୨୦୨୪ ମାର୍ଚ୍ଚ ମାସରେ ଓଡ଼ିଶା ଆସିଥିବା ବେଳେ ପୁରୀରେ ଯୁବତୀଙ୍କ ସହ ଏକ ହୋଟେଲ ରୁମ୍‌ରେ ରହିଥିଲେ। ସେଠାରେ ସମୀରଙ୍କ ପ୍ରକୃତ ନାଁ ସମୀର ମାନସୁର ବୋଲି ପୀଡ଼ିତା ଜାଣିବାକୁ ପାଇଥିଲେ। ପୀଡ଼ିତା ହୋଟେଲ୍‌ ରୁମ୍‌ରୁ ଖସିବାକୁ ଚେଷ୍ଟା କରୁଥିବା ବେଳେ ସମୀର ବଳପୂର୍ବକ ଧମକଚମକ ଦେଇ ଧର୍ମ ପରିବର୍ତ୍ତନ କରି ବିବାହ ନିମନ୍ତେ ତାଙ୍କୁ ବାଧ୍ୟ କରିଥିଲେ। ସେଠାରେ ବଳପୂର୍ବକ ସମୀର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏହାପରେ ଯୁବତୀଜଣକ କୌଶଳ କରି ହୋଟେଲ୍‌ରୁ ଖସି ଘରକୁ ପଳାଇ ଯାଇଥିଲେ। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଡିସିପି କହିଛନ୍ତି।