ଅଲୋଡ଼ା ହେଉଛନ୍ତି ବବି

pranab prakash das VK pandian Naveen Patanaik

ଅଲୋଡ଼ା ହେଉଛନ୍ତି ବବି

ଯାହା ଆଶଙ୍କା କରାଯାଉଥିଲା ବିଜେଡ଼ିରେ ସେଇଆ ହିଁ ହେଉଛି  । ବିଜୁ ଜନତା ଦଳରେ ଯିଏ ନମ୍ବର ଟୁ ହେଉଛନ୍ତି ସେମାନଙ୍କ ଭାଗ୍ୟ ଆକାଶରେ କଳାବାଦଲ ଛାଇ ହୋଇଯାଉଛି  । ପ୍ୟାରୀ ମୋହନ ମହାପାତ୍ର ହୁଅନ୍ତୁ କି କଳ୍ପତରୁ ଦାସ, ସମସ୍ତେ ଏଇ ଦଶା ଭୋଗିଛନ୍ତି  । ଏବେ ସମାନ ଦଶା ବବି ଦାସ ଭୋଗିବା ଆରମ୍ଭ କରିଛନ୍ତି  । ବିଜେଡ଼ିରେ ଏବେ ବବି ଅଲୋଡ଼ା ହେଉଥିବା ଚର୍ଚ୍ଚା ହେଉଛି  । ଚବିଶ ନିର୍ବାଚନରେ ଦଳର ପରାଜୟ ନେଇ ଭିକେ ପାଣ୍ଡିଆନଙ୍କୁ ଯେତିକି ଦାୟୀ କରାଯାଉଛି ବବି ଦାସଙ୍କୁ ବି ସେତିକି ଦାୟୀ କରୁଛନ୍ତି  । ବବିଙ୍କ ହୁମ୍ପାଣିଆ ଗୁଣ ପାଇଁ ଦଳର ରଣନୀତି ଅନେକ ସ୍ଥାନରେ ଫେଲ୍‌ ମାରିଥିଲା  । ସଂଗଠନ ସମ୍ପାଦକ ଥିବାବେଳେ ୧୪୭ ନିର୍ବାଚନମଣ୍ଡଳୀରେ ବବି ଟିକେଟ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ  । କିନ୍ତୁ ଚବିଶ ନିର୍ବାଚନରେ ତାହା ସମ୍ଭବପର ନହେବାରୁ ଅନେକ ସ୍ଥାନରେ ବିଜେଡ଼ି ଭିତରେ ଫାଟ ସୃଷ୍ଟି ହୋଇଥିଲା  । ଦଳୀୟ ନେତାମାନେ ପରସ୍ପରକୁ ହରାଇବାରେ ଲାଗି ପଡ଼ିଥିଲେ  । ଯେଉଁଥିପାଇଁ ଦଳ ହାତରୁ ୩୦ ଆସନ ଖସି ଯାଇଥିଲା  । ଖାଲି ସେତିକିନୁହେଁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଲଢ଼ିବା ପାଇଁ ବବି ନିଜ ଆଡ଼ୁ ନିଷ୍ପତ୍ତି ନେଇଥିଲେ  । ଯଦି ସେ ପାଣ୍ଡିଆନଙ୍କ ପରାମର୍ଶ ମାନି ଯାଜପୁରରୁ ଲଢ଼ିଥା’ନ୍ତେ ତେବେ ଯାଜପୁରରେ ବିଜେଡ଼ି ମୂଳପୋଛ ହୋଇନଥା’ନ୍ତା  । ସେ ନିଜେ ହାରିବା ସହ ଅନ୍ୟମାନେ ବି ହାରି ଯାଇଥିଲେ  । ଦଳର ଯୁବ ଓ ଛାତ୍ରନେତାମାନେ ତାଙ୍କ ବିରୋଧରେ ଶଙ୍ଖ ଭବନରେ ବି ନାରାବାଜି କରିଛନ୍ତି  । ଦଳର ଛାତ୍ର, ଯୁବ ବୈଠକରେ ଆଉ ବବିଙ୍କୁ ପୂର୍ବଭଳି ଗୁରୁତ୍ୱ ଦିଆଯାଉନାହିଁ  । ଛାତ୍ରମାନଙ୍କ ବୈଠକରେ ଦେବୀ, ଅତନୁ, ଅରୁଣ, ସଞ୍ଜୟଙ୍କୁ କହିବାର ସୁଯୋଗ ମିଳିଥିବାବେଳେ ବବିଙ୍କୁ କିନ୍ତୁ ସୁଯୋଗ ମିଳିନଥିଲା  । ସେହିପରି କ୍ଷମତାସମ୍ପନ୍ନ କମିଟିରେ ବବିଙ୍କୁ ରଖାଯାଇନଥିଲେ ମଧ୍ୟ ସେ ମନଇଚ୍ଛା କମିଟି ମିଟିଂରେ ଯୋଗଦେଉଥିବାରୁ ଅନେକ ନେତା କ୍ଷୁବ୍ଧ ହୋଇଯାଇଛନ୍ତି  । ପାଣ୍ଡିଆନଙ୍କ ପ୍ରଭାବ ବଢ଼ିବା ବେଳେ ବବି ସହ୍ୟ କରିପାରିନଥିଲେ  । ଏମିତିକି ପୋଷ୍ଟରରେ ଫଟୋ ନଥିବାରୁ ସେ ନବୀନଙ୍କ ନିକଟରେ ଅସନ୍ତୋଷ ଜାହିର କରିଥିଲେ  । ଯାହାକୁ ନେଇ ପାଣ୍ଡିଆନ ମଧ୍ୟ ଆଗଭଳି ବବିଙ୍କୁ ଗୁରୁତ୍ୱ ଦେବାକୁ ଚାହୁଁନାହାନ୍ତି  । ନଭେମ୍ବରରେ ନବୀନ ସାରା ଓଡ଼ିଶା ଗସ୍ତ କରିବାର ଯୋଜନା କରିଛନ୍ତି  । ସେହି ସମୟରେ ବବିଙ୍କୁ ପାଖରେ ଦେଖିବାକୁ ମିଳୁଛି କି ନାହିଁ ତାହା ଉପରେ ବି ନଜର ରହିଛି  । ଏହାଛଡ଼ା ଚଳିତ ମାସ ଶେଷ ସୁଦ୍ଧା ବିଜେଡ଼ି ତାହାର କମିଟି ପୁନର୍ଗଠନ କରିବ  । ତେବେ ବବିଙ୍କୁ ପୂର୍ବଭଳି ସାଂଗଠନିକ ସମ୍ପାଦକ ପଦ ମିଳୁଛି ନା ତାଙ୍କ ସ୍ଥାନ ଅନ୍ୟ କିଏ ନେଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି  ।