୧୫ ବର୍ଷର ପୁରୁଣା ଗାଡ଼ିକୁ ପେଟ୍ରୋଲ ମନା
15 yrs vehicle

ଅପ୍ରେଲରୁ ନୂଆଦିଲ୍ଲୀରେ ଲାଗୁ
୧୫ ବର୍ଷର ପୁରୁଣା ଗାଡ଼ିକୁ ପେଟ୍ରୋଲ୍ ପମ୍ପ୍ରେ ଆଉ ପେଟ୍ରୋଲ୍ ଦିଆଯିବ ନାହିଁ । ଏପ୍ରିଲ୍ ୧ରୁ ନୂଆଦିଲ୍ଲୀରେ ଏହି ନିୟମ ଲାଗୁ କରାଯିବ । ରାଜଧାନୀରେ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଦିଗରେ ପ୍ରଥମ ନିଷ୍ପତ୍ତି ସ୍ୱରୂପ ଦିଲ୍ଲୀରେ ବିଜେପି ସରକାର ଏହି ନିୟମ ଲାଗୁ କରିଛନ୍ତି ।
ପରିବେଶ ମନ୍ତ୍ରୀ ମନ୍ଜିନ୍ଦର ସିଂ ସିର୍ସା ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବଂ ଯାନବାହନ ଭିଡ଼ କମାଇବା ପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଦିଲ୍ଲୀରେ ଚଳପ୍ରଚଳ କରୁଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଧରିବା ପାଇଁ ସମସ୍ତ ପେଟ୍ରୋଲ୍ ପମ୍ପ୍ରେ ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଲଗାଯିବ ଏବଂ ସେମାନଙ୍କୁ ଟିକିଏ ବି ପେଟ୍ରୋଲ୍ ଦିଆଯିବ ନାହିଁ । ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସିର୍ସା ପ୍ରକାଶ କରିଛନ୍ତି ।
ଅପରପକ୍ଷେ ଏହିଭଳି ପୁରୁଣା ଗାଡ଼ିକୁ ଚିହ୍ନଟ ପାଇଁ ଏକ ଟିମ୍ ଗଠନ କରାଯିବାକୁ ଥିବା ବେଳେ ଏହି ଟିମ୍ ଦିଲ୍ଲୀର ପ୍ରତି ଗଳିକନ୍ଦି ବୁଲି ପୁରୁଣା ଗାଡ଼ିକୁ ଚିହ୍ନଟ କରିବେ ଏବଂ ସରକାରଙ୍କୁ ସୂଚନା ଦେବେ । ସେହିପରି ଦିଲ୍ଲୀକୁ ପ୍ରବେଶ କରୁଥିବା ବହୁ ପୁରାତନ ଭାରିଯାନର ମଧ୍ୟ ତଦାରଖ କରାଯିବ । ଯେଉଁ ଗାଡ଼ିଗୁଡ଼ିକ ପରିବେଶ ପ୍ରତି ହାନୀ ସୃଷ୍ଟି କରୁଥିବେ ସେହି ଗାଡ଼ି ମାଲିକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦିଲ୍ଲୀ ଏବଂ ଏନ୍ସିଆର୍ରେ ପୂର୍ବରୁ ଏହାକୁ ନେଇ ଏକ ଟିମ୍ କାର୍ଯ୍ୟ କରୁଛି । ଯାହାର କାମ ହେଉଛି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଗାଡ଼ି ଏବଂ ୧୫ ବର୍ଷରୁ ଊଦ୍ଧ୍ୱର୍ ପୁରୁଣା ପେଟ୍ରୋଲ୍ ଗାଡ଼ିକୁ ଚିହ୍ନଟ କରି ସ୍କ୍ରାପ୍ କରିବା । ପୂର୍ବରୁ ଏହି ନିୟମ ଲାଗୁ ହୋଇଥିଲେ ମଧ୍ୟ ଏହାକୁ ସଠିକ୍ ଭାବେ ଲାଗୁ କରାଯାଇ ନଥିଲା । ଏବେ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ।
ଏହାବାଦ ବାୟୁ ପ୍ରଦୂଷଣ ରୋକିବା ଦିଗରେ ମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀର ପ୍ରତ୍ୟେକ ଉଚ୍ଚ ଅଟ୍ଟାଳିକା, ହୋଟେଲ୍, ଉଚ୍ଚତା ସମ୍ପନ୍ନ ବାଣିଜ୍ୟିକ ବିଲ୍ଡିଂରେ ଆଣ୍ଟି ସ୍ମୋଗ୍ ଗନ୍ ଲଗାଯିବ । ଯାହା ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ ହ୍ରାସ କରିବ । ଏହାସହ ମନ୍ତ୍ରୀ କହିଥିଲେ ଯେ, ଚଳିତବର୍ଷ ଡିସେମ୍ବର ସୁଦ୍ଧା ଦିଲ୍ଲୀରେ ଚାଲୁଥିବା ୯୦ ପ୍ରତିଶତ ସିଏନ୍ଜି ବସ୍ ବଦଳରେ ଇଲେକ୍ଟ୍ରିକ୍ ବସ୍ ଚାଲିବ । ଯାହା ଜନସାଧାରଣଙ୍କ ଯାତାୟାତରେ ଖୁବ୍ ସହଜସାଧ୍ୟ ହେବ ।