ବିଜେଡ଼ି ଟିକେଟ ବାଣ୍ଟୁଥିଲେ ଡିଏସ କୁଟ୍ଟେ ଓ ଆଶିଷ ସିଂ

Biju Janata Dal, Naveen Patnaik

ବିଜେଡ଼ି ଟିକେଟ ବାଣ୍ଟୁଥିଲେ ଡିଏସ କୁଟ୍ଟେ ଓ ଆଶିଷ ସିଂ

ଭୁବନେଶ୍ୱର : ଭିକେ ପାଣ୍ଡିଆନ୍‌ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ  । ଉପରକୁ ସବୁକିଛି ଠିକ୍‌ ବୋଲି ଦୃଶ୍ୟମାନ ହେଉଥିଲେବି ପ୍ରକୃତ ଚିତ୍ର ସେଇଆ ନଥିଲା  । ଗତ ନିର୍ବାଚନରେ ଅଫିସରମାନେ ହିଁ ବିଜେଡ଼ି ଟିକେଟ ବାଣ୍ଟୁଥିଲେ  । ଟିକେଟ ପାଇଁ ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ପାଖକୁ ଯିବାକୁ ପଡୁଥିଲା  । ଯଦି ନବୀନ ପଟ୍ଟନାୟକ ନିଜେ ଟିକେଟ ବାଣ୍ଟିଥା’ନ୍ତେ ତାହେଲେ ବିଜେଡ଼ି ହାରିନଥା’ନ୍ତା  । ଦଳ ଛାଡ଼ିବା ପରେ ଗୁମର ଫିଟାଇ ଏମିତି କହିଛନ୍ତି ପୂର୍ବତନ ବିଧାୟିକା ସୁନନ୍ଦା ଦାସ  ।  
ପ୍ରଣବ ଓ ପାଣ୍ଡିଆନଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ନେଇ ସେ ସିଧାସଳଖ କିଛି କହିନାହାନ୍ତି  । କିନ୍ତୁ ସୁନନ୍ଦାଙ୍କ ମନ୍ତବ୍ୟକୁ ତର୍ଜମା କଲେ ଏହି ନିଷ୍କର୍ସ ହିଁ ମିଳିବ  । ଟିକେଟ ପାଇଁ ତାଙ୍କୁ ଆଶିଷ ସିଂ ଓ କୁଟ୍ଟେଙ୍କୁ ଭେଟିବାକୁ କୁହାଯାଇଥିଲା  । ସେହିପରି ପାଣ୍ଡିଆନ୍‌ ତାଙ୍କୁ କହିଥିଲେ,  ସେ ଯାଜପୁରରେ ମୁଣ୍ଡ ଖେଳାଇଲେ ନାହିଁ ବୋଲି ତାଙ୍କ ଟିକେଟ କଟିଗଲା  । ଅର୍ଥାତ୍‌ ପାଣ୍ଡିଆନ୍‌ ଯଦି ମୁଣ୍ଡ ଖେଳାଇଥା’ନ୍ତେ ତାହେଲେ ସୁନନ୍ଦାଙ୍କୁ ଟିକେଟ ମିଳିଥା’ନ୍ତା ବୋଲି କହିଲେ ଭୁଲ ହେବନାହିଁ  । ସେହିପରି ପାଣ୍ଡିଆନ୍‌ ଯେତେବେଳେ ୧୪୭ ନିର୍ବାଚନମଣ୍ଡଳୀ କଥା ବୁଝୁଥିଲେ, ସେତେବେଳେ ଯାଜପୁର କଥା କାହିଁକି ବୁଝିଲେ ନାହିଁ  । ବବିଙ୍କ ହିସାବରେ ଯାଜପୁରକୁ ପାଣ୍ଡିଆନ୍‌ ଛାଡ଼ି ଦେଇଥିଲେ  । ସୁନନ୍ଦାଙ୍କ ଏହି ପଦିଏ ସୁରାକ୍‌ ବିଜେଡ଼ି ଅଳିନ୍ଦକୁ ଭିନ୍ନ ବାର୍ତ୍ତା ଦେଇଛି  । ବିଜେଡ଼ିର ନମ୍ବର ଦୁଇ ଓ ନମ୍ବର ତିନି ମଧ୍ୟରେ ବିବାଦ ପାଇଁ ସମନ୍ୱୟର ଅଭାବ ଦେଖା ଦେଇଥିଲା  । ଯାହାର ପ୍ରତିଫଳନ ଦଳକୁ ଚବିଶ ନିର୍ବାଚନରେ ଦେଖିବାକୁ ମିଳିଛି  । 
ବବିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସୁନନ୍ଦା  । ବରିରେ ବବି ସମାନ୍ତରାଳ ସଂଗଠନ କରୁଥିଲେ  । ତାଙ୍କ ପ୍ରାର୍ଥୀଙ୍କୁ ହରାଇବା ପାଇଁ ବିଡ଼ିଓଙ୍କୁ କହି କ୍ରସ ଭୋଟିଂ କରିଥିଲେ  । ସୁନନ୍ଦାଙ୍କ ଏହି ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛିଯେ, ସରକାରୀ ଅଫିସରମାନେ ବିଜେଡ଼ିର କର୍ମକର୍ତ୍ତା ଭଳି କାମ କରୁଥିଲେ  ।  ଆଇନକୁ ଦଳିମକଚି ଯେଭଳି ଫାଇଭ-ଟି ସଚିବ ବିଜୁ ଜନତା ଦଳ ଓ ପ୍ରଶାସନକୁ କରାୟତ୍ତ କରିଥିଲେ ଠିକ୍‌ ସେହିପରି ବିଡ଼ିଓ ଓ ଅନ୍ୟ ଅଫିସରମାନେ ମଧ୍ୟ ବିଜେଡ଼ିର ଭଲଭେଲ କଥା ବୁଝୁଥିଲେ କହିଲେ ଭୁଲ୍‌ ହେବନାହିଁ  ।