ଅବରୋଧକାରୀଙ୍କୁ ଶାହଙ୍କ ତାଗିଦ୍‌ : ୮ରୁ ମଣିପୁର ରାସ୍ତା ସ୍ୱାଭାବିକ କର 

Amit saha

ଅବରୋଧକାରୀଙ୍କୁ ଶାହଙ୍କ ତାଗିଦ୍‌ : ୮ରୁ ମଣିପୁର ରାସ୍ତା ସ୍ୱାଭାବିକ କର 

।। ଏଜେନ୍ସି ।। ନୂଆଦିଲ୍ଲୀ, ୧ା୩
ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଣିପୁରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଏହାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଗୃହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ନୂଆଦିଲ୍ଲୀରେ ଆଜି ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପାରିପାଶ୍ୱିର୍କ ପରିସ୍ଥିତିକୁ ଆଖି ଆଗରେ କରି ଶାହ ଏକ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରିଛନ୍ତି  । ଆସନ୍ତା ମାର୍ଚ୍ଚ ୮ରୁ ମଣିପୁରର ସମସ୍ତ ରାସ୍ତାରେ ଚଳାଚଳ ସ୍ୱାଭାବିକ ସୁନିଶ୍ଚିତ କର ବୋଲି ଅବରୋଧକାରୀଙ୍କୁ ତାଗିଦ୍‌ କରିଛନ୍ତି ଶାହ । 
ଯଦି କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଏଥିରେ ବାଧା ସୃଷ୍ଟି କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଗୃହ ମନ୍ତ୍ରାଳୟରେ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲାଙ୍କ ସମେତ ରାଜ୍ୟର ବରିଷ୍ଠ ସରକାରୀ ଅଧିକାରୀ, ସେନା ଅଧିକାରୀ, ପାର୍ଲାମେଣ୍ଟାରୀ ଫୋର୍ସର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ଶାହ ସ୍ପଷ୍ଟ କରିଛନ୍ତି ଯେ, ମଣିପୁର ଶାନ୍ତି ଫେରାଇ ଆଣିବା ଉପରେ ବିଶେଷ ଆଲୋଚନା କରାଯାଉଛି  । ଆସନ୍ତା ୮ ତାରିଖରୁ ଜନସାଧାରଣ ଯେପରି ସ୍ୱାଭାବିକ ଭାବେ ଜୀବନ ଯାପନ କରିପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ମଣିପୁରରେ ସୀମା ସୁରକ୍ଷା ବଳକୁ ବୃଦ୍ଧି କରାଯିବା ସହ ଜୀବନ ଧାରଣମାନ ଯେପରି ସ୍ୱାଭାବିକ ହୋଇପାରିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ । “ମଣିପୁରରେ ବିଭିନ୍ନରାସ୍ତା ଅବରୋଧ ଯୋଗୁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିବାରୁ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଅନ୍ତର୍ଜାତୀୟ ସୀମା ସମେତ ରାଜ୍ୟର ଉଭୟ ପ୍ରବେଶ ପଥରେ ବାଡ଼ ଉଠାଇବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।” 

ମଣିପୁରରେ ଅରାଜକତା ସୃଷ୍ଟି କରୁଥିବା ନିଶା କାରବାରକୁ ସମୂଳେ ଉଚ୍ଛେଦ କରାଯିବା ସହ ମଣିପୁରକୁ ଡ୍ରଗ୍ସ ମୁକ୍ତ କରାଯିବ ବୋଲି ସେ କହିଛନ୍ତି  । ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ଗୋଷ୍ଠୀ ଦ୍ୱାରା ଲୁଟ୍‌ ହୋଇଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ତୁରନ୍ତ ଫେରାଇ ଦେବାକୁ ଆୟୋଜିତ ବୈଠକରେ ପୁନଃ ଶାହ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ, ଗତ ୨୦ରେ ରାଜ୍ୟପାଳଙ୍କ ଅନୁରୋଧ କ୍ରମେ ହିଂସା ସମୟରେ ବିଭିନ୍ନ ଗୋଷ୍ଠୀ ଲୁଟ୍‌ କରିଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଫେରାଉଛନ୍ତି  । ଆହୁରି ଅସ୍ତ୍ରଶସ୍ତ୍ର ସମର୍ପଣ ହୋଇନଥିବାରୁ ଏହି ତାରିଖକୁ ରାଜ୍ୟପାଳ ଆସନ୍ତା ୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି  । ଗତ ଫେବ୍ରୁଆରୀ ୧୩ ତାରିଖରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂ ଇସ୍ତଫା ଦେବା ପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ଏହାସହ ୨୦୨୭ ପର୍ଯ୍ୟନ୍ତ ଏଠାରେ ବିଧାନସଭା ଚାଲିପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।