ବବି ଓ ପାଣ୍ଡିଆନଙ୍କ ମଧ୍ୟରେ ଚାଲିଥିଲା ଶୀତଳଯୁଦ୍ଧ
pranab prakash das
ଗୁମର ଖୋଲିଲେ ସୁନନ୍ଦା
ବିଜେଡ଼ି ଟିକେଟ ବାଣ୍ଟୁଥିଲେ ଅଫିସର
ଭୁବନେଶ୍ୱର : ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ । ଉପରକୁ ସବୁକିଛି ଠିକ୍ ବୋଲି ଦୃଶ୍ୟମାନ ହେଉଥିଲେବି ପ୍ରକୃତ ଚିତ୍ର ସେଇଆ ନଥିଲା । ଗତ ନିର୍ବାଚନରେ ଅଫିସରମାନେ ହିଁ ବିଜେଡ଼ି ଟିକେଟ ବାଣ୍ଟୁଥିଲେ । ଟିକେଟ ପାଇଁ ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ପାଖକୁ ଯିବାକୁ ପଡୁଥିଲା । ଯଦି ନବୀନ ପଟ୍ଟନାୟକ ନିଜେ ଟିକେଟ ବାଣ୍ଟିଥା’ନ୍ତେ ତାହେଲେ ବିଜେଡ଼ି ହାରିନଥା’ନ୍ତା । ଦଳ ଛାଡ଼ିବା ପରେ ଗୁମର ଫିଟାଇ ଏମିତି କହିଛନ୍ତି ପୂର୍ବତନ ବିଧାୟିକା ସୁନନ୍ଦା ଦାସ ।
ପ୍ରଣବ ଓ ପାଣ୍ଡିଆନଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ନେଇ ସେ ସିଧାସଳଖ କିଛି କହିନାହାନ୍ତି । କିନ୍ତୁ ସୁନନ୍ଦାଙ୍କ ମନ୍ତବ୍ୟକୁ ତର୍ଜମା କଲେ ଏହି ନିଷ୍କର୍ସ ହିଁ ମିଳିବ । ଟିକେଟ ପାଇଁ ତାଙ୍କୁ ଆଶିଷ ସିଂ ଓ କୁଟ୍ଟେଙ୍କୁ ଭେଟିବାକୁ କୁହାଯାଇଥିଲା । ସେହିପରି ପାଣ୍ଡିଆନ୍ ତାଙ୍କୁ କହିଥିଲେ, ସେ ଯାଜପୁରରେ ମୁଣ୍ଡ ଖେଳାଇଲେ ନାହିଁ ବୋଲି ତାଙ୍କ ଟିକେଟ କଟିଗଲା । ଅର୍ଥାତ୍ ପାଣ୍ଡିଆନ୍ ଯଦି ମୁଣ୍ଡ ଖେଳାଇଥା’ନ୍ତେ ତାହେଲେ ସୁନନ୍ଦାଙ୍କୁ ଟିକେଟ ମିଳିଥା’ନ୍ତା ବୋଲି କହିଲେ ଭୁଲ ହେବନାହିଁ । ସେହିପରି ପାଣ୍ଡିଆନ୍ ଯେତେବେଳେ ୧୪୭ ନିର୍ବାଚନମଣ୍ଡଳୀ କଥା ବୁଝୁଥିଲେ, ସେତେବେଳେ ଯାଜପୁର କଥା କାହିଁକି ବୁଝିଲେ ନାହିଁ । ବବିଙ୍କ ହିସାବରେ ଯାଜପୁରକୁ ପାଣ୍ଡିଆନ୍ ଓ ନବୀନ ଛାଡ଼ିଦେଇଥିଲେ କି ?